25 May 2017
4:55:48 AM
image
Sambad News
ମୟୂରଭଞ୍ଜ

ବ୍ଲକ୍‌ ଶିକ୍ଷା ବିଭାଗ କିରାଣିଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ

By Sambad | Date: Dec 29 2016 12:29AM
ବ୍ଲକ୍‌ ଶିକ୍ଷା ବିଭାଗ କିରାଣିଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ
Photo by : f.a7.org

ବାରିପଦା : ଉଦଳା ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଅଫିସ୍‌ କିରାଣି ଜୟକୃଷ୍ଣ ମହାପାତ୍ରଙ୍କୁ ବାରିପଦା ଭିଜିଲାନ୍‌ସ କୋର୍ଟ ବର୍ଷେ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଆଜି ଏହି ଲଞ୍ଚ ମାମଲାର ରାୟ ପ୍ରକାଶ ପାଇଛି। ରାୟରେ ଶ୍ରୀ ମହାପାତ୍ରଙ୍କୁ ଏଥିସହ ୨ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦାୟ ରହିଲେ ଅଧିକ ଦୁଇ ମାସ ଜେଲ୍‌ ଭୋଗିବାକୁ କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। 
 
ତତ୍‌କାଳୀନ ଉଦଳା ଡିଆଇ ଅଫିସ (ବର୍ତ୍ତମାନର ବ୍ଲକ୍‌ ଏଜୁକେଶନ ଅଫିସ)ର କିରାଣି ଜୟକୃଷ୍ଣ ମହାପାତ୍ର କପ୍ତିପଦା ଥାନା ଅନ୍ତର୍ଗତ ଶାଳଚୁଆ ଗାଁ ଶିକ୍ଷା କମିଟିର ଜଣେ ସଦସ୍ୟ ଜଗନ୍ନାଥ ଜେନାଙ୍କଠାରୁ ୩୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ। ଶାଳଚୁଆ ମଧ୍ୟଇଂରାଜି ବିଦ୍ୟାଳୟର ଜଣେ ଶିକ୍ଷକ ସୁଶୀଲ କୁମାର ଘୋଷଙ୍କୁ ସେତେବେଳେ ଉଦଳା ଡିଆଇ ଅଫିସକୁ ଡେପୁଟେସନରେ ପଠାଇ ଦିଆଯାଇଥିଲା। ଏହାଫଳରେ ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଏହାକୁ ଲକ୍ଷ୍ୟ କରି ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ପକ୍ଷରୁ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଡିଆଇ ଅଫିସ ଉପରେ ଚାପ ପକାଯାଉଥିଲା। ବିଦ୍ୟାଳୟ କମିଟିର ସଦସ୍ୟ ଜଗନ୍ନାଥ ଜେନା ଏନେଇ କିରାଣି ଜୟକୃଷ୍ଣଙ୍କ ସହ ପରାମର୍ଶ କରିିିଥିଲେ। ମାତ୍ର କିରାଣି ଜୟକୃଷ୍ଣ ୩୦୦ ଟଙ୍କା ନେଲେ କାମ କରିଦେବେ ବୋଲି କହିଥିଲେ। 
 
କିରାଣିଙ୍କ କଥାବାର୍ତ୍ତା ଅନୁଯାୟୀ ଗତ ୨୦.୧୧.୨୦୦୬ରେ ଜଗନ୍ନାଥ ଜେନା ତାଙ୍କୁ ୩୦୦ ଟଙ୍କା ଲାଞ୍ଚ ଦେଇଥିଲେ। ଏବଂ  ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ କିରାଣି। ଏ ନେଇ ଭିଜିଲାନ୍‌ସ ମାମଲା (ଭିଜିଆର୍‌ କେସ ନଂ ୨୨/୨୦୦୬) ରୁଜୁ ହୋଇଥିଲା। ଆଜି ବିଚାରପତି ତାରାପ୍ରସାଦ ରଥ ଶୁଣାଣି କରି ଏହି ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ମାମଲା ପରିଚାଳନା କରିିଥିଲେ।

image