21 August 2017
2:00:32 PM
image
Sambad News
ମୟୂରଭଞ୍ଜ

ବେସାହାରା ତିନି ଅନାଥ ଭଉଣୀ

By Sambad | Date: Dec 29 2016 11:12AM
ବେସାହାରା ତିନି ଅନାଥ ଭଉଣୀ


ବିଶୋଇ: ତିନିବର୍ଷ ତଳେ ମା’ ଆରପାରିକୁ ଚାଲିଯାଇଥିଲେ। ବାପା ବି ଗତ ୨ ମାସ ତଳେ ଚାଲିଗଲେ। ବେସାହାରା ହୋଇଗଲେ ୩ ଭଉଣୀ। ସରକାରୀ ଯୋଜନା ତାଙ୍କଠି ଅପହଞ୍ଚ ହୋଇଥିବା ବେଳେ ବାପା ମରିଗଲା ପରେ ହରିଶ୍ଚନ୍ଦ୍ର ସହାୟତା ବି ତାଙ୍କୁ ମିଳିଲାନି। ୧୩ ବର୍ଷୀୟା ବଡ଼ ଭଉଣୀର କୋମଳ କାନ୍ଧ ଉପରେ ପଡ଼ଲା  ୮ ବର୍ଷ ଓ ୪ ବର୍ଷର ୨ ଭଉଣୀଙ୍କ ବୋଝ। ଏକ ଭଙ୍ଗା ଦଦରା ଘରେ କକାଖୁଡ଼ୀଙ୍କ ଦୟାରେ ରହିଛନ୍ତି ୩ ଭଉଣୀ। କକାଙ୍କ ପରିସ୍ଥିତି ବି ସହଜ ନୁହେଁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବିଶୋଇ ବ୍ଲକ ଅଶନା ପଞ୍ଚାୟତର ବାଙ୍କିଡିହି ଗ୍ରାମରେ।

ଏହି ଗ୍ରାମର ସହଦେବ ପାତ୍ର(୫୦)ଙ୍କ ପତ୍ନୀ ୩ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ସେବେଠାରୁ ଦୁଇ ଦୁଗ୍‌ଧପୋଷ୍ୟ ଓ ଆଉ ଜଣେ ସାମାନ୍ୟ ବଡ଼ ଝିଅକୁ ନେଇ ସହଦେବ ଚଳି ଆସୁଥିଲେ। ମାତ୍ର ଗତ ୨ ମାସ ତଳେ ସେ ବି ଚାଲିଗଲେ ଆରପାରିକୁ ୧୩, ୮ ଓ ୪ ବର୍ଷର ୩ ଝିଅଙ୍କୁ ଛାଡ଼ି। ବଡ଼ ଝିଅ ସାନଟିର ଦାୟିତ୍ୱ ବୁଝୁଥିବା ବେଳେ ମଝିଅାଁ ଝିଅଟି ୩ୟ ଶ୍ରେଣୀରେ ପଢ଼େ।

ବାପା ମରିଗଲା ପରେ ଝିଅମାନେ ସହାୟତା ପାଇଁ ପଞ୍ଚାୟତର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରୁ କିଛି ସହାୟତା ମିଳିନାହିଁ ବୋଲି ସୂଚନା ମିଳିଛି। ନିଜର କକାଖୁଡ଼ୀଙ୍କ ପାଖରେ ଭଙ୍ଗା ଦଦରା ଘରେ ରହୁଥିବା ଝିଅଙ୍କ ବୋଝ କକାଖୁଡ଼ୀ ବି ବେଶି ଦିନ ତୁଲାଇ ପାରିବେ ନାହିଁ ଖୁଡ଼ୀ କହିଛନ୍ତି। ଏପରିସ୍ଥଳେ ଏହି ଅନାଥ ଭଉଣୀଙ୍କ କଥା କିଏ ବୁଝିବ ବୋଲି ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ୩ ଭଉଣୀଙ୍କୁ ଥଇଥାନ କରି ସେମାନଙ୍କ ପାଠପଢ଼ାର ସୁବନ୍ଦୋବସ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।