21 August 2017
2:03:25 PM
image
Sambad News
ମୟୂରଭଞ୍ଜ

ଶିକ୍ଷକଙ୍କଠାରୁ ଲାଞ୍ଚ ନେଇ କିରାଣି ଗିରଫ

By Sambad | Date: Jan 4 2017 10:00PM
ଶିକ୍ଷକଙ୍କଠାରୁ ଲାଞ୍ଚ ନେଇ କିରାଣି ଗିରଫ

ଉଦଳା(୧)/କପ୍ତିପଦା/ନୂଆସାହି : କପ୍ତିପଦା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ଦୁର୍ଗାଚରଣ ମାଝି ଲାଞ୍ଚ ନେବାବେଳେ ଆଜି ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ଜଣେ ଶିକ୍ଷକଙ୍କ ଜିପିଏଫ୍‌ ଟଙ୍କା ମଂଜୁର କରିବା ପାଇଁ ସେ ୨ହଜାର ଟଙ୍କା ନେଉଥିଲେ। ବାଲେଶ୍ୱର ଭିଜିଲାନସ୍‌ ଟିମ୍‌ ତାଙ୍କୁ ଗିରଫ କରିଛି। 
 
କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଦୋଳିପଡ଼ା ଉନ୍ନୀତ ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ଗିରୀଶଚନ୍ଦ୍ର ବେହେରା ଜିପିଏଫ୍‌ରୁ ଟଙ୍କା ଉଠାଇବା ପାଇଁ ୪ମାସ ତଳେ ବିଇଓ ଅଫିସ୍‌ରେ ଆବେଦନ କରିଥିଲେ। ମୁଖ୍ୟ କିରାଣି ନାନା ବାହାନା ଦେଖାଇ ଆବେଦନ ମଂଜୁର ନକରି ସମୟ ଗଡ଼ାଇ ଚାଲିଥିଲେ। ପରବର୍ତ୍ତୀ ସମୟରେ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। 
 
ଏ ସଂପର୍କରେ ଶିକ୍ଷକ  ବେହେରା ବାଲେଶ୍ୱର ଭିଜିଲାନ୍‌ସକୁ ଜଣାଇଥିଲେ। ଏହାପରେ ଆଜି ମୁଖ୍ୟ କିରାଣି ମାଝିଙ୍କୁ ଉଦଳା ବ୍ଲକର ହୁଡ଼ିସାହି ଗ୍ରାମସ୍ଥିତ ବାସଭବନରେ ଗିରୀଶ ୨ହଜାର ଟଙ୍କା ଦେଇଥିଲେ। ଘରଠାରୁ କିଛି ଦୂର ଶ୍ମଶାନ କାଳୀମନ୍ଦିର ଛକ ନିକଟରେ ଅଫିସ ଯିବା ବାଟରେ କିରାଣିଙ୍କୁ ବାଲେଶ୍ୱର ଭିଜିଲାନ୍‌ସ ଟିମ କାବୁ କରିଥିଲେ। ତାଙ୍କୁ ଉଦଳା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ନେଇ ୨ହଜାର ଟଙ୍କା ଜବତ କରାଯାଇଥିଲା। 
 
ପରେ ବିଇଓ ଅଫିସରେ ଓ ତାଙ୍କର ହୁଡ଼ିସାହିସ୍ଥିତ ବାସଭବନରେ ମଧ୍ୟ ଚଢ଼ଉ ହୋଇଥିଲା। କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଅତିରିକ୍ତ ଭିଜିଲାନସ୍‌ ଏସ୍‌ପିଙ୍କ ନେତୃତ୍ୱରେ ଡିଏସ୍‌ପି ମଧୁସୂଦନ ବେହେରା, ଇନ୍‌ସପେକ୍ଟର ସବିତା ବେହେରା ଓ ବିବି ବେହେରା, କନେଷ୍ଟବଳ ଜ୍ଞାନ ପଳେଇ, ମଙ୍ଗଳ ହେମ୍ବ୍ରମ ଏହି ଚଢ଼ଉ କରିଥିଲେ।