22 February 2017
10:53:38 PM
Sambad News
ମହାନଗର

କଂକ୍ରିଟ ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ : ନାକେଦମ୍‌ କଲା ବାର୍‌ହା

ରୁଚିକା ମାର୍କେଟ୍‌ରୁ ଉଦ୍ଧାର କଲା ବନ ବିଭାଗ

By Sambad | Date: Jan 12 2017 4:50AM
କଂକ୍ରିଟ ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ : ନାକେଦମ୍‌ କଲା ବାର୍‌ହା

ଖଣ୍ଡଗିରି : କେତେବେଳେ ହାତୀ ତ କେତେବେଳେ ହେଟାବାଘ। କେତେବେଳେ ହରିଣ ତ ପୁଣି କେତେବେଳେ ବାର୍‌ହା। ଜଙ୍ଗଲୀ ଜୀବଜନ୍ତୁ ହେଉଛନ୍ତି ସହର ମୁହାଁ। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ପେଟ ବିକଳରେ କଂକ୍ରିଟ ଜଙ୍ଗଲ ଭିତରକୁ ପଶି ଆସୁଛନ୍ତି।  ଆଜି ରାଜଧାନୀ ଭିତରକୁ ପଶି ଆସିଥିବା ଏମିତି ଏକ ଜଙ୍ଗଲୀ ବାର୍‌ହାକୁ ଧରିବାକୁ ଯାଇ ସକାଳ ୭ଟାରୁ ଅପରହାଣ ୩ଟା ଯାଏ ଦୀର୍ଘ ୮ ଘଣ୍ଟା ଧରି ନାକେଦମ୍‌ ହୋଇଛି ବନ ବିଭାଗ। ପ୍ରାଣ ବିକଳରେ ଦୌଡ଼ୁଥିବା ବାର୍‌ହାଟିକୁ ସ୍ଥାନୀୟ ଲୋକେ ଟେକା ପଥର ଫିଙ୍ଗିବା ସହ ଠେଙ୍ଗା ଧରି ମାରିବାକୁ ଗୋଡ଼ାଇବା ନଜରକୁ ଆସିଥିବାବେଳେ ବାର୍‌ହା ଉଦ୍ଧାରରେ ଅହେତୁକ ବିଳମ୍ବକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ଶେଷରେ ବରମୁଣ୍ଡା ରୁଚିକା ମାର୍କେଟ୍‌ରୁ ବନ ବିଭାଗ ଏହି ପ୍ରାପ୍ତବୟସ୍କ ମାଈ ବାର୍‌ହାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ପୁଣି ଭରତପୁର ଜଙ୍ଗଲରେ ଛାଡ଼ିଛି।
 
ଟେକା ପଥର ଫିଙ୍ଗିଲେ, ଠେଙ୍ଗା ଧରି ଗୋଡ଼ାଇଲେ
ପୂର୍ବରୁ ଭରତପୁର ଜଙ୍ଗଲର ହାତୀ ପଶୁଥିଲେ ରାଜଧାନୀରେ। ଏବେ ବାର୍‌ହା ପଶିଲେ। ଗତକାଲି ରାତିରେ ସହରକୁ ପଶି ଆସିବା ପରେ ବାର୍‌ହାଟି ବାଟବଣା ହୋଇ ଜନବସତି ଭିତରେ ରହିଯାଇଥିଲା। ଆଜି ଭୋର୍‌ ସମୟରେ ସେନସସ୍‌ କଲୋନିର ଜଣେ ମହିଳା ପ୍ରଥମେ ତାଙ୍କ ବାଡ଼ିରେ ଏହି ବାର୍‌ହାକୁ ଦେଖିଥିଲେ। ଭୟରେ ସେ ପାଟି କରିବାରୁ ପାଖପଡ଼ୋଶୀ ଲୋକେ ବାର୍‌ହା ଦେଖିବାକୁ ସେଠାରେ ରୁଣ୍ଡ ହୋଇଯାଇଥିଲେ ଏବଂ  ତା’ ଉପରକୁ ଟେକା ପଥର ଫିଙ୍ଗିଥିଲେ। ଫଳରେ ଭୟଭୀତ ହୋଇ ବାର୍‌ହାଟି କଲୋନିର ଏଣେତେଣେ ଦୌଡ଼ିବାକୁ ଲାଗିଥିଲା। ଏହା ଦେଖି କିଛି ଲୋକ ଠେଙ୍ଗାବାଡ଼ି ଧରି ବାର୍‌ହାକୁ ମାରିବାକୁ ପିଛା କରିଥିଲେ। କିନ୍ତୁ  ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ଏହି ବାର୍‌ହାଟି ବିଜୁଳି ବେଗରେ ଧାଉଁଥିବାରୁ ଲୋକେ ତା’ର କିଛି କ୍ଷତି କରି ପାରିନଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ଓ ପୁଲିସ ପହଞ୍ଚିବା ପରେ ବାର୍‌ହାକୁ  ଗୋଡ଼ାଇବାକୁ ଲୋକଙ୍କୁ ବାରଣ କରିଥିଲେ ବି ଲୋକେ ତା’ର ପିଛା ଛାଡ଼ିନଥିଲେ। ଏମିତି ପ୍ରାୟ ୨ ଘଣ୍ଟା କାଳ କଲୋନି ସାରା ବାର୍‌ହାଟି ଦୌଡ଼ାଦୌଡ଼ି କରିଥିଲା। ମଝିରେ ମଝିରେ ବଣବୁଦା ଦେଖି ଲୁଚି ଯାଉଥିଲେ ବି ଲୋକେ ପୁଣି ଟେକା ପକାଇ ତା’କୁ ଅସ୍ତବ୍ୟସ୍ତ କରି ପକାଉଥିଲେ। 
 
