22 February 2017
9:23:05 AM
Sambad News
ରାଜ୍ୟ

ଝିଅର ଶବ ଧରି ବସ୍‌କୁ ଅପେକ୍ଷା କଲେ ବାପା

By Sambad | Date: Jan 4 2017 9:39PM
ଝିଅର ଶବ ଧରି ବସ୍‌କୁ ଅପେକ୍ଷା କଲେ ବାପା

କରଂଜିଆ : କରଂଜିଆ ବସ୍‌ଷ୍ଟାଣ୍ଡରେ ଆଜି ଏକ ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଅସହାୟ ବାପା ନିଜ ଝିଅର ଶବକୁ ଧରି ବସ୍‌କୁ ଅପେକ୍ଷ କରିଥିଲେ। ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ନଜର ପଡ଼ିବା ପରେ ସେମାନଙ୍କ ସହାୟତାରେ ତାଙ୍କୁ ଗାଡ଼ି ମିଳିଥିଲା। 
 
ଘଟଣାରୁ ପ୍ରକାଶ ଯେ, ଯଶିପୁର ଥାନା ମାହାର୍ଦ୍ଦପଳସା ଗ୍ରାମର ବନମାଳୀ ହୋଙ୍କ ଝିଅ ସୁନି (୧୧)କୁ ଜର ହୋଇଥିଲା। ବନମାଳୀ ଯଶିପୁର ଡାକ୍ତରଖାନାରେ ଝିଅକୁ ଦେଖାଇ ଔଷଧ ନେଇଥିଲେ। ହେଲେ ଜର ନଛାଡ଼ିବାରୁ ବନମାଳୀ ଆଜି ପୁଣି ଝିଅକୁ ଯଶିପୁର ମେଡିକାଲକୁ ନେଇଥିଲେ। ଡାକ୍ତର ସୁନିକୁ ଇଂଜେକ୍‌ସନ୍‌ ଦେଇ କରଂଜିଆ ଉପଖଣ୍ଡ ମେଡିକାଲକୁ ପଠାଇଥିଲେ। ପ୍ରାୟ ୧୧ଟା ବେଳେ ଝିଅକୁ କରଂଜିଆ ମେଡିକାଲରେ ବନମାଳୀ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ସାଢ଼େ ୧୨ଟା ବେଳେ ସୁନିର ମୃତ୍ୟୁ ଘଟିଥିଲା। ତେବେ ବ୍ୟବଚ୍ଛେଦ ନ କରାଇ ଶବକୁ ନେଇ ଯିବାକୁ ବନମାଳୀଙ୍କୁ କୁହାଯାଇଥିଲା। 
 
ଗରିବ ବନମାଳୀ ଗାଡ଼ି ଭଡ଼ା କରିବାକୁ ଅକ୍ଷମ ଥିଲେ। ବସ୍‌ରେ ଝିଅର ଶବକୁ ନେବାକୁ ବସ୍‌ ଷ୍ଟାଣ୍ଡ୍‌ରେ ଅପେକ୍ଷା କରିଥିଲେ। ଏତିକି ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଖିରେ ଏହି ଦୃଶ୍ୟ ପଡ଼ିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ନିରୁପାୟ ହୋଇ କର୍ତ୍ତୃପକ୍ଷ ବନମାଳୀଙ୍କୁ ମେଡିକାଲକୁ ଡକାଇ ଗାଡ଼ିର ବ୍ୟବସ୍ଥା କରିଥିଲେ। ଏନେଇ ଏସଡିଏମଓ ଡ. ଅମୀୟ ରାଉତଙ୍କୁ ପଚାରିବାରୁ ଝିଅର ମୃତ୍ୟୁ ପରେ ଷ୍ଟାଫନର୍ସମାନେ ଅପେକ୍ଷା କରିବାକୁ ବନମାଳୀଙ୍କୁ କହିଥିଲେ। ବୋଧହୁଏ ସେ ବୁଝି ନପାରି ଶବ ନେଇ ପଳାଇଥିଲେ ବୋଲି କହିଛନ୍ତି।