26 June 2017
12:41:19 AM
Sambad News
ମହାନଗର

ରାଜଧାନୀରେ ନକଲି ଅଣ୍ଡାକୁ ନେଇ ଚର୍ଚା

By Sambad | Date: Apr 21 2017 5:06AM
ରାଜଧାନୀରେ ନକଲି ଅଣ୍ଡାକୁ ନେଇ ଚର୍ଚା

ଭୁବନେଶ୍ୱର : ରାଜଧାନୀରେ ନକଲି ବା ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ହେଉଥିବା ନେଇ   ଚର୍ଚା ଆରମ୍ଭ ହୋଇଛି।  ଏହାକୁ ନେଇ କେତେକ ଖାଉଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ପ୍ରକୃତରେ ଏଭଳି ଅଣ୍ଡା କେଉଁଠି ବିକ୍ରି ହେଉଛି ସେ ନେଇ କେହି ନିର୍ଦିଷ୍ଟ ଅଭିଯୋଗ କରିନାହାନ୍ତି। ଦେଶର ଅନ୍ୟ ସହରରେ ଏଭଳି ନକଲି ଅଣ୍ଡା ବିକ୍ରି ହେଉଥିବା ନେଇ କିଛି ଜାତୀୟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଭିଡିଓ ପ୍ରସାରିତ ହେବା ପରେ  ଭୁବନେଶ୍ୱରରେ ମଧ୍ୟ ଏଭଳି ଅଣ୍ଡା ବିକ୍ରି ହେଉଥିବା ଚର୍ଚା ହେଉଛି। ତେବେ ଏହାର ସତ୍ୟାସତ୍ୟ ଜଣାପଡ଼ି ନାହିଁ। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ କୋଲକାତାରେ  ଏମିତି ଅଭିଯୋଗ ଆସିଥିଲେ ହେଁ ଜବତ ଅଣ୍ଡାଗୁଡ଼ିକୁ ପରୀକ୍ଷାଗାରରେ ପରୀକ୍ଷା କରାଯିବା ପରେ ଏସବୁ ଅସଲି ବୋଲି ରିପୋର୍ଟ ଆସିଥିବା ଜଣାପଡ଼ିଛି।   
 
ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ନକଲି ଅଣ୍ଡାକୁ କେମିତିି ଚିହ୍ନିବେ ସେ ନେଇ ମଧ୍ୟ ସୂଚନା ଦିଅଯାଇଛି। କୁହାଯାଉଛି ଯେ ଏହି ଅଣ୍ଡା ଅଳ୍ପ ଉତ୍ତାପରେ ସିଝି ଯାଉଛି, ରବର ଭଳି ବାସୁଛି, ନିଆଁରେ ପୋଡ଼ିଲେ ଅଣ୍ଡାଟି ପୋଡ଼ିଯାଉଛି ଏବଂ ସିିଝିବା ପରେ କେଶର ଅଣ୍ଡାର ଗୋଟିଏ ପଟେ ଜମି ଯାଉଛି। ତେବେ ଏହି ପ୍ରକ୍ରିୟାରେ ନକଲି ଅଣ୍ଡା ଚିହ୍ନଟ କରାଯିବା ଘଟଣାକୁ ସମସ୍ତେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପରୀକ୍ଷାଗାରରେ ବିଶେଷଜ୍ଞମାନଙ୍କ ଦ୍ୱାରା ଉପଯୁକ୍ତ ପରୀକ୍ଷା ପରେ ଅଣ୍ଡା ନକଲି କି ଅସଲି କହିହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
 
ଏଠାରେ ପ୍ରକାଶ ଥାଉକି, ଗତ ମାର୍ଚ ୩୧ ତାରିଖ କୋଲକାତାରେ ଜଣେ ଗୃହିଣୀ ନକଲି ଅଣ୍ଡା ନେଇ  କେୟୋଟୋଲା ଥାନାରେ ଅଭିଯୋଗ କରିବାରୁ ପୁଲିସ ମହମ୍ମଦ ସମିମ୍‌ ଅନସାରି ନାମକ ଜଣେ ଅଣ୍ଡା ହୋଲସେଲରଙ୍କୁ ଅଟକ ରଖିଥିଲା। ପରବର୍ତୀ ସମୟରେ କୋଲକାତା ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ୩୮ଟି ସ୍ଥାନରୁ ଅଣ୍ଡା ସଂଗ୍ରହ କରାଯାଇ କୋଲକାତାରେ ଥିବା ଲାବୋରୋଟାରିରେ ଯାଞ୍ଚ କରାଯାଇଥିଲା। ଯାହାର ରିପୋର୍ଟ ଗତକାଲି ଆସିଛି। ରିପୋର୍ଟରେ ସେଗୁଡ଼ିକ ନକଲି ଅଣ୍ଡା ନ ଥିଲା ବୋଲି ଜଣାପଡ଼ିଛି। ଏପରିକି ଡିଏନ୍‌ଏ ଟେଷ୍ଟ କରିବା ପରେ ଅଣ୍ଡା କେଉଁ କୁକୁଡା ଦେଇଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇଛି।
 
ଏହି ପରିପ୍ରେକ୍ଷୀରେ ଏବେ ରାଜଧାନୀରେ ନକଲି ଅଣ୍ଡା ବିକ୍ରି ନେଇ ଚର୍ଚା ହେଉଥିବାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଣ୍ଡା ପରୀକ୍ଷା କରାଯାଇ ସ୍ପଷ୍ଟ କରାଯିବା ଉଚିତ ବୋଲି ଅନେକେ ମତ ପୋଷଣ କରିଛନ୍ତି।