26 February 2017
11:38:52 AM
Sambad News
ମହାନଗର

ଚନ୍ଦକାରେ କମିଲେ ପକ୍ଷୀ

By Sambad | Date: Jan 12 2017 4:15AM
ଚନ୍ଦକାରେ କମିଲେ ପକ୍ଷୀ

ଭୁବନେଶ୍ୱର : ଚଳିତବର୍ଷ ଚିଲିକାରେ ପକ୍ଷୀଙ୍କ ଆଗମନ ସର୍ବକାଳୀନ ରେକର୍ଡ କରିଥିବା ବେଳେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ପକ୍ଷୀଙ୍କ ଆଗମନ କମିଛି । ୨୦୧୬ ତୁଳନାରେ ଏଥରକ ପ୍ରାୟ ୫ ହଜାର ପକ୍ଷୀ କମ୍‌ ଆସିଥିବା ଜଣାପଡ଼ିଛି। ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ବିଫଳ ହୋଇଛି। ଆଗୁଆ ଶୀତ ପଡ଼ିଥିଲେ ମଧ୍ୟ ବିଦେଶୀରୁ ଆସିଥିବା ପକ୍ଷୀ ଏଥରକ ଚିଲିକାରେ ଅଟକି ରହିଯାଇଛନ୍ତି। ଯେଉଁଥି ପାଇଁ ଚନ୍ଦକା ଅଭୟାରଣ୍ୟ ଅଞ୍ଚଳ ମଧ୍ୟରେ ଥିବା ଜଳାଶୟକୁ ସେତେଟା ପକ୍ଷୀ ଆସି ନାହାନ୍ତି।
 
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କର୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୬ରେ ଅଭୟାରଣ୍ୟକୁ ୧୫,୭୮୭ ପକ୍ଷୀ ଆସିଥିଲେ। ହେଲେ ଏଥର ମାତ୍ର ୧୦,୨୪୭ ପକ୍ଷୀ ଅଭୟାରଣ୍ୟରେ ଥିବା ଜଳାଶୟଗୁଡ଼ିକୁ ଆସିଛନ୍ତି। ୧୪୨ ପ୍ରଜାତିର ପକ୍ଷୀ ରହିଛନ୍ତି। ସେଥିରୁ ୬୩ ପ୍ରଜାତି ପକ୍ଷୀ ପାଣିରେ ବାସ କରୁଥିବା ବେଳେ ୭୯ ପ୍ରଜାତିର ପକ୍ଷୀ ଉଭୟ ସ୍ଥାନ ବାସ କରନ୍ତି। ପାଣିରେ ରହୁଥିବା ପକ୍ଷୀଙ୍କ ମଧ୍ୟରୁ ୨୬ ପ୍ରଜାତିର ପକ୍ଷୀ ରାଜ୍ୟ ତଥା ଦେଶ ବାହାରର ଥିବା ବେଳେ ୩୭ ପ୍ରଜାତିର ସ୍ଥାନୀୟ ପକ୍ଷୀ ରହିଛନ୍ତି। ସାଇବେରିଆ, ଲଦାଖ, ବେଲୁଚିସ୍ତାନ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କାରେ ଦେଖାଯାଉଥିବା କିଛି ପକ୍ଷୀଙ୍କୁ ଏଥର ଦେଖିବାକୁ ମିଳିଛି। କମନ୍‌ ଟିଲ୍‌, ଗାଡଓ୍ଵାଲ୍‌, ପୋଚାଡ୍‌, କଟନ୍‌ ଟିଲ୍‌, ସୋଭଲର, ଗଡ ଉଇଟ୍‌, ସ୍ନାଇଟ୍‌ ଲାଇନ୍‌,  ପିନ୍‌ଟେଲ୍‌ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ଅଧିକ ରହିଛି। ଏହାବ୍ୟତୀତ ଭିତରକନିକା, ଚିଲିକାରୁ ମଧ୍ୟ କେତେକ ସ୍ଥାନୀୟ ପ୍ରଜାତିର ପକ୍ଷୀ ଏଥର ଅଭୟାରଣ୍ୟକୁ ଆସିଥିବା ଗଣନା ସମୟରେ ଜଣାପଡ଼ିଛି। କୌଣସି ନୂତନ ପ୍ରଜାତିର ପକ୍ଷୀ ଏଥର ଚିହ୍ନଟ ହୋଇ ନାହିଁ।
 
ଅଭୟାରଣ୍ୟକୁ ୪ଟି ସର୍କଲ(ଭୁବନେଶ୍ୱର, ଚନ୍ଦକା, ଡମପଡ଼ା ଏବଂ ହଳଦିଆ)ରେ ବିଭକ୍ତ କରାଯାଇ ୯ଟି ପକ୍ଷୀ ବିଶେଷଜ୍ଞ ଦଳ ଏଥର ଗଣନା କରିଥିଲେ। ମଙ୍ଗଳବାର ହୋଇଥିବା ଗଣନାରୁ ଜଣାପଡ଼ିଛି ଯେ କୁଶପାଙ୍ଗା, ମୁଣ୍ଡୁଳି, ଏକାମ୍ର କାନନରେ ଥିବା ଜଳାଶୟଗୁଡ଼ିକୁ ପକ୍ଷୀଙ୍କ ଆଗମନ ବଢ଼ିଛି। ଅନ୍ୟ ସ୍ଥାନଗୁଡ଼ିକୁ ପକ୍ଷୀଙ୍କ ଆଗମନ ସେତେଟା ସନ୍ତୋଷଜନକ ହୋଇ ନାହିଁ। ଭାଲୁଙ୍କା ପାଟରେ ପ୍ରାୟ ୬୦୦ ପକ୍ଷୀ ଥିବା ଗଣନାରୁ ଜଣାପଡ଼ିଛି। ଅଭୟାରଣ୍ୟରେ ଥିବା କେତେକ ଜଳାଶୟର ଜଳ ଅସ୍ଥିର ଥିବାରୁ ସେଠାକୁ ଏଥର ପକ୍ଷୀଙ୍କ ଆଗମନ ହୋଇ ନାହିଁ। ଏପରିକି ଅଭୟାରଣ୍ୟରେ ଜଳଉତ୍ସ ସଂଖ୍ୟା ହ୍ରାସ ପକ୍ଷୀ ସଂଖ୍ୟା କମିବାର ଅନ୍ୟ ଏକ କାରଣ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। 
 
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଡିଏଫ୍‌ଓ କେଦାର ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ଗୋଟିଏ ସ୍ଥାନରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଅନ୍ୟ ସ୍ଥାନରେ ହ୍ରାସ ପାଇଥାଏ। ସମୂହିକ ଭାବେ ରାଜ୍ୟରେ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇଛି। ଚିଲିକାକୁ ଅଧିକ ପକ୍ଷୀ ଆସିଥିବାରୁ ଚନ୍ଦକା ଅଭୟାରଣ୍ୟରେ ଥିବା ଜଳାଶ୍ରୟରେ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି।