23 September 2017
8:05:25 PM
Sambad News
ମାଲକାନଗିରି

ଆସୁନାହାନ୍ତି ଶିକ୍ଷକ, ପିଲାଏ ଖେଳରେ ବ୍ୟସ୍ତ

By Sambad | Date: Jan 5 2017 10:32AM
ଆସୁନାହାନ୍ତି ଶିକ୍ଷକ, ପିଲାଏ ଖେଳରେ ବ୍ୟସ୍ତ

ମାଲକାନଗିରି: ଭୁଶୁଡି ପଡିଛି ମାଲକନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା। ଆଉ ଏହି ସଂପର୍କରେ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଭଲ ରୂପେ ଜାଣିଛନ୍ତି। କିନ୍ତୁ ମୁହଁ ବନ୍ଦ କରି ରହିବାକୁ ବାଧ୍ୟ ହୋଇଛନ୍ତି। ଯାହାଫଳରେ ଦୁର୍ଗମ ଅଂଚଳରେ ଶିକ୍ଷକମ ଆଦୌ ସ୍କୁଲକୁ ଯାଉନାହାନ୍ତି। ଏମିତି ବି କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ପଡିଆ, ଚିତ୍ରକୋଣ୍ଡା ଅଂଚଳରେ ନିଯୁକ୍ତି ପାଇଁ ଅଧିକାଂଶ ଦିନ ମାଲକାନଗିରିରେ ରହୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି କୋରକୋଣ୍ଡା ବ୍ଲକ କୋପାତୁଟି ପଞ୍ଚାୟତ ଅନ୍ତର୍ଗତ ବଡେଙ୍ଗା ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ କେତେ ଜଣ ପିଲା ପଢୁଛନ୍ତି, କେତେ ଜଣ ଶିକ୍ଷକ ଅଛନ୍ତି। ଗ୍ରାମବାସୀ କିମ୍ବା ପିଲମାନେ ଜାଣିନାହାନ୍ତି। ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ରହୁଥିବାରୁ ପିଲମାନେ ମଧ୍ୟ ସ୍କୁଲକୁ ଆସିବାକୁ ପସନ୍ଦ କରୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର ରହିଛି କିନ୍ତୁ ଏହି ରୋଷେଇ ଘରେ କେବେ ଠାରୁ ରୋଷେଇ ହୋଇନାହିଁ ତାହା ଶିକ୍ଷକଙ୍କୁ ହିଁ ଜଣା। କିଛି ପିଲା ପ୍ରତିଦିନ ସ୍କୁଲକୁ ଆସୁଛନ୍ତି, କିନ୍ତୁ ଶିକ୍ଷକ ନଆସିବାରୁ ଖେଳିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ମଧ୍ୟ ଚୁପ ରହିଥିବା ଦେଖିବାକୁ ମିଳିଥିଲା। ଏନେଇ କୋରକୋଣ୍ଡା ବିଇଓ ରାଜାରାଓ ଧୋବାଙ୍କୁ ପଚାରିବାରୁ ପ୍ରଥମେ ସେ ଏ ସ୍କୁଲ ଆମର ନୁହେଁ ବୋଲି କହିଥିଲେ। ପରେ କୋପାତୁଟି ପଞ୍ଚାୟତ କୋରକୋଣ୍ଡା ବ୍ଲକରେ ରହିଥିବା କହିବା ପରେ ସେ ଏହାକୁ ସ୍ୱୀକାର କରିଥିଲେ। ସ୍କୁଲରେ କେତେ ଜଣ ଶିକ୍ଷକ ରହିଛନ୍ତି ବୋଲି ପଚାରିବାରୁ ସେ ଦୁଇ ଜଣ ବୋଲି କହିଥିଲେ।

ହେଲେ ଜଣେ ମଧ୍ୟ ଶିକ୍ଷକ ଏହି ସ୍କୁଲକୁ ଯାଉନଥିବା ଜଣାପଡିଛି। ଗ୍ରାମବାସୀ ନିରୀହ ଏବଂ ନିରକ୍ଷର ହୋଇଥିବାରୁ ପ୍ରାୟତଃ ଏ ସଂପର୍କରେ କାହାକୁ ମଧ୍ୟ ଅଭିଯୋଗ କରୁନଥିବା ଜଣାପଡିଛି। କାଁ ଭାଁ କେବେ ଶିକ୍ଷକମ ସ୍କୁଲକୁ ଆସି କାଗଜପତ୍ର ଠିକ କରିଦେଇ ପୁଣି ଚାଲିଯାଉଥିବା ଜଣାପଡିଛି। ପ୍ରକାଶ ଥାଉକି କିଛି ଦିନ ତେଳେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଡିଇଓ ପ୍ରଶାନ୍ତ କୁମାର ମହାପାତ୍ର ବିଚ୍ଛିନ୍ନାଞ୍ଚଳ ଗସ୍ତ କରିଥିବା ବେଳେ ବହୁ ସ୍କୁଲରେ ଶିକ୍ଷକ ନଥିବା ଦେଖିବାକୁ ପାଇଥିଲେ। ଏହି ପରିଦର୍ଶନ ପରେ ଶ୍ରୀ ମହାପାତ୍ର ୭ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ସେମାନଙ୍କର ଦରମା ବନ୍ଦ କରିଥିବା ଜଣାପଡିଛି। ଏହାସତ୍ୱେ ବି ସ୍ଥିତିରେ ବିଶେଷ ସୁଧାର ଆସିନାହିଁ।

image