22 February 2017
11:42:26 AM
Sambad News
ରାଜ୍ୟ

ବାରିପଦାରେ ‘କୃଷକ ଅଧିକାର ଯାତ୍ରା’ : ସରକାର ଭୁଲିବା ଉଚିତ ନୁହେଁ ଯେ ଚାଷୀ ହାତରେ ଭାତ ଓ ଭୋଟ୍‌ ଅଛି

By Sambad | Date: Jan 9 2017 12:48AM
ବାରିପଦାରେ ‘କୃଷକ ଅଧିକାର ଯାତ୍ରା’ : ସରକାର ଭୁଲିବା ଉଚିତ ନୁହେଁ ଯେ ଚାଷୀ ହାତରେ ଭାତ ଓ ଭୋଟ୍‌ ଅଛି

ବାରିପଦା : ଚାଷୀ ହାତରେ ଉଭୟ ଭାତ ଓ ଭୋଟ୍‌ ରହିିଛି। ଏଣୁ ଚାଷୀଙ୍କୁ ଅବହେଳା କରୁଥିବା ସରକାର ଏଥିପ୍ରତି ସଚେତନ ରହିବାକୁ ନବନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଛି। ଆଜି ବାରିପଦାସ୍ଥିତ ସାଇ ବିନାୟକ କଲ୍ୟାଣ ମଣ୍ଡପରେ ଆୟୋଜିତ ‘କୃଷକ ଅଧିକାର ଯାତ୍ରା’ରେ ଯୋଗଦେଇ ବିଶିଷ୍ଟ ଚାଷୀ ନେତା ତଥା ‘ନବନିର୍ମାଣ କୃଷକ ସଂଗଠନ’ର ରାଜ୍ୟ ସହ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ, ରାଜ୍ୟ ଜନସଂଖ୍ୟାର ଶତକଡ଼ା ୮୦ ଭାଗ ଲୋକ ଚାଷ ବୃତ୍ତି ସହ ଜଡ଼ିତ ଥିବା ସତ୍ତେ୍ଵ ଆନ୍ଧ୍ରର ମାଛ, କଦଳୀ, ପଶ୍ଚିମବଙ୍ଗର ଆଳୁ, ନାସିକର ପିଆଜ ଏମିତିକି ଆଫ୍ରିକାର ଡାଲି ଉପରେ ନିର୍ଭର କରିବାକୁ ପଡୁଛି। ଏହା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି। 
 
‘ନବନିର୍ମାଣ କୃଷକ ସଂଗଠନ’ର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ହିସାବରେ ୨୧,୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସାରା ଦୁନିଆରେ ସମସ୍ତେ ସେମାନଙ୍କ ନିଜନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ନେଉଥିବାବେଳେ ଚାଷୀମାନଙ୍କୁ କେନ୍ଦ୍ର ସରକାର ସେମାନଙ୍କ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରୁଛନ୍ତି।  ପ୍ରଥମେ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ଶବ୍ଦଟିକୁ ଉଚ୍ଛେଦ କରି ପ୍ରତି ଉତ୍ପାଦର ଉଚିତ୍‌ ମୂଲ୍ୟ ନିର୍ଦ୍ଧାରଣ କରାଯାଉ ବୋଲି ଶ୍ରୀ ଅକ୍ଷୟ କୁମାର ଦାବି କରିଛନ୍ତି। ଧାନ କ୍ୱିଣ୍ଟାଲର ମୂଲ୍ୟ ୫ ହଜାର ଟଙ୍କା ଧାର୍ଯ୍ୟ କରିବାକୁ ସେ ଦାବି କରିଛନ୍ତି। ସରକାରଙ୍କ ଏଭଳି ଅବହେଳା ପ୍ରତିବାଦରେ ସାରା ରାଜ୍ୟରେ ଚାଷୀମାନେ ସଂଗଠିତ ହେବାକୁ ଶ୍ରୀ ଅକ୍ଷୟ କୁମାର ଆହ୍ଵାନ ଜଣାଇଛନ୍ତି। 
 
ମୟୂରଭଞ୍ଜ ଜିଲ୍ଲାରେ ଚାଷୀମାନେ ସର୍ବାଧିକ ଅବହେଳିତ ହୋଇଛନ୍ତି। ଏହାର ପ୍ରତିବାଦରେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ତଥା ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାକାନ୍ତ ଭାରତ, ଭଦ୍ରକ ଜିଲ୍ଲା ସଂଯୋଜକ ଭବେନ୍ଦ୍ର କୁମାର ସାହୁ, ସଂଜିତ୍‌ କୁମାର ମହାନ୍ତି, କ୍ଷେତ୍ରମୋହନ, ଜୟଦୀପ ସାହୁ, ବିଜୟ ମହାପାତ୍ର, ଦୁର୍ଗା ବାରିକ, ରବୀନ୍ଦ୍ର ସାହୁ, ଶକ୍ତିପଦ ପାତ୍ର, ପ୍ରଦୀପ କୁମାର ଦାସ ମହାପାତ୍ର, ଶକ୍ତିପଦ ପାତ୍ର, ପ୍ରଭାତ କୁମାର ହୋତା, ଭବତୋଷ ମହାନ୍ତି, ସଂଜୟ ଷଡ଼ଙ୍ଗୀ ପ୍ରମୁଖ ଶତାଧିକ ଚାଷୀ ଓ ଚାଷୀନେତା ଉପସ୍ଥିତ ରହି ଚାଷୀଙ୍କ ପ୍ରତି ହେଉଥିବା ଅବହେଳାର ତୀବ୍ର ବିରୋଧ କରିଥିଲେ।  ମୟୂରଭଞ୍ଜ ଜିଲ୍ଲାର ଚାଷୀ ନେତା ବୈଦ୍ୟନାଥ ରଥ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବାବେଳେ ବର୍ଷୀୟାନ୍‌ ଚାଷୀ ନେତା ଲୋକନାଥ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। 
 
ସୂଚନାଯୋଗ୍ୟ, ଜାନୁଆରି ୩ ତାରିଖଠାରୁ ଯାଜପୁର ଜିଲ୍ଲା ରସୁଲପୁର ଅର୍ତ୍ତିଆକୁସୁନପୁରଠାରୁ ଆରଂଭ ହୋଇଥିବା କୃଷକ ଅଧିକାର ଯାତ୍ରା ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଦେଇ ଆଜି ବାରିପଦାରେ ପହଞ୍ଚିଥିଲା।