21 January 2017
11:48:02 AM
image
Sambad News
ମାଲକାନଗିରି

ଛାତ୍ର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

By Sambad | Date: Jan 5 2017 11:59PM
ଛାତ୍ର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ  ଆଜୀବନ କାରାଦଣ୍ଡ
Photo by : static.dnaindia.com

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାପଡା ଗ୍ରାମର ଜଣେ ଛାତ୍ରକୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ଲଛମି ଦୋରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାର ବିଚାର  କରି ଆଜି  ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବାମା ଶଙ୍କର ମିଶ୍ର ଏହି ରାୟ ଶୁଣାଇଛନ୍ତି।  
 
ସୂଚନା ଅନୁଯାୟୀ ଖଇରପୁଟ ବ୍ଲକର ବଣ୍ଡାପଡା ଗ୍ରାମର ସୋମା ମାନ୍ଦ୍ରାଙ୍କ ପୁଅ ଅକ୍ଷୟ ମାନ୍ଦ୍ରା(୧୮) ମୁଦୁଲିପଡା ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ। ସ୍କୁଲ ଛୁଟି ହୋଇଥିବାରୁ ସେ ଗାଁକୁ ଆସିଥିଲେ।  ୨୦୧୧ ମେ ୧୫ ତାରିଖରେ ଗାଁରେ ବଡ଼ ପରବ ଥିବାରୁ ଅକ୍ଷୟ ସାଙ୍ଗମାନଙ୍କ ସହ ରାତିରେ ଢେମସା ନାଚରେ ମାତିଥିଲେ। ଏହି ସମୟରେ ଅଭିଯୁକ୍ତ ଲଛମି ଦୋରା(୩୬) ଲୁଚିଛପି ଆସି ଏକ ଧାରୁଆ କାତିରେ ଅକ୍ଷୟଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଅକ୍ଷୟ ଟଳିପଡିଥିଲେ। ଲୋକେ କ’ଣ ହେଲା ଜାଣିବା ପୂର୍ବରୁ ଅକ୍ଷୟର ମୃତ୍ୟୁ ହୋଇସାରିଥିଲା। ଅଭିଯୁକ୍ତ ଲଛମି ଦୋରା ଅକ୍ଷୟଙ୍କ ସମ୍ପର୍କୀୟ ହେବେ।
  
ଘଟଣା ପରଦିନ ଅକ୍ଷୟର ସଂପର୍କୀୟ ଭାଇ ମୁଦୁଲିପଡା ଥାନାରେ ଏତଲା ଦାୟର କରିଥିଲା । କେଶ ନମ୍ବର ୧୨/୨୦୧୧କୁ ଭିତ୍ତି କରି ପୋଲିସ ଲଛମିକୁ ଖୋଜିଥିଲା କିନ୍ତୁ ଘଟଣାପରଠାରୁ ଲଛମି ଫେରାର ହୋଇଯାଇଥିଲା। ତେବେ ୨୦୧୬ ଜାନୁଆରି ୧୯ ତାରିଖରେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇିଥିଲା । ଜେରା ବେଳେ ଲଛମି ପୋଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଲଛମିଙ୍କ କହିବା ଅନୁଯାୟୀ ସେମାନେ ହେଲେ ବଣ୍ଡାସମ୍ପ୍ରଦାୟର। ପାଠସାଠ ଠାରୁ ସେମାନେ ବହୁ ଦୂରରରେ। ଅକ୍ଷୟ ପାଠ ପଢୁଥିବାରୁ ଲଛମି ତାଙ୍କୁ ବାରମ୍ବାର ବାରଣ କରିଥିଲେ। ଏନେଇ ସେ ନ ମାନିବାରୁ ଶେଷରେ ତାଙ୍କୁ ସେ ହତ୍ୟା କଲି ବୋଲି ପୋଲିସ ପାଖରେ ଲଛମି ବୟାନ ଦେଇଥିଲେ।  
 
ଲଛମିକୁ ଗିରଫ ପରେ ପୋଲିସ କୋର୍ଟରେ ହାଜର କରିଥିଲା । ଏ ସଂକ୍ରାନ୍ତରେ ସରକାରୀ ଓକିଲ ୧୫ ଜଣ ସାକ୍ଷଙ୍କ ବୟାନ ରେକର୍ଡ କରିଥିଲେ । ସବୁ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଭବାନୀ ଚରଣ ମିଶ୍ର ପରିଚାଳନା କରିଥିଲେ ।