28 April 2017
4:06:41 AM
image
Sambad News
ମାଲକାନଗିରି

ଚିତ୍ରକୋଣ୍ଡା ଜିଲ୍ଲା ପରିଷଦ ଜୋନ-୨

ବାଟ ଓଗାଳିବେ ନକ୍ସଲ

By Sambad | Date: Jan 3 2017 6:23AM
ଚିତ୍ରକୋଣ୍ଡା ଜିଲ୍ଲା ପରିଷଦ ଜୋନ-୨

ମାଲକାନଗିରି: ନବଗଠିତ ଚିତ୍ରକୋଣ୍ଡା ବ୍ଲକରେ ପ୍ରଥମ ଥର ପାଇଁ ଚଳିତ ଥର ହେବ ପଞ୍ଚାୟତ ନିର୍ବାଚନ। ୧୮ଟି ପଞ୍ଚାୟତକୁ ନେଇ ଏହି ବ୍ଲକ ଗଠନ କରାଯାଇଥିବା ବେଳେ ୨ଟି ଜିଲ୍ଲା ପରିଷଦ ଆସନ ଏହାର ଅନ୍ତର୍ଗତ। ଜୋନ-୧ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଏବଂ ୮ଟି ପଞ୍ଚାୟତ ଏହାର ଅଧୀନରେ ରହିଛି। ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଜୋନ-୨ରେ ପଣସପୁଟ, ଯୋଡାମ୍ବ, ରାଲଗେଡା, ପେପର ମେଟଲା, ବଡପଡା, ଅଣ୍ଡ୍ରାପାଲୀ, ଯନ୍ତ୍ରୀ, ଗଜଲମାମୁଡି, ଧୂଳିପୁଟ ଏବଂ ବଡପଦର ଆଦି ପଞ୍ଚାୟତ ରହିଛି। ତେବେ ଦୁଇଟି ପଞ୍ଚାୟତକୁ ଛାଡି ଦେଲେ ଏହି ଜୋନର ଅନ୍ୟ ୮ଟି ପଞ୍ଚାୟତ ବିଚ୍ଛିନ୍ନାଞ୍ଚଳରେ ରହିଛି। ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିବା ବେଳେ ଭୌଗୋଳିକ ସ୍ଥିତି ବି ବଦଳି ଯାଇଛି।

ନକ୍ସଲଙ୍କ ପତିଆରା ଥିବା ଏହି ଜୋନରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ହେବା ପୁଲିସ ତଥା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି। କାରଣ ପୂର୍ବରୁ ବି ଏହି ଅଞ୍ଚଳରେ ନକ୍ସଲଙ୍କ କଥାରେ ଲୋକେ ଉଠବସ୍‌ ହେବାର ନଜିର ରହିଛି। ଏପରିକି ବିଚ୍ଛିନ୍ନାଞ୍ଚଳର ନିର୍ବାଚିତ ଲୋକପ୍ରତିନିଧି ବି ଜୀବନ ଭୟରେ ନିଜ ଅଞ୍ଚଳ ଛାଡିଥିବା ପୂର୍ବରୁ ଦେଖିବାକୁ ମିଳିଛି। ନକ୍ସଲ ଭୟ ଯୋଗୁଁ ସରକାରୀ ଯୋଜନା ଏବେ ମଧ୍ୟ ଅପହଞ୍ଚ। ପ୍ରଶାସନ ଏଠାକୁ ସବୁବେଳେ ଯିବା ସମ୍ଭବ ହୋଇପାରୁ ନଥିବାରୁ ଉନ୍ନୟନ କାମ ଏକ ପ୍ରକାର ଠପ୍‌ ହୋଇ ପଡିଛି। ଏହାର ଫାଇଦା ଉଠାଉଛନ୍ତି ଦଲାଲ ଏବଂ ଟାଉଟର। ଲୋକଙ୍କୁ ଇନ୍ଦିରା ଆବାସ ଏବଂ ଭତ୍ତା କରାଇଦେବା ନାମରେ ଟଂକା ହଡପ କରିବା ଭଳି ବହୁ ଘଟଣା ଦେଖିବାକୁ ମିଳିଛି। ୯୦ପ୍ରତିଶତ ଲୋକେ ଆଦିବାସୀ ହୋଇଥିବାରୁ ପାରମ୍ପରିକ ଚାଷ ଉପରେ ନିର୍ଭରଶୀଳ।

ସରକାରଙ୍କ ତରଫରୁ ସ୍କୁଲ ଖୋଲିଛି। ତଥାପି ବହୁ ଲୋକ ନିରକ୍ଷର। ପ୍ରାୟ ସ୍କୁଲ ଗୁଡିକ ମାସ ମାସ ଧରି ବନ୍ଦ ରହେ। ନକ୍ସଲ ଭୟରେ ଶିକ୍ଷକ ଚିତ୍ରକୋଣ୍ଡା କିମ୍ବା ମାଲକାନଗିରିରେ ରହୁଛନ୍ତି। ଯଦି ଉଚ୍ଚ ଅଧିକାରୀ ଏହି ଅଂଚଳକୁ ଗସ୍ତ କରିବାର ସୂଚନା ମିଳେ ତାହାଲେ ସ୍କୁଲରେ ପହଞ୍ଚିଯାନ୍ତି ଶିକ୍ଷକ। ଯେଉଁ ଗ୍ରାମ ଗୁଡିକରେ ଲୋକେ ସଚେତନ ସେମାନେ ଏନେଇ ବିଭିନ୍ନ ସ୍ତରରେ ଗୁହାରି କରିବା ସତ୍ୱେ ସେମାନଙ୍କ କଥା କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
  

