18 January 2017
7:28:44 PM
Sambad News
ମହାନଗର

ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ : ନିଶ୍ୱାସ ନେବାକୁ ବି ଭୟ

କ୍ୟାପିଟାଲ ହସ୍‌ପିଟାଲରେ ଦୈନିକ ୩୦ ଶ୍ୱାସରୋଗୀ

By Sambad | Date: Jan 12 2017 4:45AM
ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ : ନିଶ୍ୱାସ ନେବାକୁ ବି ଭୟ
Photo by : discoverbbsr.com

ପାତ୍ରପଡ଼ା ସବୁଠୁ ଅଧିକ ପ୍ରଦୂଷିତ
 
ଚନ୍ଦ୍ରଶେଖରପୁର : ରାଜଧାନୀ ଦିଲ୍ଲୀରେ ଭୟାବହ ବାୟୁ ପ୍ରଦୂଷଣ ଘଟଣା ଏବେ ବି କାହା ମନରୁ ଯାଇନାହିଁ। ସେଠାରେ ପରିସ୍ଥିତି ଏପରି ହେଲା ଯେ, ୧୫୦୦ରୁ ଅଧିକ ସ୍କୁଲକୁ ଛୁଟି ଘୋଷଣା କରି ଦିଆଗଲା। ଡାକ୍ତରଖାନାରେ ଶ୍ୱାସରୋଗୀମାନଙ୍କର ସଂଖ୍ୟା ବଢ଼ି ଚାଲିଲା। ଏ ପଟେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସେମିତି ସଂଗିନ୍‌ ନହେଲେ ବି ଗତ କିଛି ଦିନ ହେଲା ବାୟୁ ପ୍ରଦୂଷଣ ମାତ୍ରା ବଢ଼ି ବଢ଼ି ଚାଲିଛି। ବେଳେବେଳେ ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଛାଡ଼ୁନାହିଁ।  ପ୍ରଦୂଷଣ ବୋର୍ଡଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏବେ ରାଜଧାନୀ ଭୀଷଣ ଭାବେ ପ୍ରଦୂଷିତ। ଯାହାଫଳରେ ବିଭିନ୍ନ ହସ୍‌ପିଟାଲରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।  କେବଳ କ୍ୟାପିଟାଲ ହସ୍‌ପିଟାଲରେ  ଶ୍ୱାସ ରୋଗରେ ପୀଡ଼ିତ ଦୈନିକ ୩୦ରୁ ଅଧିକ ବୟସ୍କ ଓ ଛୋଟ ପିଲାମାନେ ଆସୁଛନ୍ତି। ବର୍ତମାନ ପାତ୍ରପଡ଼ା ଅଞ୍ଚଳ ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ଜଣାପଡ଼ିଛି। 
 
ବାୟୁମଣ୍ଡଳରେ ଧୂଳିକଣା ଓ ଧୂଆଁ ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣର ମାତ୍ରା ଜାଣିବା ପାଇଁ ବୋର୍ଡ ରାଜଧାନୀର ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣ ମାପ ଯନ୍ତ୍ର ଲଗାଇଛି।   କ୍ୟାପିଟାଲ ଥାନା ପରିସର, ନୂଆପଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ୍‌ ବିଲ୍‌ଡିଂ, ଆଇଆରସି ଭିଲେଜ, ପାତ୍ରପଡ଼ା, ସେଣ୍ଟ୍ରାଲ ଲାବୋରେଟାରି ଓ ପଳାସୁଣୀ ଛକ ନିକଟରେ ଏହି ଯନ୍ତ୍ର ଲାଗିଛି। ବାୟୁ ପ୍ରଦୂଷଣ ମାତ୍ରା ଦୁଇଟି ପଦ୍ଧତିରେ ସଂଗ୍ରହ କରାଯାଏ। ରେସ୍‌ପିରେବୁଲ ସସ୍‌ପେଣ୍ଡେଡ୍‌ ପାଟିକୁଲାଟ୍‌ ମ୍ୟାଟର(ଆରଏସ୍‌ପିଏମ୍‌) ଓ ଫାଇନ୍‌ ପାଟିକୁଲାଟ୍‌ ମ୍ୟାଟର(ପିଏମ୍‌) ଫାଇନ ପାଟିକୁଲାଟ୍‌ ମ୍ୟାଟର(ଅତି କ୍ଷୁଦ୍ର) ଧୂଳିକଣାର ଆକାର ୨.୫ ମାଇକ୍ରନ କିମ୍ବା ଏହାଠାରୁ କମ୍‌ ରହିବା କଥା। ବାୟୁମଣ୍ଡଳରେ ଏହାର ପରିମାଣ ୧ ମିଟରରେ ୬୦ ମାଇକ୍ରୋଗ୍ରାମ୍‌ରୁ ଅଧିକ ରହିଲେ ପ୍ରଦୂଷଣ ମାତ୍ରା ବଢ଼ିଥିବା ଜଣାପଡ଼େ। ସେହିପରି ଆରଏସ୍‌ପିଏମ୍‌ ଧୂଳିକଣା ଫାଇନ ପାଟିକୁଲେଟ ମ୍ୟାଟର ଧୂଳିକଣାଠାରୁ ସାମାନ୍ୟ ବଡ଼। ଅର୍ଥାତ ୧୦ ମାଇକ୍ରନ୍‌ରୁ କମ୍‌। ଏହାର ପରିମାଣ ୧୦୦ ମାଇକ୍ରୋଗ୍ରାମ୍‌ ଟପିଲେ ବାୟୁମଣ୍ଡଳ ପ୍ରଦୂଷିତ ବୋଲି ଜଣାପଡ଼େ। 
 
