22 August 2017
5:24:05 AM
image
Sambad News
ମହାନଗର

ପଟିଆ ଓ ବାଣୀବିହାରରୁ ଜବରଦଖଲ ହଟିଲା

By Sambad | Date: Jan 12 2017 4:00AM
ପଟିଆ ଓ ବାଣୀବିହାରରୁ ଜବରଦଖଲ ହଟିଲା

ଚନ୍ଦ୍ରଶେଖରପୁର : ଫୁଟ୍‌ପାଥ୍‌ ଓ ସରକାରୀ ଜାଗାରୁ ଜବରଦଖଲ ହଟାଇବା ପ୍ରକିୟାକୁ ବିଡିଏ ଓ ବିଏମ୍‌ସି ପକ୍ଷରୁ ଜୋରଦାର କରାଯାଇଛି। ଆଜି ପଟିଆ ଓ ବାଣୀବିହାର ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ଆଜି ପ୍ରଥମେ ବିଡିଏ ଓ ବିଏମ୍‌ସିର ଉଚ୍ଛେଦ ଟିମ୍‌ ସକାଳ ୧୦ଟା ୩୦ରେ ବାଣୀବିହାର ଷ୍ଟେସନ ନିକଟରେ ପହଞ୍ଚିଥିଲା। ସେଠାରେ ୩୦ ନମ୍ବର ୱାର୍ଡର ସରକାରୀ ଜାଗା ପ୍ଲଟ୍‌-୨୬୩/ଏରେ ଥିବା ଜବରଦଖଲ ଉଚ୍ଛେଦ କରିଥିଲା। ସେଠାରୁ ଏକ ଗୁହାଳ, ୪ଟି ହୋଟେଲ, ୩ଟି ଅସ୍ଥାୟୀ ଘର ଓ ଗୋଟିଏ କ୍ୟାବିନ୍‌କୁ ଉଚ୍ଛେଦ କରାଯାଇଥିଲା। ଏହି ସ୍ଥାନରେ ପୂର୍ବରୁ ଏକ ବସ୍‌ ଷ୍ଟପ୍‌ ଥିବା ବେଳେ ଧୀରେ ଧୀରେ ଏହାକୁ ଜବରଦଖଲାକାରୀମାନେ ନିଜ କବ୍‌ଜାକୁ ନେଇଯାଇଥିଲେ। ଫଳରେ ଏ ନେଇ ଅଭିଯୋଗ ହେବା ପରେ ବିଡିଏ ଓ ବିଏମ୍‌ସି ପକ୍ଷରୁ ଏହାକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। 
 
ସେହିପରି ଆଉ ଏକ ଉଚ୍ଛେଦ ଟିମ୍‌ ପହଞ୍ଚିଥିଲା ପଟିଆ ଅଞ୍ଚଳରେ। ଅଧାରେ ଥିବା ଫୁଟ୍‌ପାଥ୍‌ ଓ ସାଇକେଲ ଟ୍ରାକ୍‌ରେ ଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିଟ୍‌ ଛକରୁ ସିପେଟ୍‌ ପର୍ଯ୍ୟନ୍ତ ଜବରଦଖଲରେ ଥିବା ୫ଟି କ୍ୟାବିନ୍‌, ଦୁଇଟି ଫଳ ଦୋକାନ, ୨୦ଟି ଅସ୍ଥାୟୀ ଦୋକାନ, ୪ଟି ବିଜ୍ଞାପନ ଗେଟ୍‌, ୩ଟି ହୋଟେଲର ବର୍ଦ୍ଧିତ ଅଂଶ, ୪ଟି ଚାଳ ଘର, ଏମିତି ମୋଟ ୪୦ଟି ଘର ଉଚ୍ଛେଦ କରାଯାଇଥିଲା। 
 
ଗତ କିଛିଦିନ ହେଲା ନୂଆ ଏୟାରପୋର୍ଟଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଫୁଟ୍‌ପାଥ୍‌ ଓ ସାଇକେଲ ଟ୍ରାକ୍‌ରେ  ଥିବା ଜବରଦଖଲ ହଟାଇବା ପାଇଁ ଏହି ଉଚ୍ଛେଦ ଚାଲିଛି। ପୂର୍ବରୁ ବିଡିଏ କଲୋନିରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରର କିଛି ଅଂଶ ଭଙ୍ଗାଯାଇଥିଲା। ଗତ ୧୦ ତାରିଖରେ ଏ ନେଇ ମନ୍ଦିର କମିଟିକୁ ଅବଗତ କରାଯାଇଥିଲା। ମନ୍ଦିର ପ୍ରାୟ ଅଧିକ ପାଞ୍ଚ ଫୁଟ୍‌ ରାସ୍ତା ଉପରକୁ ମାଡ଼ି ଆସିଥଲା। ତେଣୁ ଆଜି ଏହାକୁ ମଧ୍ୟ ଉଚ୍ଛେଦ କରାଯାଇଛି। 
 
ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଲିଆସନିଂ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି ଓ ବିଡିଏ ଏବଂ ବିଏମ୍‌ସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟି କୋଣରୁ ତିନି ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା।