22 August 2017
4:51:51 PM
image
Sambad News
ମହାନଗର

ଏବେ ଲଫଙ୍ଗାଗିରି ଯୁଗ ଶେଷ

By Sambad | Date: Jan 12 2017 4:03AM
ଏବେ ଲଫଙ୍ଗାଗିରି ଯୁଗ ଶେଷ

ସବୁ ଦିନ ଭଳି ଆଜି ସନ୍ଧ୍ୟାରେ ତମାଣ୍ଡୋ ବଜାର କାଳୁ ଚା’ ଦୋକାନରେ ଜମିଥିଲା ଖଟି। ଟୁଲୁ, ମିଟୁ, ବୁଢ଼ା ଓ ସୁକାନ୍ତଙ୍କ ଭିତରେ ଚାଲିଥିଲା ପଞ୍ଚାୟତ ନିର୍ବାଚନକୁ ନେଇ ଘମାଘୋଟ ଆଲୋଚନା। ମାହୋଲ ବି ବେଶ୍‌ ଜମାଣିଆ ଥିଲା। କିନ୍ତୁ ପ୍ରଭାତ ପହଞ୍ଚିବା ପରେ ହଠାତ୍‌ ଢିଙ୍କିଶାଳ କଥା ଢେଙ୍କାନାଳକୁ ମୁହାଁଇଲା। ଏମିତି ସବୁଦିନ ଘଟେ। ବଡ଼ ଉତ୍‌ଫୁଲ୍ଲିତ ହୋଇ ପ୍ରଭାତ କହିଲେ,‘ ଛାଡ଼ ମ ସେ ବାଜେ କଥା। ଆମ ଓଡ଼ିଆ ଝିଅମାନେ କ’ଣ କଲେଣି ସେ ହିସାବ ନାହିଁ, ଗାଁ ରାଜନୀତି ଭଳି ଶସ୍ତା କଥା ଖାଲି ପକାଇଥା!’ କଥା ଛଡ଼ାଇ ନେଇ ମିଟୁ କହିଲେ,‘ ଓଃ ଚିନ୍ମୟୀ କଥା କହୁଛୁ ତ, କିଏ ନ ଜାଣିଛି କି? ଲଫଙ୍ଗା ଲୁଟେରାଙ୍କୁ ସାହସର ସହ ମୁକାବିଲା କରିବାରୁ ସରକାର ତା’କୁ ଚାକିରି ଦେଇଛନ୍ତି। ଏୟା ତ!’ 
 
‘ଖାଲି ସେତିକି ନୁହେଁ, ଚିନ୍ମୟୀ ଭଳି ଆଜିକାଲି ଓଡ଼ିଆ ଝିଅମାନେ ବି ଲଫଙ୍ଗାମାନଙ୍କୁ ସାବାଡ୍‌ କରିବାକୁ ଅଣ୍ଟା ଭିଡ଼ିଲେଣି। ନନ୍ଦନକାନନ ରାସ୍ତା କଥା ହେଉ କି କଟକ ବାଦାମବାଡ଼ି କଥା ହେଉ, ଝିଅମାନେ ସାହସ କରିବା ଆରମ୍ଭ କରିଛନ୍ତି । ନା କ’ଣ କହୁଛ  ବୁଢ଼ାଭାଇ?’ ପ୍ରଶ୍ନ କଲେ ପ୍ରଭାତ। ଚା କପ୍‌ରୁ  ଜୋର୍‌ଦାର୍‌ ଢୋକଟେ ଟାଣି ନେଇ ବୁଢ଼ା କହିଲେ,‘ ଭାଇ ସତରେ ଗୋଟାଏ ନୂଆ ଯୁଗ ଆରମ୍ଭ ହେଲା ଭଳି ଲାଗୁଛି। ନନ୍ଦନକାନନ ରାସ୍ତାରେ ଝିଅମାନେ ଯେଉଁ ଭଳି ସାହସ ପ୍ରଦର୍ଶନ କଲେ, କିଛି କମ୍‌ କଥା ନୁହେଁ। କଟକ କଥା ତ ଅଲଗା। ଶଙ୍କରପୁରର ନାଁ ଅଛି, ତେଣୁ ସେ ଲୋକାଲ୍‌ ଝିଅଟି ଚପଲରେ ଜବାବ୍‌ ଦେଲା। କିନ୍ତୁ ନନ୍ଦନକାନନ ରାସ୍ତାରେ ଝିଅମାନେ ସ୍ଥାନୀୟ ଟୋକାଙ୍କୁ ଡରିଲେନି। ଭାଇ ମାନିବାକୁ ପଡ଼ିବ।’ ବୁଢ଼ା ଆଉ କ’ଣ କହିବାକୁ ବାହାରିଥିଲେ, ମାତ୍ର ସୁକାନ୍ତଙ୍କ ଆଡ଼କୁ ଚାହିଁ ଅଟକିଗଲେ। ବୋଧେ ସୁକାନ୍ତଙ୍କୁ କହିବାକୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ବୁଢ଼ା ନିଜ କଥାକୁ ମଝିରେ ବନ୍ଦ କଲେ ଓ  ପ୍ରଭାତଙ୍କୁ ଚା’ କପେ ବଢ଼ାଇବାକୁ କାଳୁକୁ ଠାରି ଦେଲେ। 
 
