20 February 2017
12:21:27 AM
Sambad News
ମୟୂରଭଞ୍ଜ

ଲାଞ୍ଚୁଆ ଫାଣ୍ଡି ଅଧିକାରୀଙ୍କୁ ବର୍ଷେ ଜେଲ୍‌

By Sambad | Date: Dec 27 2016 10:45PM
ଲାଞ୍ଚୁଆ ଫାଣ୍ଡି ଅଧିକାରୀଙ୍କୁ ବର୍ଷେ ଜେଲ୍‌
Photo by : timesofindia.indiatimes.com

ବାରିପଦା : ଆଜି ବାରିପଦା ଭିଜିଲାନ୍‌ସ କୋର୍ଟ ଏକ ଭିଜିଲାନ୍‌ସ ମାମଲାର ବିଚାର କରି ଲାଞ୍ଚୁଆ ଫାଣ୍ଡି ଅଧିକାରୀଙ୍କୁ ବର୍ଷେ ଜେଲ୍‌ ସହିତ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦାୟ ଅଧିକ ଏକ ମାସ ଜେଲ୍‌ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
 
୨୦୦୬ ମେ ୨୭ ତାରିଖରେ ରରୁଆଁ ଥାନା ପରବେଡ଼ା ଗାଁରେ ଧୁଳିଆ ଗିରି ଓ ତାଙ୍କ ପଡ଼ୋଶୀ ଶାନ୍ତନୁ ଗିରିଙ୍କ ମଧ୍ୟରେ ଜମି ବିବାଦରୁ ଗଣ୍ଡଗୋଳ ହୋଇଥିଲା। ଶାନ୍ତନୁ ଗିରି ଓ ତାଙ୍କ ପତ୍ନୀ ମିଶି ଧୁଳିଆଙ୍କୁ ମାଡ଼ ମାରିଥିଲେ। ଏ ନେଇ ଧୁଳିଆ ଘାଗରବେଡ଼ା ଫାଣ୍ଡିରେ ଏତଲା ଦେଇଥିଲେ। ଅପରପକ୍ଷେ, ଧୁଳିଆଙ୍କୁ ମାଡ଼ ମାରିଥିବା ଶାନ୍ତନୁ ଗିରି ମଧ୍ୟ ପାଲଟା ଏତଲା ଦେଇଥିଲେ। ଶାନ୍ତନୁ ଗିରି ବିରୋଧରେ କଡ଼ା ଦଫା ଲଗାଇବା ପାଇଁ ଧୁଳିଆଙ୍କୁ ନଗଦ ୧୦ ହଜାର ଟଙ୍କା ମାଗିଥିଲେ ଫାଣ୍ଡି ଅଧିକାରୀ ପୀତାମ୍ବର ମହାପାତ୍ର।
 
ମୁଲଚାଲ ପରେ ୫ ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଲା। ଧୁଳିଆଙ୍କଠାରୁ ଏହି ଟଙ୍କା ନେଲାବେଳେ ଫାଣ୍ଡି ଅଧିକାରୀ ପୀତାମ୍ବର ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ। ଏନେଇ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ମାମଲା (ଭିଜିଆର୍‌ ୧୬/୨୦୦୬) ରୁଜୁ ହୋଇଥଇଲା। ଆଜି ଏହାର ବିଚାର କରି ଭିଜିଲାନ୍‌ସ ଜଜ୍‌ ତାରା ପ୍ରସାଦ ରଥ ଫାଣ୍ଡି ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ମାମଲାଟିକୁ ପରିଚାଳନା କରିିଥିଲେ।