17 January 2017
12:40:42 AM
Sambad News
ରାଜ୍ୟ

ଆଶ୍ରମ ସ୍କୁଲରେ ଜାଳେଣି ଅଭାବରୁ ରୋଷେଇ ବନ୍ଦ୍‌ : ମୁଢ଼ି ଖାଇ ରହିଲେ ୨୩୦ ଛାତ୍ରୀ

By Sambad | Date: Dec 27 2016 10:33PM
ଆଶ୍ରମ ସ୍କୁଲରେ ଜାଳେଣି ଅଭାବରୁ ରୋଷେଇ ବନ୍ଦ୍‌ : ମୁଢ଼ି ଖାଇ ରହିଲେ ୨୩୦ ଛାତ୍ରୀ

ଚିତ୍ରଡ଼ା : ଜାଳେଣି ନଥିଲା। ଖାଦ୍ୟ ରୋଷେଇ ବନ୍ଦ ହୋଇଗଲା। ଖାଇବାକୁ କିଛି ନାହିଁ। ବାଧ୍ୟହୋଇ ରାତିସାରା ଉପାସରେ ରହିଲେ ୨୩୦ ଛାତ୍ରୀ। ଭୋକ ସହି ନପାରିବାରୁ ହଷ୍ଟେଲ କର୍ତୃପକ୍ଷ ବିଳମ୍ବିତ ରାତିରେ ସେମାନଙ୍କୁ ମୁଢ଼ି ଖାଇବାକୁ ଦେଲେ। 
 
ଆଦିବାସୀ କଲ୍ୟାଣ ବିଭାଗ ପରିଚାଳିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ନିଚୁଆପଦା ଆଶ୍ରମ ବିଦ୍ୟାଳୟରେ ଘଟିଛି ଏଭଳି ଅବ୍ୟବସ୍ଥା। ରାତିରେ ମୁଢ଼ି ଖାଇ ଛାତ୍ରମାନେ ଶୋଇବା ଘଟଣାକୁ ନେଇ ଆଜି ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଭାବକମାନେ ଏହା ଜାଣିବା ପରେ କ୍ଷୁବ୍ଧ ହୋଇଛନ୍ତି। ସେମାନେ ହଷ୍ଟେଲ କର୍ତୃପକ୍ଷଙ୍କୁ ଏନେଇ ପ୍ରତିବାଦ ଜଣାଇଛନ୍ତି। 
 
ସେମାନଙ୍କ ଅଭିଯୋଗ; ଏତେ ପିଲା ଛାତ୍ରୀନିବାସରେ ରହୁଥିଲେ ହେଁ ସୁପରିଣ୍ଟେଣ୍ଡେଣ୍ଟ୍‌ ସେଠାରେ ନରହି ରହୁଛନ୍ତି ବାରିପଦାରେ। ଦାୟିତ୍ୱ ନେବାକୁ କେହି ରହୁ ନଥିବାରୁ ପିଲାମାନେ ଗତକାଲି ରାତିରେ ଭାତ ଖାଇବାକୁ ପାଇଲେ ନାହିଁ। ତା’ଛଡ଼ା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସାବୁନ, ତେଲ ଆଦି ଦରକାରଠାରୁ କମ୍‌ ଦିଆଯାଉଛି। ମାନସିକ ନିର୍ଯାତନା ଦିଆଯାଉଥିବା ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏଭଳି ଦାୟିତ୍ୱହୀନତା ପାଇଁ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମ୍ବିକା ନାୟକ ଓ ମ୍ୟାଟ୍ରନଙ୍କୁ ତୁରନ୍ତ ବଦଳି କରିବା ଲାଗି ସ୍କୁଲ ପରିଚାଳନା କମିଟି ସଭାପତି ଜାନକୀ ମାର୍ଣ୍ଡିଙ୍କ ସମେତ ରାଇମଣି ମାର୍ଣ୍ଡି, ରାଇମଣି ସୋରେନ ଓ ଅନ୍ୟ ଅଭିଭାବକମାନେ ଦାବି ଜଣାଇଛନ୍ତି। 
 
ଏ ସଂପର୍କରେ ଡବ୍‌ଲ୍ୟୁଇଓ କୃପାସିନ୍ଧୁ ବେହେରାଙ୍କୁ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରାଯିବ ଓ ଦାୟିତ୍ୱରେ ଖିଲାପ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସୁପରିଣ୍ଟେଣ୍ଡେଣ୍ଟ୍‌ ଅମ୍ବିକା ନାୟକଙ୍କ କହିବାନୁସାରେ ସେ ବାରିପଦାରେ ଥିଲେ। ହଷ୍ଟେଲରେ କାଠ ନଥିବାରୁ ରାତିରେ ରୋଷେଇ ହୋଇପାରି ନଥିଲା। ଫଳରେ ପିଲାଙ୍କୁ ମୁଢ଼ି ଖାଇବାକୁ ଦିଆ ଯାଇଥିଲା।