  ସ୍ୱାଧୀନତାର ୭୦ ବର୍ଷ ପୂରିଯାଇଥିଲେ ମଧ୍ୟ ଏହି ସମସ୍ତ ପଞ୍ଚାୟତର ଗ୍ରାମ ଗୁଡିକରେ ସବୁଦିନିଆ ରାସ୍ତା ନାହିଁ। ବର୍ଷା ଦିନ ହେଲେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବାରୁ ରାସ୍ତା ପାଇଁ ଅନୁଦାନ ଦିଆଯାଇଛି। କିନ୍ତୁ କାମ ନହୋଇ ବାଟମାରଣା ହେଉଥିବା ଦେଖିବାକୁ ମିଳିଛି। ବିଛିନ୍ନାଞ୍ଚଳରେ ରହିଥିବା ଏହି ପଞ୍ଚାୟତ ଗୁଡିକର ସବୁଠାରୁ ବଡ ଦୁଃଖ ହେଲା ବାଲିମେଳା ଜଳଭଣ୍ଡାର। ବିଛିନ୍ନାଞ୍ଚଳରୁ ବ୍ଲକ ସଦର ମହକୁମାକିମ୍ବା ଜିଲ୍ଲା ସଦର ମହକୁମାକୁ ଯିବା ଏବଂ ଆସିବାକୁ ହେଲେ ପ୍ରାୟ ୪ ଦିନ ସମୟ ଲାଗେ। ଦୁଇ ଦିନ ଆସିବା ପାଇଁ ଏବଂ ଦୁଇ ଦିନ ଯିବା ପାଇଁ  ଲାଗୁଥିବା ଲୋକେ କହିଛନ୍ତି। ତେଣୁ ନିହାତି ଜରୁରି ନହେଲେ ଲୋକେ ଗାଁ ବାହାରକୁ ବାହାରନ୍ତି ନାହିଁ।

ଅନ୍ୟପଟେ ଗାଁ ଚାରିପଟେ ଜଳଭଣ୍ଡର ରହିଥିଲେ ମଧ୍ୟ ପାଣି ପାଇଁ ଏଠାକାର ଲୋକ ଡହଳ ବିକଳ ହୁଅନ୍ତି। କାଁ ଭାଁ କେଉଁଠି ନଳକୂପ ରହିଛି। ସେଗୁଡିକ ସବୁ ଅଚଳ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳେ। ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବାରୁ ଆଗାମୀ ନିର୍ବାଚନରେ ଲୋକେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବେ। ଏଠାକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ନକହିବା ଭଲ। ରୋଗ ହେଲେ ଲୋକେ ଭଗବାନଙ୍କ ଭରସାରେ ରୁହନ୍ତି।
   

  ସରକାରୀ ଯୋଜନା ଏହି ପଞ୍ଚାୟତ ଗୁଡିକରେ ପହଞ୍ଚିବା ପାଇଁ ଚିତ୍ରକୋଣ୍ଡାକୁ ନୂତନ ବ୍ଲକ ଭାବେ ସରକାର ଗତ ଦିନରେ ଗଠନ କରିଛନ୍ତି। ଏଥିସହ ଲୋକଙ୍କର ସବୁ ସମସ୍ୟା ଯେପରି ସମାଧାନ ହୋଇପାରିବ ସେନେଇ ସରକାର ସବୁ ପ୍ରକାର ବନ୍ଦବସ୍ତ କରୁଛନ୍ତି। ଏହାକୁ ନେଇ ଶାସକ ଦଳ ଏହି ଅଂଚଳର ଲୋକଙ୍କ ପାଖରେ ପହଞ୍ଚିବ ବୋଲି କହୁଥିବା ବେଳେ ବିରୋଧୀ କିନ୍ତୁ ସରକାରୀ ଯୋଜନା କିପରି ବାଟମାରଣା ହେଉଛି ଏବଂ ସବୁ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଏହି ଜୋନକୁ ହାତେଇବାକୁ ଚେଷ୍ଟା କରିବ।

ଚିତ୍ରକୋଣ୍ଡା ୨ନମ୍ବର ଜୋନ ପାଇଁ ଶାସକ ଦଳର ସୁମନ ମୁଦୁଲି ଆଶାୟୀ ପ୍ରାର୍ଥୀ ଭାବେ ରହିଥିବା ବେଳେ ବିଜେପିର ତୁଳାରାମ ତାଙ୍ଗୁଲ ଏବଂ କଂଗ୍ରେସର ଦୈତାରୀ ବଡନାୟକ ଆଶାୟୀ ପ୍ରାର୍ଥୀ ରହିଥିବା ଜଣାପଡିଛି। ଏହି ୧୦ଟି ପଞ୍ଚାୟତରେ ପ୍ରାୟ ୫୦ ହଜାର ଭୋଟର ରହିଥିବା ବେଳେ ପଚାଶ ପ୍ରତିଶତରୁ ଅଧିକା ମତଦାନ ହୋଇଥାଏ। ବିଛିନ୍ନାଞ୍ଚଳର ଲୋକଙ୍କ ପାଖରେ ସମସ୍ୟାର ପାହାଡ ରହିଛି। ଏହାକୁ ସାମ୍ନା କରି ବିଭିନ୍ନ ରାଜନୈତିକ ଦଳ କିପରି ଭାବେ ଲୋକଙ୍କୁ ନିଜ ଆଡକୁ ଟାଣି ଆଣିପାରୁଛନ୍ତି ଦେଖିବାକୁ ବାକି ରହିଲା।

 

image