22 February 2017
10:54:05 PM
Sambad News
ମହାନଗର

ଆଦିବାସୀପଡ଼ାର ବିକାଶ ପାଇଁ ସହାୟତାର ହାତ ବଢ଼ାଇଲା ଏସ୍‌ବିଆଇ

By Sambad | Date: Jan 12 2017 4:28AM
ଆଦିବାସୀପଡ଼ାର ବିକାଶ ପାଇଁ ସହାୟତାର ହାତ ବଢ଼ାଇଲା ଏସ୍‌ବିଆଇ

ଭୁବନେଶ୍ୱର : ଦୀପ ତଳ ଅନ୍ଧାର।  ସ୍ମାର୍ଟ ସିଟି ଭୁବନେଶ୍ୱରଠାରୁ ୨୫କି.ମି. ଦୂରରେ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ନିକଟରେ ରହିଛି  କନ୍ଦଳେଇ (ମୁଣ୍ଡାସାହି) ଆଦିବାସୀପଡ଼ା। ଏହି ଅଗମ୍ୟ ଓ ଅପହଞ୍ଚ ଇଲାକାର ପ୍ରତିଭାବାନ୍‌ ଛାତ୍ରଛାତ୍ରୀମାନେ ଯେପରି ବଣ ଫୁଲ ପରି ବଣରେ ଫୁଟି ଝଡ଼ି ନପଡ଼ନ୍ତି,  ସେଥିପାଇଁ ସହାୟତାର ହାତ ବଢ଼ାଇଛି ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ। କନ୍ଦଳେଇ ଗ୍ରାମରେ  ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଏକ ଷ୍ଟିଲ୍‌ ଆଲମିରା, ଲୁହା ର‍୍ୟାକ, ପାଠ୍ୟପୁସ୍ତକ, ବସ୍ତ୍ର ଇତ୍ୟାଦି ପ୍ରଦାନ କରାଯାଇଥିଲା। 

 
ଏହି ଗ୍ରାମବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା ସହ ରୋଜଗାରକ୍ଷମ କରିବା ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କ ଭୁବନେଶ୍ୱର ମୁଖ୍ୟ ଶାଖା ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶାଖାର ଏଜିଏମ୍‌ ସତ୍ୟନାରାୟଣ ପାଣିଗ୍ରାହୀ ଏହି ଅବସରରେ ସୂଚନା ଦେଇଥିଲେ। ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶାଖାର କଲ୍ୟାଣ ସଚିବ ରୁଦ୍ର ପ୍ରସାଦ ମହାପାତ୍ର, ଚିଫ୍‌ ମ୍ୟାନେଜର ବୈକୁଣ୍ଠନାଥ ଷଡ଼ଙ୍ଗୀ, ଜଣାଶୁଣା ବାଲୁକା ଶିଳ୍ପୀ ସୁବଳ ମହାରଣା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଷ୍ଟେଟ୍‌ବ୍ୟାଙ୍କର ଏଭଳି ପ୍ରୟାସକୁ ସ୍ଥାନୀୟ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ଏବଂ ଗ୍ରାମବାସୀମାନେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।