30 March 2017
10:10:15 PM
Sambad News
ମହାନଗର

ମେଳା ଲାଗିଛି ଯେଉଁଠି ରିହାତି, ସେଇଠି ଭିଡ଼

By Sambad | Date: Jan 12 2017 4:14AM
ମେଳା ଲାଗିଛି ଯେଉଁଠି ରିହାତି, ସେଇଠି ଭିଡ଼

ଭୁବନେଶ୍ୱର : ସହରର ଛାତି ଉପରେ ଏକକାଳୀନ ୨ଟି ମେଳା ସହରବାସୀଙ୍କୁ ମେଳା ମୁହାଁ କରିଛି। ଦିନ ଯେତିକି ସରିବ ସରିବ ହେଉଛି ମେଳାକୁ ଲୋକଙ୍କ ସମାଗମ ସେତିକି ବଢ଼ିବଢ଼ି ଚାଲିଛି। ୪ରୁ ଆରମ୍ଭ ହୋଇଥିବା ପୁସ୍ତକ ମେଳା ୧୪ରେ ସରିବାକୁ ଥିବା ବେଳେ ୫ରୁ ଆରମ୍ଭ ହୋଇଥିବା ଶିଶିର ସରସ ୧୫ରେ ଶେଷ ହେବ। ଆଗପଛ ହୋଇ ମେଳା ସରିବାକୁ ଆଉ ମାତ୍ର ୪ଦିନର ଅନ୍ତର। ତେଣୁ ମେଳା ଖାଲି ଜନ ସମୁଦ୍ର ପାଲଟୁନି, କିଛିଦିନ ତଳେ ବୁଲାବୁଲି କରି ଦେଖିସାରିଥିବା ଲୋକେ କିଛିନା କିଛି କିଣି ବାହାରକୁ ବାହାରୁଛନ୍ତି। କିଛି ପ୍ରକାଶନୀ ସଂସ୍ଥା ଅଧିକ ବିକ୍ରିବଟା ପାଇଁ ଯଥେଷ୍ଟ ରିହାତି ଯୋଗାଇ ଦେଉଛନ୍ତି। କିଛି ସ୍ଥାନରେ ଛୋଟ ପିଲାଙ୍କ ଅଭ୍ୟାସ ପୁସ୍ତିକା ୧୦ ଟଙ୍କାରେ ମିଳୁଥିବା ବେଳେ କିଛି ପ୍ରକାଶନୀ ସଂସ୍ଥା ୫୦୦ ଟଙ୍କାର ପୁରୁଣା ଇଂରାଜୀ ଉପନ୍ୟାସ ୧୦୦ ଟଙ୍କାରେ ଭେଟି ଦେଉଛନ୍ତି। ତେଣୁ ଯୁବବର୍ଗ ଏଠାରେ ଅଧିକ ସମୟ ବିତାଉଥିବା ବେଳେ ପରିବାର ସଦସ୍ୟ ପିଲାମାନଙ୍କ ପାଇଁ ଶସ୍ତାରେ ମିଳୁଥିବା ୧୦ ଟଙ୍କିଆ ଅଭ୍ୟାସ ପୁସ୍ତିକା ପାଇଁ ଭିଡ଼ ଜମାଉଛନ୍ତି। ବୟସ୍କମାନେ ବି ଧର୍ମଗ୍ରନ୍ଥ ମିଳୁଥିବା ସ୍ଥଳରେ ଚଟି ବହି ଖୋଜିଖୋଜି ସଂଗ୍ରହ କରୁଥିବା ପରିଲକ୍ଷିତ ହୋଇଛି।