24 July 2017
8:14:31 AM
image
Sambad News
ମାଲକାନଗିରି

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ, ୫ ଶିଶୁ ଉଦ୍ଧାର

By Sambad | Date: Jan 7 2017 10:42PM
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ, ୫ ଶିଶୁ ଉଦ୍ଧାର

ମାଲକାନଗିରି : ମାଲକାନଗିରି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗତ ସାତ ଦିନ ମଧ୍ୟରେ ୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରକାଶ କରିଛନ୍ତି। ଆଜି ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଉଭୟ ଶିଶୁ ଶ୍ରମିକ ମାଥିଲି ବ୍ଲକର ଚାଉଳମେନ୍ଦି ଏବଂ ପଡିଆ ବ୍ଲକ ବାପନପାଲୀ ଗ୍ରାମର ବୋଲି ଜଣାପଡିଛି। ଏହି ଦୁଇ ନାବାଳକ ନିର୍ମାଣ କାମ କରୁଥିବା ବେଳେ ଶିଶୁ ସୁରକ୍ଷା ଅଧିକାରୀ ଉଦ୍ଧାର କରିଥିଲେ।
 
ପୋଲିସର ସହାୟତା ନେଇ ଏହି ଦୁଇ ନାବାଳକଙ୍କୁ ଉଦ୍ଧାର କରିବା ପରେ ଗତ ୩୦ ତାରିଖ ଦିନ ମଧ୍ୟ ବିଭିନ୍ନ ହୋଟେଲରେ ଚଢାଉ କରାଯାଇ ୩ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଉଦ୍ଧାର ହୋଇଥିବା ଏହି ଶିଶୁଙ୍କୁ ଚାଇଲ୍ଡ ଲାଇନରେ ରଖାଯାଇଛି। ଏମାନଙ୍କ ମଧ୍ୟରେ କିଛି ଡ୍ରପଆଉଟ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ସ୍କୁଲରେ ଭର୍ତ୍ତି କରାଯିବ ବୋଲି ଜଣାପଡିଛି। ଏମାନ ବୟସ ଜଣାପଡୁ ନଥିବାରୁ ଡାକ୍ତରଙ୍କ ସାହାଯ୍ୟ ନିଆଯିବ ବୋଲି କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ କରାଯିବ ବୋଲି ଜଣାପଡିଛି।