22 February 2017
10:54:13 PM
Sambad News
ମୟୂରଭଞ୍ଜ

ହତ୍ୟାକାରୀକୁ ୫ ବର୍ଷ ଜେଲ୍‌

By Sambad | Date: Jan 5 2017 10:08PM
ହତ୍ୟାକାରୀକୁ ୫ ବର୍ଷ ଜେଲ୍‌
Photo by : economictimes.indiatimes.com

ବାରିପଦା : ଆଜି ବାରିପଦା ଜିଲ୍ଲା ଦୌରାଜଜ୍‌ କୋର୍ଟ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ ସହିତ ୧୦ ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦାୟ  ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
 
ଗତ ୨୦୧୩ ଡିସେମ୍ବର ୧୮ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଖୁଣ୍ଟା ଥାନା ଅନ୍ତର୍ଗତ ଅନନ୍ତସାହିର ଏକ ପାନ ଦୋକାନରେ ସେହି ଗ୍ରାମର ବିଜୟ କୁମାର ନାୟକ ପାନ କିଣୁଥିଲେ। ନିକଟସ୍ଥ ଭଣ୍ଡଗାଁର ଲାଦୁ ଓରଫ ଦାମୋଦର ମାରାଣ୍ଡି (୨୬) ସେଠାକୁ ଆସି ବିଜୟଙ୍କ ସହ ଯୁକ୍ତିତର୍କ କରିଥିଲେ। ଉଭୟଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ମହାଭାରତ ସୃଷ୍ଟି ହୋଇଥିଲା। ଲାଦୁ ଉତ୍ତ୍ୟକ୍ତ ହୋଇ ବିଜୟଙ୍କୁ କଂକ୍ରିଟ୍‌ ରାସ୍ତାରେ କଚାଡ଼ି ଦେଇଥିଲା। ବିଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ବଡ଼ସାହି ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। 
 
ଏହାପରେ ମୃତ ବିଜୟଙ୍କ ସାନଭାଇ ଅଜିତ୍‌ କୁମାର ନାୟକ ଖୁଣ୍ଟା ଥାନାରେ ଏତଲା ଦେବାରୁ ହତ୍ୟା ମାମଲା ରୁଜୁ ହୋଇଥିଲା। ଆଜି ଏହାର ବିଚାର କରି ଜିଲ୍ଲା ଦୌରାଜଜ୍‌ ପ୍ରମୋଦ କୁମାର ଜେନା ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ ସହ ୧୦ ହଜାର ଟଙ୍କା ଅର୍ଥଦଣ୍ଡ ଶୁଣାଣି କରିଛନ୍ତି। ସରକାରୀ ଓକିଲ ଭାବେ ଆଇନଜୀବୀ ଶରତ ଚନ୍ଦ୍ର ସାମନ୍ତ ମାମଲା ପରିଚାଳନା କରିଥିଲେ।