19 September 2017
5:13:18 PM
Sambad News
ରାଜ୍ୟ

କୁଲଡିହା ଅଭୟାରଣ୍ୟରେ ବିସ୍ଫୋରକ !

ଅଜଣା ବସ୍ତୁ ବିସ୍ଫୋରଣରେ ମହିଳାଙ୍କ ସମେତ ୨ ଶିଶୁ ଗୁରୁତର

By Sambad | Date: Dec 31 2016 10:39PM
କୁଲଡିହା ଅଭୟାରଣ୍ୟରେ ବିସ୍ଫୋରକ !

ଘଟଣା କେଉଁ ଥାନା ଓ ଫରେଷ୍ଟ ରେଂଜ ଅଧୀନରେ ବିବାଦ ତୁଟୁନି
 
ନୂଆସାହି : ଅଜଣା ବିସ୍ଫୋରକ ବିସ୍ଫୋରଣରେ ମାଆ ଓ ୨ ଶିଶୁ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଲିକୁ ନାଏକଙ୍କ ପତ୍ନୀ ପଦ୍ମାବତୀ(୩୦), ପୁଅ ସମୀର(୮) ଓ ଝିଅ ରାକ୍ଷୀ(୩)। ଘଟଣା ଘଟିଛି କପ୍ତିପଦା ବ୍ଲକ ଅନ୍ତର୍ଗତ ମାଙ୍କଡପଡ଼ା ପଞ୍ଚାୟତକୁ ଲାଗି ରହିଥିବା ଚେମଚଟା ପାହାଡ଼ ପାଦଦେଶରେ କୁଲଡିହା ଅଭୟାରଣ୍ୟ ଭିତରେ। ଗ୍ରାମବାସୀଙ୍କ ସହଯୋଗରେ ଆହତମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ସ୍ଥାନାନ୍ତର କରାଯାଇଛି। 
 
ଖବରରୁ ପ୍ରକାଶ ଯେ, ଚେମଚଟା ପାହାଡ ଉପରେ ଲୋଧା ସଂପ୍ରଦାୟର ୨୭ ପରିବାର ବସବାସ କରନ୍ତି। ଆଜି ଲିକୁ ନାଏକଙ୍କ ପତ୍ନୀ ପଦ୍ମାବତୀ ଜାଳେଣି କାଠ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସାଙ୍ଗରେ ଶିଶୁପୁତ୍ର ସମୀର ମଧ୍ୟ ଯାଇଥିଲେ। ତେବେ ଜାଳେଣି କାଠ ସଂଗ୍ରହ ସମୟରେ ପଦ୍ମାବତୀଙ୍କ ପୁଅ ସମୀର ଏକ ସ୍ଥାନରେ ୩ଟି ଅଜଣା ବସ୍ତୁ ପଡିଥିବାର ଦେଖି ସେଥିମଧ୍ୟରୁ ଗୋଟିକୁ ଘରକୁ ନେଇ ଆସିଥିଲେ। ଘରେ ଆଣି ତାକୁ ଖେଳୁଥିବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଫଳରେ ୮ ବର୍ଷୀୟ ସମୀର ଗୁରତର ଆହତ ହେବା ସହିତ ନିକଟରେ ଥିବା ଭଉଣୀ ରାକ୍ଷୀ(୩) ଓ ମାଆ ପଦ୍ମାବତୀ ମଧ୍ୟ ଗୁରୁତର ହୋଇଥିଲେ। 
 
ଶବ୍ଦ ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚ ସେମାନଙ୍କ ଚିକିତ୍ସା ପାଇଁ ତୁରନ୍ତ ଉଦଳା ନେଇଥିଲେ। ଖବର ପାଇଁ କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚ ଘଟଣାର ଅନୁଧ୍ୟାନ କରିଥିଲା। ଚେମଚଟା ଜଙ୍ଗଲର ଉପରଭାଗ କୁଲଡିହା ଅଭୟାରଣ୍ୟ ପରିସୀମା ମଧ୍ୟରେ ରହୁଥିବାବେଳେ ଏହି ବିସ୍ଫୋରକ ସାମଗ୍ରୀ କେଉଁ ପରିସ୍ଥିତିରେ ଅଭୟାରଣ୍ୟ ଭିତରକୁ ଆସିଲା ତାହା ତଦନ୍ତ ସାପେକ୍ଷ। ଅନ୍ୟ ଦୁଇଟି ବିସ୍ଫୋରକ ମଧ୍ୟ ଜଙ୍ଗଲ ଭିତରେ ପଡିରହିଥିବାର ଦେଖାଯାଇଛ। ବିସ୍ଫୋରକ ବସ୍ତୁ ଉପରେ ଇଂରାଜୀରେ ଏହା ‘ଉଚ୍ଚ କ୍ଷମତା ସଂପୂର୍ଣ୍ଣ ଦହନଶୀଳ’ ଲେଖାଯାଇଛି। 
 
ତେବେ ଦୁର୍ଘଟଣା ଘଟିଥିବା ଅଞ୍ଚଳ କପ୍ତିପଦା ଥାନା ଅଧୀନରେ ଆସୁନଥିବାରୁ କପ୍ତିପଦା ପୋଲିସ ନୀଳଗିରି ପୁଲିସକୁ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ଦେଇ କାମ ସାରିଦେଇଛି। ନୀଳଗିରି ପୁଲିସ ମଧ୍ୟ ଏହା କପ୍ତିପଦା ଥାନା ଅଧୀନରେ ଯାଉଛି ବୋଲି ସଫେଇ ଦେଇଛନ୍ତି। ସେହିପରି କପ୍ତିପଦା ରେଂଜର ଏହା ଆମ ଅଞ୍ଚଳରେ ଆସୁ ନଥିବାର କହିଥିବା ବେଳେ ଝରଣଘାଟି ଫରେଷ୍ଟର ଏହା କପ୍ତିପଦା ବନବିଭାଗ ଅଧୀନରେ ଅଛି ବୋଲି କହିଛନ୍ତି। ଅଭୟାରଣ୍ୟ ଭିତରେ ବିସ୍ଫୋରକ ରହିବା ଏକ  ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାବେଳେ ଘଟଣାସ୍ଥଳକୁ ନେଇ ଦୁଇ ଥାନା ଓ ଦୁଇ ବନବିଭାଗ ମଧ୍ୟରେ ଠେଲାପେଲା ଲାଗିଛି। 
 
ଅପରପକ୍ଷରେ ବିସ୍ଫୋରଣରେ ଗୁରୁତର ଆହତମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସାଧାରଣରେ ଦାବି ହେଉଛି। ସେହିପରି ଅଭୟାରଣ୍ୟ ଭିତରେ ବିସ୍ଫୋରକ ବସ୍ତୁ ସମ୍ବନ୍ଧରେ ଅଧିକ ତଦନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

image