ମିଳିଥିବା ତଥ୍ୟ ଅନୁଯାୟୀ, କ୍ୟାପିଟାଲ ଥାନା ଅଞ୍ଚଳରେ ପିଏମ୍‌ (୨.୫) ୭୩ ଓ ପିଏମ୍‌(୧୦) ୧୧୫ ଥିବା ବେଳେ ନୂଆପଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ୍‌ ବିଲ୍‌ଡିଂ ଅଞ୍ଚଳରେ ପିଏମ୍‌ (୨.୫) ୮୨ ଓ ପିଏମ୍‌(୧୦) ୧୦୭, ଆଇଆରସି ଭିଲେଜ ଅଞ୍ଚଳରେ ପିଏମ୍‌ (୨.୫) ୯୫ ଓ ପିଏମ୍‌(୧୦) ୧୧୪, ପାତ୍ରପଡ଼ା ପିଏମ୍‌ (୨.୫) ୧୨୧ ପିଏମ୍‌(୧୦) ୨୧୦, ସେଣ୍ଟ୍ରାଲ ଲାବୋରେଟାରି ଅଞ୍ଚଳରେ ପିଏମ୍‌ (୨.୫) ୪୭ ଓ ପିଏମ୍‌(୧୦) ୭୮ ଓ ପଳାସୁଣୀ ଛକରେ ପିଏମ୍‌ (୨.୫) ୪୭ ଓ ପିଏମ୍‌(୧୦) ୧୨୦ ରହିଛି। ଏହି ପରିସଂଖ୍ୟାନକୁ ଦେଖିଲେ ଗତବର୍ଷ ତୁଳନାରେ ଚଳିତ ବର୍ଷ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିଥିବା ସ୍ପଷ୍ଟ ହେଉଛି। 
 
ଏ ନେଇ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ କହନ୍ତି, ବର୍ତମାନ ରାଜଧାନର ପାଗ କୋହଲା ରହୁଛି। ତାପମାତ୍ରା ମଧ୍ୟ କମ୍‌ ରହୁଛି। ଏଣୁ ରାଜଧାନୀର ବାୟୁ ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ସହ ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏଥିରେ ପାଣି ସିଞ୍ଚିବା ପାଇଁ କୁହାଗଲେ ମଧ୍ୟ କେହି ଶୁଣୁନାହାନ୍ତି। ଫଳରେ ଏପରି ପ୍ରଦୂଷଣ ଘଟୁଛି ଏବଂ ଅଧିକ ସମୟ ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଛି। ପରବର୍ତୀ ସମୟରେ ଏହା ଅଧିକ କ୍ଷତିକାରକ ହୋଇପାରେ ବୋଲି ଶ୍ରୀ ପାଣିଗ୍ରାହୀ ଆଶଙ୍କା ପ୍ରକାଶ କରିଛନ୍ତି।