30 March 2017
12:02:17 PM
Sambad News
ମହାନଗର

ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ଦାବି ତେଜିଲା : ଭାଙ୍ଗିଥିଲ, ଏବେ ଗଢ଼ିଦିଅ

ନୂଆ ମଣ୍ଡପ ନିର୍ମାଣ ନ ହେଲେ ଆନ୍ଦୋଳନ ତୀବ୍ର ହେବ : ନୂଆସାହି ମହାବୀର ସୋସିଆଲ ଅର୍ଗାନାଇଜେସନ

By Sambad | Date: Jan 12 2017 4:48AM
ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ଦାବି ତେଜିଲା : ଭାଙ୍ଗିଥିଲ, ଏବେ ଗଢ଼ିଦିଅ

ଭୁବନେଶ୍ୱର : ୟୁନିଟ-୮ କଲ୍ୟାଣ ମଣ୍ଡପ ନ ଭାଙ୍ଗିବା ପାଇଁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। କୋର୍ଟ ବି ଚୂଡ଼ାନ୍ତ ରାୟ ଦେଇ ନ ଥିଲେ। କଲ୍ୟାଣ ମଣ୍ଡପ ଭଙ୍ଗା ହେବ ବୋଲି ବିଏମ୍‌ସି କି ବିଡିଏ କର୍ତ୍ତୃପକ୍ଷଙ୍କ ପାଖରେ  କୋର୍ଟଙ୍କ ନିର୍ଦ୍ଦେଶନାମା ନଥିଲା। ହେଲେ ଜିଦ୍‌ ରଖିବା ପାଇଁ ୩୨ବର୍ଷର କଲ୍ୟାଣ ମଣ୍ଡପକୁ ମାଟିରେ ମିଶାଇ ଦେଲେ। ଏବେ କହୁଛନ୍ତି ବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟ ଏଠାରେ ହେବ ନାହିଁ। ଯଦି ଏଠାରେ ବିଏମ୍‌ସି କାର୍ଯ୍ୟାଳୟ ହେବାର ନ ଥିଲା ତେବେ କାହିଁକି ଏ ମଣ୍ଡପ ଭଙ୍ଗା ହେଲା ବୋଲି ପ୍ରଶ୍ନ ଉଠାଇଛି ନୂଆସାହି ମହାବୀର ସୋସିଆଲ ଅର୍ଗାନାଇଜେସନ୍‌।
 
ରାଜଧାନୀର ସବୁଠୁ ଲୋକପ୍ରିୟ ମଲ୍ୟାଣ ମଣ୍ଡପକୁ ବିଏମ୍‌ସି ଭାଙ୍ଗିବାକୁ ଯୋଜନା କରିବା ଦିନଠାରୁ ବିରୋଧ କରିଥିଲା ନୂଆସାହି ମହାବୀର ସୋସିଆଲ ଅର୍ଗାନାଇଜେସନ। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ବି କରିଥିଲା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ବୁଝାଇ ଦେଇଥିଲେ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ଏହାଠାରୁ ଭଲ ଜାଗା ମିଳିବନି। ତେଣୁ ଏହି କଲ୍ୟାଣ ମଣ୍ଡପ ତୁରନ୍ତ ଭଙ୍ଗା ହେବା ଦରକାର। ଏପରିକି ବିଭାଗୀୟ ଅଧିକାରୀମାନେ ବି ଆଲୋଚନା ସମୟରେ କଲ୍ୟାଣ ମଣ୍ଡପ ଭାଙ୍ଗିବାକୁ ବିରୋଧ କରିଥିଲେ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ବୁଝାଇଥିଲେ, ଏଠାରେ ବିଏମ୍‌ସିର ନୂତନ କାର୍ଯ୍ୟାଳୟ ହେଲେ କିଛି ଅସୁବିଧା ହେବନି। ଏହାପରେ ମୁଖ୍ୟ ଶାସନ ସଚିବ କଲ୍ୟାଣ ମଣ୍ଡପ ଭାଙ୍ଗିବାକୁ ସବୁଜ ସଂକେତ ଦେଇଥିଲେ। ଆଉ ତିନି ଦିନରେ ୟୁନିଟ-୮ କଲ୍ୟାଣ ମଣ୍ଡପ ମାଟିରେ ମିଶି ଯାଇଥିଲା।
 
ଏବେ ବିଏମ୍‌ସି କାର୍ଯ୍ୟାଳୟ ପାଇଁ ଡିଜାଇନ୍‌ ପ୍ରସ୍ତୁତ ହେବାରୁ ଜଣାପଡ଼ିଛି ଯେ, କର୍ତ୍ତୃପକ୍ଷ ଯେମିତି କାର୍ଯ୍ୟାଳୟ ନିର୍ମାଣ କରିବାକୁ ଚାହୁଁଛନ୍ତି ତାହା ଏଠାରେ ହୋଇପାରିବନି। ଏହାପରେ କେଉଁଠି ନୂତନ କାର୍ଯ୍ୟାଳୟ ହେବ ସେଥିପାଇଁ ଜାଗା ଖୋଜିବା ଆରମ୍ଭ ହୋଇଯାଇଛି।
 
ଏ ନେଇ ନୂଆସାହି ମହାବୀର ସୋସିଆଲ ଅର୍ଗାନାଇଜେସନ୍‌ର ସମ୍ପାଦକ ମିଲନ ପାଇକରାୟ କହିଛନ୍ତି ଯେ, ମେୟର ଓ କମିସନର ତାଙ୍କ ଜିଦ୍‌ ରଖିବା ପାଇଁ ସବୁ ନିୟମକୁ ଜଳାଞ୍ଜଳି ଦେଇଦେଲେ। ଲୋକଙ୍କ ସ୍ୱାର୍ଥକୁ ଗୋଇଠା ମାରି ନିଜ ସ୍ୱାର୍ଥ ଦେଖିଲେ। ଯାହାର ପରିଣାମ ସ୍ୱରୂପ କଲ୍ୟାଣ ମଣ୍ଡପ ମାଟିରେ ମିଶିଲା। ବିଏମ୍‌ସି କର୍ତ୍ତୃପକ୍ଷ ଯେମିତି କଲ୍ୟାଣ ମଣ୍ଡପ ଭାଙ୍ଗିବାକୁ ସବୁ ବଳ ଲଗାଇ ଦେଇଥିଲେ ଏବେ ସେମିତି ବଳ ଲଗାଇ ଏଠାରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ କରନ୍ତୁ। ସ୍ମାର୍ଟ ସିଟିର ସ୍ମାର୍ଟ କଲ୍ୟାଣ ମଣ୍ଡପ ହେଉ। ଯଦି ଏଠାରେ ନୂତନ କଲ୍ୟାଣ ମଣ୍ଡପ ନ ହେବ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର୍‌ ହେବ ବୋଲି ଶ୍ରୀ ପାଇକରାୟ କହିଛନ୍ତି।