23 February 2017
8:15:54 AM
Sambad News
ମହାନଗର

୪ ବର୍ଷର ଅପରାଧ ଡାଏରି : କଟକକୁ ବଳିଗଲାଣି ରାଜଧାନୀ

କ୍ରାଇମ୍‌ କ୍ୟାପିଟାଲ ଭୁବନେଶ୍ୱର

By Sambad | Date: Jan 12 2017 4:19AM
୪ ବର୍ଷର ଅପରାଧ ଡାଏରି : କଟକକୁ ବଳିଗଲାଣି ରାଜଧାନୀ

ହତ୍ୟାକାଣ୍ଡ ହେଉ ଅବା ଡକାୟତି ସବୁଥିରେ ଆଗରେ
 
ଭୁବନେଶ୍ୱର : ଦିନ ଥିଲା ବାଉନ ବଜାର ତେପନ ଗଳିର ସହର କଟକ ଥିଲା ଅପରାଧୀଙ୍କ ଚରାଭୂଇଁ। ଗ୍ୟାଙ୍ଗଷ୍ଟର ବା ଭାଇମାନଙ୍କ ରାଜୁତି ଚାଲୁଥିଲା କଟକରେ। କଥା କଥା କେ ଫୁଟୁଥିଲା ଗୁଳି, ହେଉଥିଲା ବୋମାମାଡ଼। ଟେଣ୍ଡର ଫିକ୍ସିଂ ପାଇଁ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଅପହରଣ ଓ ପ୍ରାଣାନ୍ତକ ଆକ୍ରମଣ ଭଳି ସାଂଘାତିକ ଅପରାଧରେ ଲିପ୍ତ ରହୁଥିଲେ କଟକର ଦୁର୍ଦାନ୍ତ ଅପରାଧୀ। କଟକକୁ କୁହାଯାଉଥିଲା ଓଡ଼ିଶାର କ୍ରାଇମ କ୍ୟାପିଟାଲ। କିନ୍ତୁ ଏବେ  ଚିତ୍ର ବଦଳି ଗଲାଣି।
 
ବିଗତ ୪ ବର୍ଷର ଅପରାଧକୁ ହିସାବକୁ ନେଲେ ଜଣାପଡ଼ୁଛି କଟକକୁ ବଳି ଯାଇଛି ରାଜଧାନୀ। ୨୦୧୬ ବର୍ଷରେ ହତ୍ୟା ମାମଲାରେ ରାଜଧାନୀ ଭୁବନେଶ୍ୱର କଟକଠାରୁ ପାଦେ ଆଗକୁ ଯାଇ ୪୦ ଅତିକ୍ରମ କରିଯାଇଛି।  ଡକାୟତି ଓ ଘରେ ପଶି ଲୁଟପାଟ ମାମଲାରେ ବି ଆଗରେ ରହିଛି ରାଜଧାନୀ।  ବାଇକ୍‌ ଚୋରି ରାଜଧାନୀରେ ନିତି ଦିନିଆ ଘଟଣା ପାଲଟିଛି। ଚୋରି ମାମଲା ରାଜଧାନୀରେ ଏକ ହଜାର ଟପିଥିବା ବେଳେ କଟକରେ ତାର ଅଧା ଅଙ୍କ ମଧ୍ୟ ଛୁଉଁ ନାହିଁ। ଆଜି କମିସନରେଟ୍‌ ପୁଲିସ ଅଧୀନରେ ଥିବା ଦ୍ୱୈତନଗରୀ କଟକ-ଭୁବନେଶ୍ୱରର ଅପରାଧ ତାଲିକା ସମ୍ପର୍କରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି।
 
କମିସନରେଟ୍‌ ପୁଲିସର ଅପରାଧ ହିସାବଫର୍ଦରୁ ଯାହା ଜଣାପଡ଼ିଛି,  ବିଗତ ୪ ବର୍ଷ( ୨୦୧୨ରୁ ୨୦୧୬)ମଧ୍ୟରେ ରାଜଧାନୀରେ କଟକଠାରୁ ଅଧିକ ହତ୍ୟାକାଣ୍ଡ ଓ ଗୁଳିକାଣ୍ଡ ଘଟିଛି। ଡକାୟତି, ଚୋରି, ସିନ୍ଧିଚୋରି ସବୁଥିରେ ରାଜଧାନୀ ଆଗରେ ରହିଛି। ଭୁବନେଶ୍ୱରରେ ଅସଦାଚରଣ ଓ ଦୁଷ୍କର୍ମ ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ କଟକ ଅପେକ୍ଷା ଭୁବନେଶ୍ୱରରେ ନାରୀମାନେ ଅଧିକ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଯାଇଛି। 
 
