21 January 2017
5:32:10 AM
image
Sambad News
ମହାନଗର

ଭରତପୁରରେ ଦେଢ଼ଦାନ୍ତିଆର ଉତ୍ପାତ : ଶୁଣ୍ଢରେ ପଥର ଫୋପାଡ଼ୁଛି

By Sambad | Date: Jan 12 2017 4:36AM
ଭରତପୁରରେ ଦେଢ଼ଦାନ୍ତିଆର ଉତ୍ପାତ : ଶୁଣ୍ଢରେ ପଥର ଫୋପାଡ଼ୁଛି

ଖଣ୍ଡଗିରି : ମଇଁଷି ମରା ମାକ୍‌ନା ଯିବା ପରେ ଏବେ ଭରତପୁରରେ  ପହଞ୍ଚିଛି ଦେଢ଼ ଦାନ୍ତିଆ ଦନ୍ତା। ଆସୁ ଆସୁ ଉତ୍ପାତ ଆରମ୍ଭ କରିଛି। ବନ କର୍ମଚାରୀମାନଙ୍କ ନିର୍ଦେଶ ମାନୁନାହିଁ। ବରଂ ସେମାନଙ୍କୁ ଡରାଇବାକୁ ଶୁଣ୍ଢରେ ପଥର ଧରି ଫିଙ୍ଗୁଛି। ଗତକାଲି ରାତିରେ ଅନ୍ଧାରୁଆ ମାଳିମ ଠାକୁରାଣୀଙ୍କ ନିକଟରେ ଏହି ଦନ୍ତା ବନ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗି ନୟାନ୍ତ କରିଛି। ଦେଢ଼ଦାନ୍ତିଆର ଏଭଳି ବିଚିତ୍ର ଆଚରଣ ବନ କର୍ମଚାରୀଙ୍କୁ ଯେତିକି ଚକିତ କରିଛି ସେତିକି ଆତଙ୍କିତ କରିଛି। ମାକ୍‌ନା ହାତୀ ମଇଁଷି ମାରିବା ଯେମିତି ଏକ ବିଚିତ୍ର କଥା ଥିଲା, ଭରତପୁର ହାତୀ ବନ କର୍ମଚାରୀଙ୍କୁ ପଥର ଫୋପାଡ଼ିବା ସେମିତି ଅତି ବିଚିତ୍ର ଥିଲା ବୋଲି ବନ କର୍ମଚାରୀମାନଙ୍କଠାରୁ ସୂଚନା ମିଳିଛି। 
 
ଗତ ପ୍ରାୟ ସପ୍ତାହେ ହେଲା ଏହି ଦନ୍ତା ହାତୀଟି ଭରତପୁର ଜଙ୍ଗଲକୁ ଫେରିଛି। ପୂର୍ବରୁ ସେ ଏଠାରେ ରହୁଥିଲା ଓ ମାତ୍ର ୩/୪ ମାସ ତଳେ ଖୋର୍ଧା ଜରିୁପଟ ଜଙ୍ଗଲକୁ ପଳାଇଥିଲା। ଏବେ କିଛି ଦିନ ହେଲା ହଳଦିଆ ରେଂଜ୍‌ ଦେଇ ଭରତପୁରକୁ ଫେରିଛି। ଏହାର ଗୋଟିଏ ଦାନ୍ତ ବେଶ୍‌ ବଡ଼ ଓ ଅନ୍ୟ ଛୋଟ ହୋଇଥିବାରୁ ସେ ଦେଢ଼ଦାନ୍ତିଆ ଦନ୍ତାଭାବେ ଜଣାଶୁଣା। କୌଣସି କାରଣରୁ ତା’ର ଗୋଟିଏ ଦାନ୍ତ ଅଧାରୁ ଭାଙ୍ଗି ଯାଇଛି। ପୂର୍ବରୁ ବନ କର୍ମଚାରୀମାନେ ତାକୁ ଘଉଡ଼ାଇବା ବେଳେ ସେ କିଛି ସମସ୍ୟା ସୃଷ୍ଟି କରୁନଥିଲା। ଲାଇଟ୍‌ ପଡ଼ିଲେ ବା ବନ କର୍ମଚାରୀମାନେ ପାଟି କରିଦେଲେ ସେ ଜଙ୍ଗଲ ଭିତରକୁ ପଳାଉଥିଲା। କିନ୍ତୁ ଗତକାଲି ରାତିରେ ତା’ଠାରେ ଅଦ୍ଭୁତ ପରିବର୍ତନ ଦେଖିବାକୁ ମିଳିଛି। 
 
