23 September 2017
8:09:05 PM
Sambad News
ମୟୂରଭଞ୍ଜ

ଶିକ୍ଷୟିତ୍ରୀ, ଗୃହିଣୀଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ମାତିଛନ୍ତି ଲୁଟେରା, ଟାର୍ଗେଟ୍‌ରେ ମହିଳା: ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପୁଲିସକୁ ଖୋଲା ଚାଲେଞ୍ଜ୍‌

By Sambad | Date: Jan 5 2017 11:44AM
ଶିକ୍ଷୟିତ୍ରୀ, ଗୃହିଣୀଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ରାସଗୋବିନ୍ଦପୁର/ମାଣିଦା/ଚିତ୍ରଡ଼ା(ଇମିସ):ମୟୂରଭଞ୍ଜ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଦୁର୍ବୃତ୍ତମାନେ ଖୁଲମଖୋଲା ଦିନ ଦ୍ୱିପ୍ରହରରେ ରାସ୍ତାଘାଟ, ଏମିତିକି ଘରେ ପଶି ଲୁଟ୍‌ କରୁଛନ୍ତି। ଆଜି ମୋରଡ଼ା ଥାନା ଓ ରାସଗୋବିନ୍ଦପୁର ଥାନା  ଅଧୀନରେ ଏମିତି ଦୁଇଟି ଲୁଟ୍‌ ହୋଇଛି। ଉଭୟ ସ୍ଥାନରେ ଟାର୍ଗେଟ ହୋଇଛନ୍ତି ମହିଳା। ରାସଗୋବିନ୍ଦପୁରରେ ପାଣି ମାଗିବା ବାହାନାରେ ସୁନାଚେନ୍‌ ଛିଣ୍ଡାଇ ଚମ୍ପଟ୍‌ ତ ଚିତ୍ରଡ଼ାରେ ଶିକ୍ଷୟିତ୍ରୀଙ୍କ ବେକରୁ ପଲ୍‌ସର ଆରୋହୀ ଦୁର୍ବୃତ୍ତ ସୁନାହାର ଝାମ୍ପିନେଇଛନ୍ତି। ଉଭୟ ସ୍ଥାନରେ ଦୁର୍ବୃତ୍ତମାନେ ଖସିଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛି।
 

 ରାସଗୋବିନ୍ଦପୁର ଗ୍ରାମର ଅଶ୍ୱିନୀ କୁମାର କାସ୍ତଙ୍କ ଘରେ ଦୁଇଜଣ ଦୁର୍ବୃତ୍ତ ପହଞ୍ଚି ପାଣି ପିଇବାକୁ ମାଗିଥିଲେ। ଅଶ୍ୱିନୀଙ୍କ ପତ୍ନୀ ପାଣି ଆଣି ଦେଲାବେଳେ ଦୁଇ ଯୁବକ ତାଙ୍କ ବେକରୁ ସୁନା ଚେନ୍‌ଟିକୁ ଛିଣ୍ଡାଇ ନେଇ ବାଇକ୍‌ରେ ପଳାଇଯାଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚିଥିଲେ ବି ସେମାନଙ୍କୁ ଧରିପାରିନଥିଲେ। ଏ ସଂକ୍ରାନ୍ତରେ ରାସଗୋବିନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି। ଲୁଟେରାଙ୍କ ବୟସ ୨୨/୨୩ ମଧ୍ୟରେ ହେବ।
 

ସେହିପରି ମୋରଡ଼ା ଥାନା ଚିତ୍ରଡ଼ା ଫାଣ୍ଡି ଅଧୀନ ପାଠାନତୁଫା ନିକଟରେ ଆଜି ଅପରାହ୍‌ଣରେ ଚିତ୍ରଡ଼ା ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀ ମୁନ୍‌ମୁନ୍‌ ଶତପଥୀ ଲୁଟ୍‌ର ଶିକାର ହୋଇଛନ୍ତି। ସ୍କୁଲ ଛୁଟି ପରେ ସେ ଚାଲିଚାଲି ବସ୍‌ଷ୍ଟାଣ୍ଡ୍‌କୁ ଆସୁଥିଲେ। ହଠାତ ଏକ ଲାଲ୍‌ ରଙ୍ଗର ପଲ୍‌ସରରେ ଲୁଟେରାମାନେ ଆସି ସେ ପିନ୍ଧିଥିବା ସୁନାହାରଟିକୁ ଛିଣ୍ଡାଇନେଇଥିଲେ। ବିରୋଧ କରିବାରୁ ତାଙ୍କୁ ଧକ୍କାମାରି ଚମ୍ପଟ ମାରିଥିଲେ। ଶିକ୍ଷୟିତ୍ରୀଜଣକ ପଡ଼ିଯାଇ ଆହତ ହୋଇଛନ୍ତି। ଏନେଇ ସେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଲୁଟେରାଙ୍କୁ ପୁଲିସ ଧରିପାରିନାହିଁ।
 

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳାରେ ଅଧୋଗତି ହେଉଥିବାରୁ ଉପରୋକ୍ତ ଘଟଣାରୁ ସ୍ପଷ୍ଟ ହୋଇଛି। ଅପରପକ୍ଷେ ଲୁଟେରାଙ୍କୁ ଧରିଥିବା ବ୍ୟକ୍ତିମାନଙ୍କୁ ପୁଲିସ ପୁରସ୍କୃତ କରିବା ପରିବର୍ତ୍ତେ ଗିରଫ କରି କୋର୍ଟଚାଲାଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କିଛିଦିନ ତଳେ ବଡ଼ସାହି ଥାନା ଅଞ୍ଚଳରେ ଏଭଳି ପାଣି ମାଗିବା ବାହାନାରେ ଲୁଟ୍‌ କରୁଥିବା ଜଣେ ଲୁଟେରାଙ୍କୁ ଗ୍ରାମବାସୀ କାବୁ କରିଥିଲେ। ତାକୁ ମାଡ଼ ମାରିବା ସହ ବାଇକ୍‌ ପୋଡ଼ିଦେଇଥିଲେ। ଏ ଘଟଣାରେ ପୁଲିସ ୯ ଜଣଙ୍କ ନାମରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି। ପୁଲିସ ନିଜେ ଲୁଟେରାଙ୍କୁ ଧରିପାରୁନଥିବାବେଳେ ନିଜ ଅପାରଗତାକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି। 

image