20 July 2017
6:03:04 PM
image
Sambad News
ମହାନଗର

ରିଜର୍ଭ ବ୍ୟାଙ୍କରେ ହୋଇ ପାରିଲାନି ବଦଳ

ଅଚଳ ଟଙ୍କା ଧରି ଲୋକଙ୍କ ବିକ୍ଷୋଭ

By Sambad | Date: Jan 12 2017 3:41AM
ରିଜର୍ଭ ବ୍ୟାଙ୍କରେ ହୋଇ ପାରିଲାନି ବଦଳ

ଭୁବନେଶ୍ୱର : ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟରେ ଅଚଳ ଟଙ୍କା ବଦଳ କରିବା ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବଦଳ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକେ ଟଙ୍କା ବଦଳ  କରି ନପାରିବାରୁ ହୋହଲ୍ଲା କରିଥିଲେ। ଯେଉଁମାନେ ଡିସେମ୍ବର ୩୧ ତାରିଖ ସୁଦ୍ଧା ଟଙ୍କା ବଦଳ କରିପାରି ନଥିବେ ସେମାନେ କେବଳ ରିଜର୍ଭ ବ୍ୟାଙ୍କରେ ସ୍ୱୀକାରପତ୍ର ଦେଇ ଟଙ୍କା ବଦଳ କରିପାରିବେ ବୋଲି ନିୟମ କରାଯାଇଥିଲା। ମାତ୍ର ସରକାର ତାଙ୍କ ନିୟମ ନିଜେ ମାନୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ। ହୋହଲ୍ଲା ସଂପର୍କରେ ଖବର ପାଇ ପୁଲିସ ଆର୍‌ବିଆଇ ସମ୍ମୁଖରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
 
ସୂଚନା ଅନୁଯାୟୀ ବିଭିନ୍ନ କାରଣରୁ ଯେଉଁମାନେ ଅଚଳ ଘୋଷଣା ହୋଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଡିସେମ୍ବର ୩୧ ତାରିଖ ସୁଦ୍ଧା ବ୍ୟାଙ୍କରେ ଡିପୋଜିଟ୍‌ କିମ୍ବା ବଦଳ କରିପାରି ନଥିଲେ ସେମାନେ ଆଜି ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ଆସିଥିଲେ। ମାତ୍ର ଏଠାରେ ଆଉ ଟଙ୍କା ବଦଳ ହୋଇ ପାରିବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ରିଜର୍ଭ ବ୍ୟାଙ୍କ କର୍ତୃପକ୍ଷ କହିଥିଲେ ଯେ, କେବଳ ପ୍ରବାସୀ ଭାରତୀୟମାନେ ହିଁ ମାର୍ଚ ମାସ ୩୦ ତାରିଖ ଭିତରେ ଟଙ୍କା ବଦଳ କରିପାରିବେ। ତେବେ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କରେ ଟଙ୍କା ବଦଳ କରିବାର ବ୍ୟବସ୍ଥା ନାହିଁ ବୋଲି ସଫେଇ ଦିଆଯାଇଥିଲା। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ବ୍ୟାଙ୍କ ସମ୍ମୁଖରେ ହାତରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଦେଖାଇ ବିକ୍ଷୋଭ କରିଥିଲେ। ଖବର ପାଇ ନିକଟସ୍ଥ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ  ଏ ନେଇ ଏକ ବିଜ୍ଞପ୍ତି ମାରି ଦିଆଯିବା ପରେ ଲୋକେ ନିରାଶ ହୋଇ ଫେରିଥିଲେ।