22 August 2017
5:24:19 AM
image
Sambad News
ମାଲକାନଗିରି

ମିଲ୍‌ରେ ଟାର୍ଗେଟ ଠାରୁ ଅଧିକ ଧାନ : ୯ ଧାନ ମିଲରେ ଚଢାଉ, ୪ ଗୋଦାମ ସିଲ୍‌

By Sambad | Date: Jan 4 2017 11:59PM
ମିଲ୍‌ରେ ଟାର୍ଗେଟ ଠାରୁ ଅଧିକ ଧାନ :  ୯ ଧାନ ମିଲରେ ଚଢାଉ, ୪ ଗୋଦାମ ସିଲ୍‌

ମାଲକାନଗିରି : ସବୁ ମିଲରେ ଧାନ ଭର୍ତ୍ତି। ପ୍ରଶାସନ ପକ୍ଷରୁ ଯେତିକ ଟାର୍ଗେଟ ଦିଆଯାଇଥିଲା ତା’ର ବହୁଗୁଣା ଧାନ ମିଲରେ ଗଚ୍ଛିତ ଅଛି। ପ୍ରଶାସନ ପକ୍ଷରୁ ଚଢାଉ ବେଳେ ମିଲରଙ୍କ ଏଭଳି କଳା କାରନାମା ଧରାପଡ଼ିଯାଇଛି। ଚାଷୀ ଅଭାବରେ ପଡି ଦଲାଲଙ୍କୁ କମ୍‌ ଦରରେ ଧାନ  ବିକ୍ରି କରୁଥିବା ବେଳେ ଏସବୁ କିଣି ମିଲ୍‌ ମାଲିକ ମୁନାଫା ଉଠାଉଛନ୍ତି। ମାଲକାନଗିରି ଜିଲ୍ଲାରେ ଥିବା ୧୯ଟି ଧାନ ମିଲ ମଧ୍ୟରୁ ଆଜି ସହରର ୯ଟି ମିଲ୍‌ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଟାର୍ଗେଟ ଠାରୁ ଅଧିକ ଧାନ ମହଜୁଦ୍‌ ଥିବା ଜଣାପଡ଼ିବା ପରେ ୪ଟି ଗୋଦାମ୍‌କୁ ସିଲ କରି ଦିଆଯାଇଛି। ଚଢ଼ାଉ ଜାରି ରହିଥିବାରୁ ଏଯାଏଁ କାହା ପାଖରେ କେତେ ଧାନ ଅଛି ପ୍ରଶାସନ ସ୍ପଷ୍ଟ କରିନି। ଚଢ଼ାଉ ହୋଇଥିବା ମିଲଗୁଡ଼ିକ ହେଲା ମହାବୀର, ମଡର୍ଣ୍ଣ ରାଇସ୍‌ ମିଲ୍‌, ଶିବଶଙ୍କର ରାଇସ୍‌ ମିଲ୍‌, ଜୟ ବଜରଙ୍ଗ ମିଲ୍‌, ତାରାତାରିଣୀ ମିଲ୍‌, ଟୁବୁଲେଶ୍ୱର ମିଲ୍‌, ଶାରଳା ଦେବୀ, ମା’ ମଙ୍ଗଳା, ଅମ୍ବିକା ରାଇସ୍‌ ମିଲ୍‌, ଏସକେ ଏଣ୍ଟରପ୍ରାଇଜର୍ସ ବୋଲି ଜଣାପଡିଛି।
 