ବିଗତ ୪ ବର୍ଷ ମଧ୍ୟରେ ରାଜଧାନୀରେ ଅନେକ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ମଧ୍ୟ ଘଟିଛି। ଯାହା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ସେ ଉଷାଶ୍ରୀ ହତ୍ୟାକାଣ୍ଡରେ କର୍ଣେଲଙ୍କ ୩ ଶହ ପିସ୍‌  ଘଟଣା ହେଉ କିମ୍ବା ଖଣ୍ଡଗିରି ପାଦ ଦେଶରେ ଡାକ୍ତର ଅତୁଲ୍ୟ ମେହେର ଓ ତାଙ୍କ କେୟାର ଟେକର ପ୍ରଶାନ୍ତ ବେହେରା, ପୁଅ ମୀନୁ ବେହେରା ହତ୍ୟାକାଣ୍ଡ। ଏସବୁ ଲୋମଟାଙ୍କୁରା ହତ୍ୟା ମାମଲା ସାରା ଦେଶରେ ଚର୍ଚାର ବିଷୟ ପାଲଟିଥିଲା। ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାରରେ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ମଧ୍ୟ କମ୍‌ ଚାଞ୍ଚଲ୍ୟକର ନ ଥିଲା।
 
ସେହିପରି ଖାସ୍‌ ଘରୁ ଲୁଟପାଟ୍‌ ପାଇଁ ଡାକ୍ତର ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ତାଙ୍କ ପତ୍ନୀ ସୁଷମାରାଣୀ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ସେହିପରି ରସୁଲଗଡ଼ ଶବରସାହିରେ ବଚନସୁଧା ପଟ୍ଟନାୟକ ହତ୍ୟାକାଣ୍ଡର ଭୟାବହତାକୁ ଏଯାଏ ଭୁଲି ପାରିନାହାନ୍ତି ରାଜଧାନୀବାସୀ। ଲୁଟପାଟ ଘଟଣାରେ ମଧ୍ୟ କଟକକୁ ଟପି ଯାଇଛି ରାଜଧାନୀ। ଏଠାରେ ଲୁଟେରାମାନେ ସିରିଜ୍‌ ଲୁଟ୍‌ କରି ପୁଲିସକୁ ଦୁଇ ଦୁଇ ଥର ଚ୍ୟାଲେଞ୍ଜ କରିଛନ୍ତି। ୟୁକୋ ବ୍ୟାଙ୍କ ଡକାୟତି ମାମଲାରେ ମଧ୍ୟ ପୁଲିସକୁ ଚକ୍‌ମା ଦେଇ ରାଜ୍ୟ ବାହାରର ଡକାୟତ ଗ୍ୟାଙ୍ଗ୍‌ ଫେରାର ହୋଇଯିବା ଘଟଣା କମିସନରେଟ ପୁଲିସର ଭାବମୂର୍ତିରେ କଳଙ୍କ ଲଗାଇଛି। 
 
 
ସିନ୍ଧି ଚୋରି
ବର୍ଷ      ଭୁବନେଶ୍ୱର  କଟକ
୨୦୧୬ ୫୯୫      ୧୫୧
୨୦୧୫ ୬୨୨     ୨୦୮
୨୦୧୪ ୩୯୪     ୧୫୭
୨୦୧୩ ୨୫୬     ୧୨୫
୨୦୧୨ ୧୭୨      ୮୦

ଦୁଷ୍କର୍ମ
ବର୍ଷ      ଭୁବନେଶ୍ୱର  କଟକ
୨୦୧୬ ୭୭     ୬୭
୨୦୧୫ ୮୭      ୪୦
୨୦୧୪ ୭୨     ୬୬
୨୦୧୩ ୫୧     ୩୦
୨୦୧୨ ୫୬    ୨୮
 
ହତ୍ୟାକାଣ୍ଡ
ବର୍ଷ      ଭୁବନେଶ୍ୱର  କଟକ
୨୦୧୬   ୪୪            ୨୦
୨୦୧୫   ୪୪             ୧୭
୨୦୧୪   ୪୨             ୩୪
୨୦୧୩   ୪୮             ୩୩
୨୦୧୨   ୪୫              ୩୩
 
ଡକାୟତି
ବର୍ଷ      ଭୁବନେଶ୍ୱର  କଟକ
୨୦୧୬ ୧୧           ୩
୨୦୧୫ ୧୩           ୮
୨୦୧୪ ୧୨            ୩
୨୦୧୩ ୧୧           ୯
୨୦୧୨ ୧୦           ୪
 
ରବରି(ଲୁଣ୍ଠନ)
ବର୍ଷ      ଭୁବନେଶ୍ୱର  କଟକ
୨୦୧୬ ୨୦୧          ୫୦
୨୦୧୫ ୧୫୬       ୬୧
୨୦୧୪ ୧୨୩         ୩୮
୨୦୧୩ ୮୮         ୫୫
୨୦୧୨ ୮୧         ୫୭
 
ଘରେ ପଶି ଲୁଟ୍‌
 ବର୍ଷ      ଭୁବନେଶ୍ୱର  କଟକ
୨୦୧୬ ୨୪୪        ୧୧୦
୨୦୧୫ ୨୬୬      ୧୧୨
୨୦୧୪ ୨୮୬     ୧୬୩
୨୦୧୩ ୩୪୦      ୧୬୭
୨୦୧୨ ୨୯୨      ୧୪୦
 
 
ଚୋରି
ବର୍ଷ       ଭୁବନେଶ୍ୱର- କଟକ
୨୦୧୬- ୧୪୨୦      ୪୮୨ 
୨୦୧୫-  ୧୭୮୮     ୫୪୦
୨୦୧୪- ୧୪୩୨      ୬୨୩
୨୦୧୩ -୧୫୮୨      ୭୯୬
୨୦୧୨ - ୧୩୭୬     ୫୭୭