26 June 2017
12:40:36 AM
Sambad News
ମହାନଗର

ଗୋରୁଙ୍କ ପେଟରେ ପଲିଥିନ୍‌ ବିଷ

ବର୍ଷକୁ ମରୁଛନ୍ତି ୫୦୦ରୁ ଅଧିକ ଗୋରୁ, ମଣିଷଙ୍କୁ ବି ବିପଦ

By Sambad | Date: Apr 21 2017 5:08AM
ଗୋରୁଙ୍କ ପେଟରେ ପଲିଥିନ୍‌ ବିଷ

ରାଜଧାନୀରେ କାର୍ଯ୍ୟକାରୀ ହେଉନି ପଲିଥିନ୍‌ ବ୍ୟବହାର କଟକଣା, ଖୁଲମଖୁଲା ବିକ୍ରି ହେଉଛି ପଲିଥିନ୍‌, ହାତ ଟେକି ଦେଇଛି ବିଏମ୍‌ସି
 
ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରରେ ଏବେ ବି ଅନେକ ଗୋରୁ ଗାଈ ରଖି କ୍ଷୀର ବିକ୍ରି କରୁଛନ୍ତି। ହେଲେ ଗୁହାଳରେ ଗୋରୁ ବାନ୍ଧି ରଖିବାକୁ କେହି ପସନ୍ଦ କରୁନାହାନ୍ତି। ସକାଳୁ ସକାଳୁ କ୍ଷୀର ଦୁହିଁନେବା ପରେ ନାଁକୁ ମାତ୍ର କିଛି ଖାଇବାକୁ ଦେଇ ବାହାରକୁ ଚରିବାକୁ ଛାଡ଼ି ଦେଉଛନ୍ତି। ଦିନ ତମାମ୍‌ ଗାଈ ବାହାରେ ବୁଲୁଛି। ରାସ୍ତାକଡ଼ ଅଳିଆ ଆର୍ବଜନାଠାରୁ ଆରମ୍ଭ କରି ପଲିଥିନ୍‌ ପର୍ଯ୍ୟନ୍ତ ଯାହା ପାଉଛି ପେଟପୂରା ଖାଉଛି। ସବୁ ହଜମ ହୋଇଯାଉଛି, ହେଲେ ପଲିଥିନ୍‌ ହଜମ ହେଉନି କି ଗୋବର ହୋଇ ବାହାରୁନି। ବିଷାକ୍ତ ପଲିଥିନଗୁଡ଼ିକ ପାକସ୍ଥଳୀକୁ ଚାରିକଡ଼ୁ ଗୁଡ଼ାଇ ରଖୁଛି। ଜମାଟ ବାନ୍ଧି ଗୋରୁଙ୍କ ପେଟ ଫୁଲାଇ ଦେଉଛି। ଯଦି କେତେବେଳେ ଅସ୍ତ୍ରୋପଚାର ହେଉଛି ଗୋରୁ ପେଟରୁ ୧୫ରୁ ୩୦ କିଲୋ ପର୍ଯ୍ୟନ୍ତ ପଲିଥିନ୍‌ ବାହାରୁଛି। ଅନେକ ଗୋରୁ ଏହି ପଲିଥିନ୍‌ ଖାଇବା ଯୋଗୁଁ ହିଁ ଅକାଳରେ ମରି ଯାଉଛନ୍ତି। ଇଏ ହେଉଛି ରାଜଧାନୀ ଗୋରୁଙ୍କ ଅବସ୍ଥା।
 
ଗୋରୁଙ୍କ ଅସ୍ତ୍ରୋପଚାର କରୁଥିବା ଡ. ବିଶ୍ୱଦୀପ ଜେନା କହନ୍ତି, ଗୋରୁମାନଙ୍କ ପେଟରେ ୪ଟି ପାକସ୍ଥଳୀ ଥାଏ। ଯାହାକି ଦାନା, ଚୋକଡ଼ ଓ ପରିବା ପତ୍ର ଆଦି ଖାଇ ହଜମ କରିବା କଥା।  କିନ୍ତୁ ଗୋରୁଙ୍କ ପେଟରେ ଦାନା ବଦଳରେ ପଲିଥିନ୍‌ ରହୁଛି। ଯେଉଁ ଗୋରୁ ୨୦ ବର୍ଷ ବଞ୍ଚିବା କଥା ସେ ଖୁବ୍‌ ଶୀଘ୍ର ମରି ଯାଉଛି। ରାଜଧାନୀରେ ମାସକୁ ପାଖାପାଖି ୨୦ରୁ ୩୦ଟି ଗୋରୁଙ୍କୁ ଅସ୍ତ୍ରୋପଚାର କରାଯାଉଥିବାବେଳେ ବର୍ଷକୁ ପ୍ରାୟ ୫୦୦ରୁ ଅଧିକ ଗୋରୁଙ୍କ ପେଟରୁ ଏମିତି ପଲିଥିନ୍‌ ବାହାରୁଛି। 
 
