27 June 2017
2:07:48 PM
image
Sambad News
ମହାନଗର

ପୁସ୍ତକମେଳା ଆଉ ୩ଦିନ

By Sambad | Date: Jan 12 2017 4:10AM
ପୁସ୍ତକମେଳା ଆଉ ୩ଦିନ

ଆମ ଓଡ଼ିଶା ଷ୍ଟଲ୍‌ରେ ବିଶେଷ ରିହାତି
ଆମ ଓଡ଼ିଶା ପକ୍ଷରୁ ଖୋଲିଥିବା ଷ୍ଟଲ୍‌ରେ ‘ଅଖିଳାୟନ’ ପୁସ୍ତକର ଲୋକପ୍ରିୟତା ଦେଖିବାକୁ ମିଳିଛି। ଏଥିସହ ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କ ଅନୁବାଦ ପୁସ୍ତକ ‘ଶ୍ରୀମୟୀ ମା’, ଧୃତିକାମ ମହାନ୍ତି ଓ ଶିବଶଙ୍କର ଓଝାଙ୍କ ‘ଗୀତ ପଛର ଗପ’, ମାନସ ପଢ଼ିଆରୀଙ୍କ ‘ଜୀବନର କେତେ ରଙ୍ଗ’ ଏବଂ ମନୁବେନ୍‌ ଗାନ୍ଧୀଙ୍କ ‘ବାପୁ ମୋ ମା’ ଭଳି ଗଳ୍ପ ଓ ଆଦର୍ଶଭିତ୍ତିକ ପୁସ୍ତକ ପ୍ରତି ପ୍ରତ୍ୟେକ ବର୍ଗ ଆଗ୍ରହ ପ୍ରକାଶ କରୁଛନ୍ତି। ରାଜଧାନୀ ପୁସ୍ତକ ମେଳା ଅବସରରେ ବିଶେଷ ରିହାତି ପୁସ୍ତକ ପ୍ରତି ପାଠକଙ୍କୁ ଆକର୍ଷିତ କରୁଛି। 
 
ପାର୍କିଂ ପାଇଁ ହଟହଟା
ଏକକାଳୀନ ଦୁଇଟି ମେଳା ଯୋଗୁଁ ପାର୍କିଂ ସମସ୍ୟା ନିୟନ୍ତ୍ରିତ ହେବା ସମ୍ଭବ ହୋଇପାରୁନାହିଁ। ଲୋକେ ସାମ୍ନାରେ ଗାଡ଼ି ରଖିବା ପରେ ପୁଣି ବାଧ୍ୟ ହୋଇ ଏକାମ୍ର ହାଟ ପାର୍କିଂ ସ୍ଥଳରେ ଗାଡ଼ି ରଖୁଥିଲେ ହେଁ ସେତକ ଜାଗା ବି ଅଣ୍ଟୁ ନାହିଁ। ତେଣୁ ପାର୍କିଂ ସମସ୍ୟା ଯୋଗୁଁ ଅନେକ ବାଧ୍ୟ ହୋଇ ରାମମନ୍ଦିର ଛକ ନିକଟରୁ ଗାଡ଼ିଗୁଡ଼ିକ ପାର୍କିଂ କରି ଆସୁଛନ୍ତି। 
 
କବିତା ଜୋର୍‌ରେ ପାଠ କର
ଶିଶିର ସରସ ଓ ପୁସ୍ତକ ମେଳା ଦୁଇଟିକୁ ବାଟ ଫିଟା ଯାଇଥିବା ବେଳେ ଦୁଇଟିଯାକ ମଞ୍ଚ ଆଗପଛ ହୋଇ ଲଗାଲଗି ହୋଇ ରହିଛି। ତେଣୁ ଗୋଟିଏ ପଟେ ଉଚ୍ଚାଙ୍ଗ ସଂଗୀତ ଚାଲିଥିବା ବେଳେ ଅନ୍ୟପଟେ ସାରସ୍ୱତ ସଭାରେ ବସି କାର୍ଯ୍ୟକ୍ରମ ଦେଖିବା କି ଶୁଣିବା ଅସହ୍ୟ ହୋଇପଡ଼ୁଛି। ବିଶେଷକରି ପୁସ୍ତକ ମେଳାରେ ଯେବେ କବିତା କି କୌଣସି ସଭା ହେଉଛି ସେତେବେଳେ ଅପର ପଟର ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମର ସଂଗୀତ ଯୋଗୁଁ ସ୍ପଷ୍ଟ ଶୁଣି ହେଉନାହିଁ। ତେଣୁ ଥଟ୍ଟାରେ ଅନେକ ଆୟୋଜକ କବିତା ଜୋର୍‌ ଜୋର୍‌ ସ୍ୱରରେ ପାଠ କରିବାକୁ କହୁଛନ୍ତି।