ଏତେ ସମୟ ଯାଏ ଚୁପ୍‌ଚାପ୍‌ ଶୁଣୁଥିବା ସୁକାନ୍ତ କହିଲେ,‘ ଠିକ୍‌ ହୋଇଛି। ଲଫଙ୍ଗା ଦଳ ଝିଅ ଦେଖିଲେ, ଅସମ୍ଭାଳ ହେଉଛନ୍ତି। ମାମୁଁ ଘରେ ଏବେ ମଜା ନେଉଥାଆନ୍ତୁ। ଛି ଛି, ବନ୍ଧୁବାନ୍ଧବରେ ଆଉ ମୁହଁ ଦେଖାଇ ହେବ ଟି? ଲୋକାଲ୍‌ ଟୋକା ହେଲେ କ’ଣ ହେବ?’ ସୁକାନ୍ତଙ୍କ ମୁହଁରୁ କଥା ଛଡ଼ାଇ ଟୁଲୁ କହିଲେ,‘ ଆରେ ଭାଇ ଦାଦାଗିରି ଦେଖାଇବାର ଅଛି ତ ଅନ୍ୟ କେଉଁଠି ଦେଖାଅ। ଝିଅମାନଙ୍କୁ କମେଣ୍ଟ ମାରିବା ବା ଖରାପ ଇଙ୍ଗିତ ଦେବା କେଡ଼େ ଛୋଟ କଥା କହିଲ? ଏଇଟା କୋଉ ଦାଦାଗିରି, ଏଇଟା ଲଫଙ୍ଗାଗିରି ନା। ଭାବିବା କଥା ଆମର ମା ଭଉଣୀ ବି ଅଛନ୍ତି।’ 
 
ବଡ଼ ପାଟିରେ ଟୁଲୁକୁ ଇଙ୍ଗିତ କରି ମିଟୁ କହିଲେ,‘ ବୁଝିଲୁ ରେ ପୁଅ, ଯୋଗୀ ଘରେ ଢିଙ୍କି ଖୋଜୁଥା। ଲଫଙ୍ଗାଙ୍କ ପାଖରୁ ଭଲ କଥା ଆଶା କରୁଛୁ ଆଉ?’ ହସି ହସି ଟୁଲୁ କହିଲେ,‘ ନାଇଁ ଯେ।’ ପ୍ରଭାତ ପୁଣି କଥା ଯୋଡ଼ିଲେ। ସେ କହିଲେ,‘ ଏଣିକି ବୁଝିବାକୁ ହେବ ଯେ ଝିଅମାନେ ଆଉ ଚୁପ୍‌ ବସିବେନି। ମୁହଁତୋଡ୍‌ ଜବାବ୍‌ ଦେବେ। ବିଚ୍‌ ରାସ୍ତାରେ ପିଟିବେ। ନା କ’ଣ?’ 
 
‘ସେୟା ବି ଦରକାର। ଦେଖା ଶିଖା ଓଡ଼ିଶା। ହେଇ ରାଜଧାନୀ ଝିଅ କଲେ, ତାକୁ ଦେଖି କଟକ ଝିଅ ବି କଲେ। ଆସନ୍ତାକାଲି ଦେଖିବ ସବୁଆଡ଼େ ଲଫଙ୍ଗା ମାଡ଼ ଖାଉଥିବେ।’ ବଡ଼ ମଜାଳିଆ ଭାବରେ କହିଲେ ବୁଢ଼ା। ପାଳି ଧରି ମିଟୁ କହିଲେ,‘ ହଁ ସମୟ ଆସିଗଲା, ଏଣିକି ରୋଡ୍‌ ରୋମିୟମାନଙ୍କୁ ଝିଅମାନେ ଚପଲରେ ପିଟି ସାବାଡ୍‌ କରିବେ।’ କଥା ଛଡ଼ାଇ ମଜାରେ ସୁକାନ୍ତ କହିଲେ,‘ ଆଉ ପୁଲିସ କ’ଣ କରିବେ?’ ସମସ୍ତେ ଠୋ ଠୋ ହୋଇ ହସିଉଠିଲେ। ଏତିକିବେଳେ କିଛି ବୟସ୍କ ବ୍ୟକ୍ତି ଚା’ ପିଇବା ପାଇଁ କାଳୁ ଦୋକାନକୁ ଆସିବା ଦେଖି ଯୁବ ବନ୍ଧୁମାନଙ୍କ ଖଟି ଆପେ ଆପେ ବନ୍ଦ ହୋଇଗଲା। 
ତମାଣ୍ଡୋ ବଜାର କାଳୁ ଚା’ ଦୋକାନ ଖଟିରୁ ଅର୍ଜୁନ ପାଇକରାୟ।