25 June 2017
8:58:29 AM
Sambad News
ମାଲକାନଗିରି

ମୁଣ୍ଡ ନୁଆଁଇଲା ପ୍ରଶାସନ: ଜବତ ମିଲ୍‌ରୁ ତାଲା ଖୋଲିଲା

By Sambad | Date: Jan 8 2017 5:51AM
ମୁଣ୍ଡ ନୁଆଁଇଲା ପ୍ରଶାସନ: ଜବତ ମିଲ୍‌ରୁ ତାଲା ଖୋଲିଲା

ମାଲକାନଗିରି :  ଟାର୍ଗେଟ ଠାରୁ ମିଲ୍‌ରେ ଅଧିକ ଧାନ ଥିବା ଅଭିଯୋଗରେ ମାଲକାନଗିରି ସହରର ୯ଟି ମିଲ୍‌ ଉପରେ ଚଢ଼ଉ ହେଲା। ୭ଟି ମିଲ୍‌ର ଗୋଦାମରେ ତାଲା ଠୁଙ୍କାହେଲା ଏବଂ ୨ଟି ମିଲ୍‌ ବିରୋଧରେ କିଛି ପଦକ୍ଷେପ ନିଆଗଲାନି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ସହ ମଣ୍ଡିରୁ ଧାନ ଉଠାଇଲେନି ମିଲର। ଚଢ଼ଉ ବେଳେ ମିଲ୍‌ରୁ କ’ଣ ତଥ୍ୟ ସାମନାକୁ ଆସିଲା ତା’କୁ ମଧ୍ୟ ଗୋପନୀୟ ରଖାଗଲା। ଏପଟେ ମିଲରଙ୍କୁ ଡାକି ବୈଠକ ପରେ ବୈଠକ ହେଲା। ହେଲେ ଆଜି ହଠାତ୍‌ ସିଲ୍‌ ହୋଇଥିବା ସବୁ ମିଲ୍‌ରୁ ତାଲା ଖୋଲିଗଲା। ପ୍ରଶାସନର ଏଭଳି ଧାନ ମିଲ୍‌ ଚଢ଼ଉ ଡ୍ରାମାକୁ ନେଇ ସହର ସାରା ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷେ,  କିଛି ଦିନ ହେଲା ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ମିଲରଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି। ମିଲ୍‌ ବନ୍ଦ ଯୋଗୁଁ ମଣ୍ଡିରେ ସୃଷ୍ଟ ଅବ୍ୟବସ୍ଥା ସମ୍ପର୍କରେ  ଜିଲ୍ଲା ବାହାରେ ଥିବା ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ସବୁକିଛି ସୁଧୁରି ଯାଇଛି। 

 
ସୂଚନାନୁଯାୟୀ, ଗତ ଦୁଇ ଦିନ ଧରି ଉପଜିଲ୍ଲାପାଳ ବିରେନ୍ଦ୍ର କର୍କରା ଏବଂ ସିଏସ୍‌ଓ ଅଭିମନ୍ୟୁ ମହାନ୍ତି ବିଭିନ୍ନ ମିଲ୍‌ରେ ଚଢ଼ଉ କରିଥିଲେ। ଏପରିକି କିଛି ମିଲ୍‌କୁ ବି ସିଲ୍‌ କରି ଦେଇଥିଲେ। ଏହାକୁ ନେଇ ମିଲରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ ମିଲର ସଂଘ ଆଉ ମଣ୍ଡିକୁ ଯିବେନାହିଁ ଏବଂ ଧାନ ଉଠାଇବେ ନାହିଁ ବୋଲି ଧମକ ଦେଲେ। ଫଳରେ ମଣ୍ଡିରୁ ବି ଧାନ ଉଠିନଥିଲା। ପରବର୍ତୀ ସମୟରେ ମିଲରମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏହି ଚଢ଼ଉ ହୋଇଥିବାରୁ ଏନେଇ ଜିଲ୍ଲାପାଳ ବିଶେଷ କିଛି ଜାଣି ନଥିବା ବେଳେ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ମିଲରମାନେ କହିଥିଲେ। ସମସ୍ତ ବିଷୟରେ ଜିଲ୍ଲାପାଳ ଅବଗତ ହୋଇ ଗତକାଲି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହାପରେ ଉପଜିଲ୍ଲାପାଳ ଏକ ବୈଠକ ଡକାଇ ସମସ୍ତ ମିଲ୍‌ ମାଲିକଙ୍କୁ ଗୋଦାମ ଘରର ଚାବି ଫେରାଇ ଦେଇଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ମିଲ୍‌ରେ ଚଢ଼ଉ ହୋଇଥିଲା ଏବଂ କାହାର ହସ୍ତକ୍ଷେପ ପରେ ପୁଣି ଜିଲ୍ଲା ପ୍ରଶାସନ ନରମି ଯାଇଛି ବୋଲି ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସମସ୍ତ ଘଟଣାକ୍ରମରେ ଜିଲ୍ଲାପାଳଙ୍କ ନିର୍ଦେଶ ରହିଥିଲା କି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।