ଜୀବନ ବିକଳରେ ପଶିଗଲା ଗ୍ୟାସ୍‌ ଦୋକାନରେ
ଶେଷରେ ଦୌଡ଼ି ଦୌଡ଼ି ବାର୍‌ହାଟି ବରମୁଣ୍ଡା ରୁଚିକା ମାର୍କେଟ୍‌ ଆଡ଼କୁ ପଳାଇଥିଲା। ସେତେବେଳକୁ ବଜାରରେ ସତ୍ୟବ୍ରତ ସାହୁ ତାଙ୍କ ଗ୍ୟାସ୍‌ ମରାମତି ଦୋକାନ ଖୋଲୁଥିଲେ। ଆଉ ଜୀବନ ବିକଳରେ ବାର୍‌ହାଟି ସେହି ଦୋକାନ ଭିତରେ ପଶି ଯାଇଥିଲା। ସତ୍ୟବ୍ରତ ତୁରନ୍ତ ଦୋକାନ ସଟର୍‌ ପକାଇ ଦେଇଥିଲେ। ଫଳରେ ବାର୍‌ହାଟି ଭିତରେ ରହିଯାଇଥିଲା। ବାର୍‌ହା ପଶିଥିବା ଖବର ପାଇ ଏହା ଦେଖିବାକୁ ସେଠାରେ ଶହ ଶହ କୌତୂହଳି ଜନତାଙ୍କ ଭିଡ଼ ଜମିଥିଲା। ତେବେ ଏତେ ଭିଡ଼ ଭିତରେ ବାର୍‌ହାଟିକୁ କେମିତି ଅକ୍ଷତ ଅବସ୍ଥାରେ ଧରାଯିବ ଏହାକୁ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଥିଲା।
 
ବାର୍‌ହା ଧରିବାରେ ବିଳମ୍ବ ନେଇ ଉତ୍ତେଜନା
ଅନ୍ୟପକ୍ଷରେ ବାର୍‌ହାକୁ କାବୁ କରିବାକୁ ଏକ ଯନ୍ତା ଆଣିବାରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାର୍‌ହା ପାଇଁ ଲୋକଙ୍କ ଭିଡ଼ ଲାଗି ରହିବାରୁ ମାର୍କେଟରେ କାରବାର ମଧ୍ୟ ପ୍ରଭାବିତ ହୋଇଥିଲା। ଫଳରେ ସଂପୃକ୍ତ ଗ୍ୟାସ୍‌ ଦୋକାନୀ ସମେତ ଅନ୍ୟ ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବାର୍‌ହାକୁ ଉଦ୍ଧାର କରିବା ପାଇଁ ନନ୍ଦନକାନନରୁ ଏକ ଟିମ୍‌ ମଧ୍ୟ ଆସିଥିଲେ। ଆବଶ୍ୟକ ହୋଇଥିଲେ ତା’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଯୋଜନା ମଧ୍ୟ କରାଯାଇଥିଲା। ମାତ୍ର ଅପରାହ୍ଣ ପ୍ରାୟ ୩ଟାବେଳକୁ  ବନ ବିଭାଗର କର୍ମଚାରୀମାନେ ଡମପଡ଼ାରୁ ଏକ ଯନ୍ତା ଆଣିବା ପରେ ଦୋକାନର ସଟର୍‌ ଖୋଲି ବାର୍‌ହାଟିକୁ ଉଦ୍ଧାର କରିଥିଲେ। ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ୱାଇଁଙ୍କ ସୂଚନାନୁସାରେ ବାର୍‌ହାଟି ସୁସ୍ଥ ଥିଲା ଓ ତା’କୁ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଇଛି।  
 
ଗତ ରାତିରେ କିଛି ବାର୍‌ହା ଓୟୁଏଟି ଫାର୍ମକୁ ଆସିଥିଲେ। ଭୋର୍‌ ସମୟରେ ସେମାନେ ଜଙ୍ଗଲକୁ ଫେରିବାବେଳେ ଏହି ବାର୍‌ହାଟି ବାଟବଣା ହୋଇ ରହିଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ସମର୍ଥିତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭରତପୁର ଜଙ୍ଗଲର ପ୍ରାୟ ୮ଟି ବାର୍‌ହା ଗତ କିଛି ମାସ ହେଲା ଓୟୁଏଟି ଫାର୍ମ ଭିତରେ ରହିଛନ୍ତି। ଗୋଟିଏ ବାର୍‌ହା ଛୁଆ ଜନ୍ମ ଦେଇଛି। ତେଣୁ ଏବେ ସେମାନଙ୍କୁ ଜଙ୍ଗଲକୁ ତଡ଼ି ହେଉନାହିଁ। ସେହି ବାର୍‌ହା ପଲରୁ ଗୋଟିଏ ଆଜି ନାଳରୁ ପାଣି ପିଉଥିବାବେଳେ କୁକୁରମାନେ ଗୋଡ଼ାଇବାରୁ ସେନସସ୍‌ କଲୋନିରେ ପଶି ଯାଇଥିଲା।