୪୦ ମାଇକ୍ରୋନ୍‌ରୁ କମ୍‌ ଥିବା ପଲିଥିନ୍‌ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଆଇନ ହୋଇଥିଲା। ଏଥିପାଇଁ ବିଏମ୍‌ସି  ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଘନଘନ ବୈଠକ ବସିଲା। ୨୦୧୬ ସୁଦ୍ଧା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଗଲା। ହେଲେ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ରାଜଧାନୀର ୧ ନମ୍ବର ହାଟରୁ ଆରମ୍ଭ କରି ମାର୍କେଟ ବିଲ୍ଡିଂ, ଜୟଦେବବିହାର, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳର ବିଭିନ୍ନ ପରିବା ଓ ଫଳ ଦୋକାନ ସମ୍ମୁଖରେ ସବୁଠି ଚାଲିଛି ପଲିଥିନ୍‌ର ଖୋଲା ବେପାର। ନିୟମ ଅନୁଯାୟୀ, ଯେଉଁ ପଲିଥିନ୍‌ ପ୍ରସ୍ତୁତକାରୀ ସଂସ୍ଥାମାନେ ସାମଗ୍ରୀ ବିକ୍ରି କରିବେ ସେମାନେ ଏହାର ବିଶୋଧନ ପାଇଁ ଅର୍ଥ ପୈଠ କରିବେ। ପଲିଥିନର ମାନ ମାପିବା ପାଇଁ ଏକ ଯନ୍ତ୍ର ତିଆରି ହୋଇଥିଲା। ହେଲେ ଟଙ୍କା ଆୟ ହେଉଛି କି ନାହିଁ ଏବଂ ବିଏମ୍‌ସି ପାଖରେ ଯନ୍ତ୍ର ଅଛି କି ନାହିଁ ବିଏମ୍‌ସି ପରିବେଶ ଅଧିକାରୀଙ୍କ ପାଖରେ ସେ ଖବର ନାହିଁ। ବିଏମ୍‌ସି ହାବଭାବରୁ ଏମିତି ଜଣାପଡ଼ୁଛି ଆଇନ୍‌ ଯେମିତି ଅଛି ସେମତି ଥାଉ। ବେପାର ସେମିତି ଚାଲୁଥାଏ। ପଲିଥିନ୍‌ ପାଇଁ ଯେତେ ଗୋରୁ ମରିଲେ ବି ଏବଂ ପଲିଥିନ୍‌ ଜନିତ ପ୍ରଦୂଷଣ ଯେତେ ଭୟାବହ ହେଲେ ବି ବିଏମ୍‌ସିର କିଛି ଯାଏଆସେ ନାହିଁ। 
 
୪ ବର୍ଷ ହେଲାଣି ରାଜଧାନୀରେ ନିର୍ଦିଷ୍ଟ ମାଇକ୍ରୋନ୍‌ର ପଲିଥିନ୍‌ ବ୍ୟବହାର ଉପରେ କଟକଣା ଲାଗିଲାଣି। ହେଲେ ଏହାକୁ କଡ଼ାକଡ଼ି କରିବା କଥା ବିଏମ୍‌ସି ଭୁଲିଯାଇଛି। ବରଂ ଯେଉଁ ଦୋକାନରେ ମାଗଣା ପଲିଥିନ୍‌ ମିଳୁଥିଲା ଏବେ ୫/୬ ଟଙ୍କାରେ ମିଳୁଛି। ପଲିଥିନ୍‌ ବ୍ୟବହାର ବଢ଼ିବା ଏବଂ ଏହାର ଭୟାବହତା ନେଇ ପରିବେଶବିତ୍‌  ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି, ପଲିଥିନ୍‌ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। ଏହାକୁ ରୋକାଯାଇପାରିବ ନାହିଁ। ପଲିଥିନ୍‌ ବ୍ୟବହାରକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା ହୋଇଥିଲା। ହେଲେ ଏହା କଥାରେ ହିଁ ରହିଗଲା। ବରଂ ବିଏମ୍‌ସି ବର୍ଜ୍ୟବସ୍ତୁକୁ ଏକାଠି ଗଦେଇ ନିଆଁ ଲଗାଇଦେଉଛି। ଆଉ ଏଥିରୁ ବାହାରୁଥିବା ରସାୟନିକ ଧୂଆଁ ଦ୍ୱାରା ବିଷ ଚାଦର ସୃଷ୍ଟି ହେଉଛି। ତେଣୁ ଏଥିରୁ ଯଦି ବଞ୍ଚିବାକୁ ଅଛି ତେବେ ନିଜେ ସଚେତନ ହୋଇଯିବା ହିଁ ଭଲ ବୋଲି ସେ କହିଛନ୍ତି।