ଖଣ୍ଡଗିରି-ଚନ୍ଦକା ରାସ୍ତାରେ ଅନ୍ଧାରୁଆ ମାଳିମ ଠାକୁରାଣୀ ଛକରେ ବନ କର୍ମଚାରୀଙ୍କ ମୋବାଇଲ୍‌ ଭ୍ୟାନ୍‌ ଥିଲା। ଦେଢ଼ଦାନ୍ତିଆ ଭରତପୁର ଆସିଥିବା କଥା ପୂର୍ବରୁ ଜଣାଥିବାରୁ ବନ କର୍ମଚାରୀମାନେ ତା’କୁ ଜଗି ବସିଥିଲେ। ରାତି ପ୍ରାୟ ଗୋଟାଏ ବେଳେ ଦେଢ଼ଦାନ୍ତିଆ ଜଙ୍ଗଲରୁ ବାହାରିଥିଲା। ତେଣୁ ବନ କର୍ମଚାରୀମାନେ ତାକୁ ପୁଣି ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ତା’ ଉପରକୁ ଲାଇଟ୍‌ ପକାଇଥିଲେ। ବନ କର୍ମଚାରୀଙ୍କୁ ଦେଖି ଦେଢ଼ଦାନ୍ତିଆ ପଛେଇ ପଛେଇ ଜଙ୍ଗଲ ପାଚେରି ଓ ଟ୍ରେଞ୍ଚ୍‌ ପାଖକୁ ଘୁଞ୍ଚିଗଲା। ବନ କର୍ମଚାରୀମାନେ ଭାବିଲେ ଜଙ୍ଗଲକୁ ଫେରିଯିବ। କିନ୍ତୁ ହଠାତ୍‌ ସେ ଦାନ୍ତରେ ପାଚେରିରୁ ପଥର ତାଡ଼ିଲା ଓ ଶୁଣ୍ଢରେ ଧରି ବନ କର୍ମଚାରୀଙ୍କ ଆଡ଼କୁ ଲକ୍ଷ୍ୟ କରି ଫିଙ୍ଗିଲା। ଧୂମ୍‌ଧାମ୍‌ କରି ପ୍ରାୟ ୧୦/୧୨ଟି ପଥର ଫିଙ୍ଗିବା ପରେ ଜଙ୍ଗଭଲ ଭିତରକୁ ପଳାଇଲା। ସୌଭାଗ୍ୟକୁ ଏଥିରେ କାହାର କିଛି କ୍ଷତି ହୋଇନଥିଲା। ଗୋଟିଏ ପଥର ଗାଡ଼ି ପର୍ଯ୍ୟନ୍ତ ଆସିଥିଲେ ବି ଗାଡ଼ିରେ ବାଜି ନଥିଲା। ପ୍ରାଣ ବିକଳରେ ଗାଡ଼ି ଧରି ବନ କର୍ମଚାରୀମାନେ ଘଟଣାସ୍ଥଳରୁ ପଳାଇ ଆସିଥିଲେ। 
 
ଉଲ୍ଲେଖଯୋଗ୍ୟ ଯେ ମାସକ ତଳେ ମଇଁଷି ମରା ମାକ୍‌ନା ଭରତପୁରରୁ ଡମପଡ଼ା ଯାଏଁ ଗୋଡ଼ାଇ ଗୋଡ଼ାଇ ମଇଁଷି ମାରିଲା। ଚନ୍ଦକାରେ ଡଜନେ ମଇଁଷିଙ୍କୁ ମାରିବା ପରେ ଏବେ ଆଠଗଡ଼ ଜଙ୍ଗଲରେ ଡେରା ପକାଇଛି। ସେଠାରେ ବି ପଣ କଲା ଭଳି ଗୋଡ଼ାଇ ଗୋଡ଼ାଇ ମଇଁଷିଙ୍କୁ ହତ୍ୟା କରୁଛି। ପ୍ରାୟ ୧୦ଟି ମଇଁଷି ତା’ର ଶିକାର ହୋଇ ସାରିଲେଣି। କିନ୍ତୁ ସେ ଚନ୍ଦକା ଛାଡ଼ି ପଳାଇଥିବାରୁ ଏହି କର୍ମଚାରୀମାନେ ଆଶ୍ୱସ୍ତ ହୋଇଥିଲେ। ମାତ୍ର ମାକ୍‌ନା ପରେ ଏବେ ଏଠାରେ ପହଞ୍ଚିଥିବା ଦେଢ଼ଦାନ୍ତିଆ ଚିନ୍ତା ବଢ଼ାଇଛି।