27 June 2017
2:13:34 PM
image
Sambad News
ମାଲକାନଗିରି

ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ଛକାପଞ୍ଝା: ମଣ୍ଡିରୁ ଧାନ ଉଠୁନି, ଚାଷୀ ହନ୍ତସନ୍ତ

ମିଲ୍‌ ଚଢ଼ାଉରେ ପାତର ଅନ୍ତର ଅଭିଯୋଗ ଚଢ଼ାଉ :ସଂପର୍କିତ ତଥ୍ୟକୁ ଗୋପନ ରଖୁଛି ପ୍ରଶାସନ

By Sambad | Date: Jan 7 2017 10:56AM
ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ଛକାପଞ୍ଝା: ମଣ୍ଡିରୁ ଧାନ ଉଠୁନି, ଚାଷୀ ହନ୍ତସନ୍ତ

ମାଲକାନଗିରି: ମାଲକାନଗିରିର ଧାନ ମିଲ୍‌ ଉପରେ ଚଢ଼ାଉ ପରଠରୁ ପ୍ରଶାସନ ଏବଂ ମିଲ୍‌ରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଚଢ଼ାଉ ପରଠାରୁ ମିଲ୍‌ର ମଣ୍ଡିରୁ ଧାନ ଉଠାଉ ନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଏପଟେ ପ୍ରଶାସନ ଚଢ଼ାଉ ବେଳେ ମିଲ୍‌ଗୁଡ଼ିକରୁ କି ପ୍ରକାର ତଥ୍ୟ ପାଇଲା ତାହାକୁ ଗୋପନୀୟ ରଖିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଢ଼ାଉ ସଂପର୍କିତ ତଥ୍ୟ ଲୁଚାଇବା ଘଟଣାରୁ ଅସାଧୁ କାରବାରର ଗନ୍ଧ ବାରି ହେଉଥିବା ଅଭିଯୋଗ ଉଠିଲାଣି। ଏଥିସହ ସହରର ୯ଟି ମିଲ୍‌ ଉପରେ ଚଢ଼ାଉ କରି ୭ଟିକୁ ସିଲ୍‌ କରିଥିବା ବେଳେ ଅନ୍ୟ ୨ଟିରେ ସବୁକିଛି ଠିକ୍‌ ଥିଲା କି ବୋଲି ପ୍ରଶ୍ନ ଉଠୁଛି।

ଜିଲ୍ଲାରେ ୨୦ଟି ମିଲ୍‌ ଥିବା ବେଳେ କେବଳ ୯ଟିରେ କାହିଁକି ଚଢ଼ାଉ ହେଲା ବୋଲି ପ୍ରଶ୍ନ କରି କେତେକ ମିଲର ପ୍ରଶାସନ ବିରୋଧରେ ପାତର ଅନ୍ତର ଅଭିଯୋଗ ମଧ୍ୟ ଆଣିଛନ୍ତି। ଏ ସଂପର୍କରେ ଉପ ଜିଲ୍ଲାପାଳ ବୀରେନ୍ଦ୍ର କର୍କରାଙ୍କୁ ଯୋଗାଯୋଗ କରାଯିବାରୁ ଜିଲ୍ଲାପାଳଙ୍କ ନିର୍ଦେଶରେ ଏହି ଚଢ଼ାଉ କରାଯାଇ ମିଲ୍‌ ସିଲ କରାଯାଇଛି। ମିଲରମାନଙ୍କୁ ମଣ୍ଡିରୁ ଧାନ ଉଠାଇବା ପାଇଁ କୁହାଯାଇଛି। ମିଲ୍‌ଗୁଡ଼ିକରେ ଚଢ଼ାଉ ବେଳେ କ’ଣ ତଥ୍ୟ ସାମନାକୁ ଆସିଛି ତାହା ଗଣମାଧ୍ୟମକୁ କୁହାଯାଇ ପାରିବ ନାହିଁ ବୋଲି ସେ କହିଥିଲେ।
    ଏଠାରେ ଉଲ୍ଲେଖଯୋଗ୍ୟ ମିଲ୍‌ରେ ଟାର୍ଗେଟ ଠାରୁ ଅଧିକ ଧାନ ଗଚ୍ଛିତ ଥିବା ସଂପର୍କରେ ଅଭିଯୋଗ ପାଇ ଉପଜିଲ୍ଲାପାଳ  ଶ୍ରୀ କର୍କରାଙ୍କ ନେତୃତ୍ୱରେ ମାଲକାନଗିରି ସହରର ୯ଟି ମିଲ ଉପରେ ଚଢ଼ାଉ କରାଯାଇଥିଲା।  ଜିଲ୍ଲାରେ ୨୦ଟି ମିଲ୍‌ ଥିବା ବେଳେ ଅନ୍ୟ ମିଲ୍‌ଗୁଡ଼ିକୁ କାହିଁକି ବାଦ୍‌ ଦିଆଗଲା ବୋଲି  ସ୍ୱଭାବିକ ଭାବେ ପ୍ରଶ୍ନ ଉଠିଛି। ପ୍ରଶାସନ ୭ଟି ମିଲର ଗୋଦାମରେ ତାଲା ପକାଇଥିବା ବେଳେ ଅନ୍ୟ ୨ଟିକୁ କାହିଁକି ଛାଡ଼ି ଦିଆଗଲା ବୋଲି ପ୍ରଶ୍ନ ଉଠୁଛି। ତେବେ ଚଢ଼ାଉର ନେତୃତ୍ୱ ନେଇଥିବା ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଏ ନେଇ ନିରବ ରହିଛନ୍ତି। ଜିଲ୍ଲାପାଳ ବାହାରେ ଥିବାରୁ ତାଙ୍କ ଆସିବାକୁ ଅପେକ୍ଷା କରାଯାଇଛି।

