23 February 2017
5:50:10 AM
Sambad News
ମୟୂରଭଞ୍ଜ

ବାଲି ମାଫିଆଙ୍କୁ ଡରୁଛି ପୁଲିସ!

ଚିତ୍ତ ଗିରି ହତ୍ୟା ମାମଲା

By Sambad | Date: Jan 3 2017 7:13AM
ବାଲି ମାଫିଆଙ୍କୁ ଡରୁଛି ପୁଲିସ!

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ସାକୁଆ ଗାଁର ବହୁଚର୍ଚ୍ଚିତ ଚିତ୍ତ ଗିରି ହତ୍ୟା ମାମଲାକୁ ମାସେ ପୂରିବାକୁ ବସିଲାଣି। ମାତ୍ର ପୁଲିସ ଏଯାଏ ହତ୍ୟାକାରୀଙ୍କୁ ଧରିବାକୁ ସାହସ ଜୁଟାଇ ପାରିନାହିିଁ। ଏହି ହତ୍ୟାକାଣ୍ଡ ଘଟଣାରେ ମୋଟ ୧୦ ଜଣ ବାଲି ମାଫିଆଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ମାତ୍ର ଜଣେ ନାବାଳକ ଅଭିଯୁକ୍ତକୁ ଧରି ଚୁପ୍‌ ବସିଯାଇଛି। ଅନ୍ୟ ୯ ଜଣ ବାଲି ମାଫିଆ ସେ ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୁଲିସ ସେମାନଙ୍କ ଦେହରେ ଟିପ ଲଗାଇବାକୁ ସାହସ ଜୁଟାଇପାରୁନାହିିଁ ବୋଲି ଚର୍ଚ୍ଚା ଜୋର ଧରିଛି।

ମୃତ  ଚିତ୍ତରଂଜନ ଗିରିଙ୍କ ପତ୍ନୀ ସୁମିତ୍ରା ଗିରି ଏନେଇ ଆଜି ମୟୂରଭଞ୍ଜ ଏସ୍‌ପି ଓ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।
ଗତ ୨୦୧୬ ଡିସେମ୍ବର ୧୩ ତାରିଖ ଦିନ ବଡ଼ସାହି ଥାନା ଅନ୍ତର୍ଗତ ସାକୁଆ ଗ୍ରାମର ଚିତ୍ତରଂଜନ ଗିରିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ। ଚିତ୍ତରଂଜନ ଜଣେ ବସ୍‌ ଡ୍ରାଇଭର। ଘଟଣା ଦିନ ସେ ବାରିପଦାରେ ବସ୍‌ ରଖି ସେହି ରାତିରେ ନିଜ ବାଇକ୍‌ରେ ନିଜ ଗାଁ ସାକୁଆକୁ ଏକାକୀ ଫେରୁଥିଲେ। ବାଟରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ପତ୍ନୀଙ୍କ ଏନେଇ ୧୦ ଜଣଙ୍କ ବିରୋଧରେ ବଡ଼ସାହି ଥାନାରେ ଏତଲା ଦେଇଥିଲେ।

ନଦୀରୁ ବାଲି ଉଠାଣକୁ କେନ୍ଦ୍ର କରି ତାଙ୍କ ସ୍ୱାମୀଙ୍କ ସହ କିଛି ସ୍ଥାନୀୟ ଲୋକଙ୍କ ଶତ୍ରୁତା ରହିଥିଲା। ସେମାନେ ପୂର୍ବରୁ ବହୁବାର ତାଙ୍କ ସ୍ୱାମୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ମାତ୍ର ସଫଳ ହୋଇନଥିଲେ। ଡିସେମ୍ବର ୧୩ରେ ସେମାନେ ସଫଳ ହୋଇଥିଲେ। ମୃତ ଚିତ୍ତ ଗିରିଙ୍କ ପତ୍ନୀ ୮ ମାସର ଗର୍ଭବତୀ ଅଛନ୍ତି। ଏଣୁ ତାଙ୍କ ମାନସିକ ଭାରସାମ୍ୟ ଠିକ୍‌ ରହୁ ନଥିବାରୁ ଆଜି ମୃତ ଚିତ୍ତ ଗିରିଙ୍କ ସାନଭାଇ ତାପସ କୁମାର ଗିରି ଆଜି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ପରିସ୍ଥିତି ସଂପର୍କରେ ଜଣାଇଛନ୍ତି। ଦୁର୍ବୃତ୍ତମାନେ ଏବେ ତାଙ୍କ ଭାଉଜଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିବା ସେ ଜଣାଇଛନ୍ତି।
 

ସୁମିତ୍ରା ଗିରି ବଡ଼ସାହି ଥାନାରେ ହେମନ୍ତ ମହାପାତ୍ର, ଦିଗନ୍ତ ମହାପାତ୍ର, ବାବୁଲି ସାହୁ, ସୋନା ସାହୁ, ଗଣେଶ୍ୱର ଗିରି, ଲିପୁ ଗିରି, ସଞ୍ଜୟ ବାରିକ, ପ୍ରତାପ ବାରିକ, ପ୍ରଫୁଲ୍ଲ ବାରିକ, ମାନିଆ ବାରିକଙ୍କ ନାମରେ ଏତଲା ଦେଇଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ଜଣକୁ ଗିରଫ କରାଯାଇଛି। ୯ ଜଣ ଫେରାର୍‌ ଥିବା ପୁଲିସ କହୁଛି। ଏନେଇ ଏସ୍‌ପି ଆର୍‌. ପ୍ରକାଶଙ୍କ ଯୋଗାଯୋଗ କରାଯିବାରୁ ଉକ୍ତ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।