26 May 2017
10:25:00 PM
image
Sambad News
ମୟୂରଭଞ୍ଜ

ମଦ ବିରୋଧରେ ଅବକାରୀ କାର୍ଯ୍ୟାଳୟ ଘେରଉ କଲେ ମହିଳା

By Sambad | Date: Dec 31 2016 11:42AM
ମଦ ବିରୋଧରେ ଅବକାରୀ କାର୍ଯ୍ୟାଳୟ ଘେରଉ କଲେ ମହିଳା

ଉଦଳା/ଉଦଳା: କପ୍ତିପଦା ଅଞ୍ଚଳରୁ ଶତାଧିକ ମହିଳା ଉଦଳା ଅବକାରୀ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରକାଶ ଯେ, କପ୍ତିପଦା ଉପଖଣ୍ଡ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଏଠାରେ ଦିନକୁ ଦିନ ଚୋରା ବେଆଇନ ମଦ କାରବାର ବଢିବାରେ ଲାଗିଛି । ଯାହାକି କପ୍ତିପଦା ଥାନା ଅଞ୍ଚଳରେ ଏହି ଚୋରା ମଦ ବେପାରୀମାନେ ବେଶ୍‌ ସକ୍ରିୟ ହୋଇ ପଡିଥିବାବେଳେ ବେଧଡକ ମଦ କାରବାର ଚଳାଇଛନ୍ତି । ଯାହା ଅଞ୍ଚଳରେ ବସବାସ କରୁଥିବା ଅନେକ ଲୋକଙ୍କ କଳହ ଲାଗି ରହିବାରୁ ସଂସାର ଉଜୁଡିବାକୁ ବସିଲାଣି।

ନିଶାସକ୍ତ ହୋଇ ପରିବାରରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଅର୍ଜିତ ଟଙ୍କାକୁ ମଦ ପିଇବାରେ ଖର୍ଚ୍ଚ କରି ଦେଉଥିବା ବେଳେ ଘରେ ଅଭାବ ଅନଟନ ଲାଗି ରହୁଛି । ଏମିତି କି ପିଇ ବହୁ ଲୋକଙ୍କ ଅକାଳରେ ମୃତ୍ୟୁ ମଧ୍ୟ ଘଟୁଛି। ଦିନକୁ ଦିନ ମଦ କାରବାର ବଢିବା ଚାଲିଥିବାବେଳେ ଏହାକୁ ରୋକିବା ନିମନ୍ତେ ସ୍ଥାନୀୟ ମହିଳା ମୁହଁ ଖୋଲିଛନ୍ତି। ହେଲେ ସ୍ଥାନୀୟ ଅବକାରୀ ବିଭାଗ ଏବଂ ଥାନାକୁ ମଧ୍ୟ ସୂଚନା ଦେଇଥିଲେ ହେଁ ବିଭାଗ ଏଥିପ୍ରତି ଗୁରୁତ୍ୱ ନ ଦେଇ ମଦ ମାଫିଆଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛନ୍ତି। କପ୍ତିପଦା ଅଞ୍ଚଳର ରଥଦାଣ୍ଡ, ସୁଣ୍ଡଳସାହି, ସେରାଲସାହି, ଗୟଳମରା, ମଝିଗଡିଆ, ଶାଳଚୁଆ, ଜାମବଣି, ମାଙ୍ଗଡପଡା, ବଡଖଲାଡି, ଗେଣ୍ଡାଗଡିଆ, ଗୌଡଗାଁ, ନଛିପୁର, ଜେଏସ୍‌ ଜାମୁଡିହା, ପୋଡାଡିହା  ଆଦି ଅଞ୍ଚଳରେ ଏହି ମଦ କାରବାର ଚାଲିଛି ।

ତେବେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ ଉକ୍ତ ମଦ ବ୍ୟବସାୟୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶେଷରେ ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନର କର୍ମକର୍ତ୍ତାଙ୍କ ସମେତ କପ୍ତିପଦା ଅଞ୍ଚଳର ଶତାଧିକ ମହିଳା ଏକଜୁଟ ହୋଇ ଉଦଳା ଅବକାରୀ କାର୍ଯ୍ୟାଳୟ ଘେରାଉ କରିବା ସହିତ ଧାରଣା ଦେଇଥିଲେ। ମହିଳାଙ୍କ ଏହି ବିକ୍ଷୋଭ ବେଳେ ସ୍ଥାନୀୟ ଅବକାରୀ ସବଇନ୍ସପେକ୍ଟର ଶ୍ରୀନିବାସ ସାହୁ ଏବଂ କର୍ମଚାରୀ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି।

ପରେ ଅବକାରୀ ସବ୍‌ଇନ୍ସପେକ୍ଟର ଧାରଣାକାରୀଙ୍କ ସହହ ବୁଝାସୁଝା କରିବାା ସହ କପ୍ତିପଦା ଅଞ୍ଚଳରେ ହେଉଥିବା ଚୋରା ମଦ କାରବାର ରୋକିବା ଦିଗରେ ବିଶେଷ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସସ୍ମିତା ପତି, କନକଲତା ମହୁରିଆ, ବିଜୁଳି ମଳିକ, ସରସ୍ୱତୀ ଦେହୁରୀ, କୁନି ଖିଲାର, ଶୁନିମଣି ମାଝୀ, ସୁକାନ୍ତି ସୋରେନ୍‌, ମାଳତୀ ଦାସ, ପଷ୍ପା ଗିରି, ଶିବାନୀ ଖଣ୍ଡେଇ, ଭାରତୀ ଦାସ, ଗଣତାନ୍ତ୍ରିକ ମହିଳା ସଙ୍ଗଠନର ସଂଯୋଜକ ମନମୋହନ ମିଶ୍ର, ନବଘନ ପରିଡାଙ୍କ ସମେତ କପ୍ତିପଦା ଅଞ୍ଚଳର ଶତାଧିକ ମହିଳା ସାମିଲ ହୋଇଥିଲେ।

image