ଏହାପରେ ଯାଇ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ କିନ୍ତୁ ମିଲରମାନେ ଅଆଉ ମଣ୍ଡିରୁ ଧାନ ଉଠାଉ ନାହାନ୍ତି। ଫଳରେ ମଣ୍ଡିକୁ ଧାନ ଆଣିଥିବା ଚାଷୀ ଶୀତକାକରରେ ପଡି ଏହାକୁ ଜଗି ରହିଛି।
   

ସୂଚନାଯୋଗ୍ୟ ଯେ ମିଲରମାନେ ଯେତିକି ଟଂକା ସିକ୍ୟୁରିଟି ବାବଦକୁ ପ୍ରଶାସନ ନିକଟରେ ପୈଠ କରିଥିବେ ତାର ୭ ଗୁଣ ପର୍ଯ୍ୟନ୍ତ ଧାନ କିଣି ପାରିବେ । ପ୍ରତ୍ୟେକ ଧାନ ମଣ୍ଡିରେ ଲ୍ୟାମ୍ପ ଅଧିକାରୀଙ୍କ ଧାନ ଗ୍ରହଣ ସଂପର୍କତ (ଏସି ନୋଟ)ପାଇଲା ପରେ ଚାଷୀଙ୍କ ଠାରୁ ଧାନ କିଣାଯାଇ ମିଲରେ ରଖାଯାଉଛି ।ସେହି ଧାନକୁ ହିସାବ କରାଯାଇ ରେଜିଷ୍ଟ୍ରରରେ ଲେଖାଯାଉଛି । ଠିକ୍‌ ସମୟରେ ଏସି ନୋଟ ମିଳୁନଥିବାରୁ ତାହା ପଞ୍ଜିକରଣ କରାଯାଇ ନଥିବା ମିଲରମାନେ କହୁଛନ୍ତି। ତେବେ ସେମାନଙ୍କ କଥାକୁ ପ୍ରଶାସନ ଶୁଣୁନଥିବା ମିଲର ସଂଘ କହିଛି ।

ତେଣ ମାମଲାର ସମାଧାନ ନହେବା ଯାଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାନ କିଣିବେ ନାହିଁ ବୋଲି ମିଲର ସଂଘ ଚେତାବନୀ ଦେଇଛି। ଏଥିସହ ଚଢ଼ାଉ ବେଳେ ମଧ୍ୟ ପ୍ରଶାସନ ପାତରଅନ୍ତର ନୀତି ଆପଣାଉଥିବା ଅଭିଯୋଗ ହୋଇଛି।  ଏହାକୁ ନେଇ ପ୍ରଶାସନ ଉପରେ ମିଲ ମାଲିକ ସଂଘ କ୍ଷୁବ୍ଧ ହୋଇଛି। ଆଜି ମଧ୍ୟ ମିଲ୍‌ ମାଲିକଙ୍କ ସହ ପ୍ରଶାସନର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନି। ଏଭଳି ଛକାପଞ୍ଝା ଭିତରେ ଚାଷୀମାନେ ହଇରାଣ ହେଉଛନ୍ତି। ଯାହା ଜଣାପଡୁଛି ଜିଲ୍ଲାପାଳ  ମାଲକାନଗିରି ଫେରିବା ପରେ ହିଁ ଏହି ବିବାଦରେ ପୂର୍ଣ୍ଣଛେଦ ପଡିବ।