ଆଜି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦେଶକ୍ରମେ ଉପଜିଲ୍ଲାପାଳ ବିରେନ୍ଦ୍ର କର୍କରାଙ୍କ ନେତୃତ୍ୱରେ ୯ଟି ଧାନ ମିଲରେ ଚଢାଉ କରାଯାଇଥିଲା। ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ ଥିବା ଯୋଗୁଁ ୪ଟି ଧାନ ଗୋଦାମକୁ ଚାବି ପକାଯାଇ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ତେବେ କେତେ ଧାନ ଅଧିକ ଅଛି ତାହା ଆକଳନ କରାଯାଇ ନାହିଁ ବୋଲି ଉପଜିଲ୍ଲାପାଳ କହିଥିଲେ । ମିଲରେ ଥିବା ପଞ୍ଜିକୃତ ତାଲିକା ସହ ଗୋଦାମରେ ଥିବା ଧାନର ପରିମାଣ  ମେଳ ଖାଉ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆସନ୍ତାକାଲି ଏହାର ସବିଶେଷ ତଥ୍ୟ ସଂଗ୍ରହ କରାଯିବ ବୋଲି ସେ କହିଥିଲେ। ନିୟମ ଅନୁଯାୟୀ, ପୁରୁଣା ମିଲରମାନେ ଯେତିକି ଟଙ୍କା  ସିକ୍ୟୁରିଟି ବାବଦକୁ ଜମା ରଖିଥିଲେ ତାର ୭ ଗୁଣ ପର୍ଯ୍ୟନ୍ତ ଧାନ କିଣିପାରିବେ। 
 
ସେହିପରି ନୂଆ ମିଲରମାନେ ଯେତିକି ଟଙ୍କା ସିକ୍ୟୁରିଟି ବାବଦକୁ ପୈଠ କରିଥିଲେ ତା’ର ୩ ଗୁଣ ପର୍ଯ୍ୟନ୍ତ ଧାନ କିଣିପାରିବେ। କିନ୍ତୁ ମିଲରମାନେ ଏହି ଟାର୍ଗେଟଠାରୁ ଅଧିକ ଧାନ ଗୋଦାମରେ ଗଚ୍ଛିତ ରଖିଥିବା ଜଣାପଡିଛି । ସରକାର ସ୍ଥିର କରିଥିବା ମୂଲ୍ୟଠାରୁ କମ ମୂଲ୍ୟରେ ମିଲରମାନେ ଚାଷୀଙ୍କ ଠାରୁ ଧାନ କିଣି ଏଭଳି ମାଲାମାଲ ହେଉଥିବା ଜଣାପଡ଼ିଛି। ପୁଣି ଟ୍ରକ୍‌ ଟ୍ରକ୍‌ ଧାନ ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି। ବିଶେଷକରି ଆକଟପାଲୀ ଗେଟ ଏବଂ ଚାଲାଣଗୁଡା ଗେଟ ଦେଇ ଶହ ଶହ ଟ୍ରକ୍‌ରେ ଧାନ ଚାଲାଣ ହେଉଥିବା ପ୍ରଶାସନ ନିିକଟରେ ଖବର ପହଞ୍ଚିଥିଲା। ପରେ ପ୍ରଶାସନ ଏନେଇ ତଦନ୍ତ ଆରମ୍ଭ କରିଛି । ମିଲର ଏବଂ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଏହି ଧାନ ଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ତଦନ୍ତ ବେଳେ ମିଲରଙ୍କ ସବୁ କେଳଙ୍କାରୀ ଧରାପଡିଯିବ ବୋଲି ଉପଜିଲ୍ଲାପାଳ ବିରେନ୍ଦ୍ର କର୍କରା ପ୍ରକାଶ କରିଛନ୍ତି ।
 
ଅପରପକ୍ଷରେ ମିଲ୍‌ ମାଲିକ ସଂଘ ପକ୍ଷରୁ ଏକ ବୈଠକ କରାଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି। ଏଭଳି  ଚଢ଼ାଉ କଲେ ମଣ୍ଡିରୁ ଧାନ ଉଠାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳଙ୍କ ସବୁ ନିର୍ଦେଶ ମାନିବା ପରେ ଆମକୁ ହଇରାଣ କରାଯାଉଛି ବୋଲି ସଂଘ କହିଛି।