26 June 2017
12:41:51 AM
Sambad News
ମହାନଗର

ପୁଣି ମା’ ହେଲା ପୂର୍ଣ୍ଣିମା

ନନ୍ଦନକାନନରେ ନବଜାତକ

By Sambad | Date: Apr 21 2017 5:09AM
ପୁଣି ମା’ ହେଲା ପୂର୍ଣ୍ଣିମା

ବାରଙ୍ଗ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଗୁରୁବାର ସକାଳେ ନନ୍ଦନକାନନର ୬୦ ନମ୍ବର ‘କ’ ଖୁଆଡ଼ର  ବିଶ୍ରାମ କକ୍ଷରେ ଥିବା ସିମ୍ପାଞ୍ଜି ପୂର୍ଣ୍ଣିମା(୧୬) ତା’ର ଚତୁର୍ଥ ଗର୍ଭର ସନ୍ତାନକୁ ସୁରକ୍ଷିତ ଭାବେ ପ୍ରସବ କରିଛି। ପୂର୍ଣ୍ଣିମା ମା’ ହେବା ପରେ ନନ୍ଦନକାନ କର୍ମଚାରୀ, ଚିକିତ୍ସକ ଓ କର୍ତୃପକ୍ଷଙ୍କ ମଧ୍ୟରେ ଦେଖା ଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ସେମାନେ ଏବେ ଆଶ୍ୱସ୍ତ ହୋଇଛନ୍ତି। ଏଯାଏ ନବଜାତକ ଶାବକଟିର ଲିଙ୍ଗ ଚିହ୍ନଟ ହୋଇ ପାରିନାହିଁ।
 
ସାଧାରଣତଃ ସିମ୍ପାଞ୍ଜିମାନେ ମିଳନର ଶେଷ ତାରିଖଠାରୁ ୨୩୦ରୁ ୨୪୦ଦିନ ମଧ୍ୟରେ  ସନ୍ତାନ ପ୍ରସବ କରିଥାନ୍ତି। ସେହି ହିସାବ ଅନୁସାରେ ନନ୍ଦନକାନନ କର୍ତ୍ତୃପକ୍ଷ ପୁରୁଷ ଜୁଲୁ(୨୭) ସହ ପୂର୍ଣ୍ଣିମା ମିଳନର ଅନ୍ତିମ ଦିନଠାରୁ  ପ୍ରସବର ସମୟ ଧାର୍ଯ୍ୟ କରିଥିଲେ। ତେଣୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପୂର୍ଣ୍ଣିମା ପ୍ରସବ କରିବ ବୋଲି କୁହାଯାଉଥିଲା। କିନ୍ତୁ ଏପ୍ରିଲ ପ୍ରଥମ ସପ୍ତାହ ଯାଏ ପୂର୍ଣ୍ଣିମାର ପ୍ରସବ ବେଦନା ନ ହେବାରୁ କର୍ତୃପକ୍ଷଙ୍କ ମନରେ ଛନକା ପଶିଥିଲା। ତେଣୁ ଗତ ସପ୍ତାହରେ ବୈଷୟିକ କମିଟିର ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଇଥିଲା। ସେମାନେ ପୂର୍ଣ୍ଣିମାର ଅବସ୍ଥା ନିରୀକ୍ଷଣ କରିଥିଲେ। କିନ୍ତୁ ଗର୍ଭରେ ସେଭଳି କିଛି ବିପଦର ଲକ୍ଷଣ ବାହାରକୁ ଦେଖା ଯାଇ ନଥିଲା। ତେଣୁ ମିଳନର ଶେଷ ତାରିଖ ନିର୍ଦ୍ଧାରଣରେ ତ୍ରୁଟି ଥାଇପାରେ ବୋଲି ନନ୍ଦନକାନନର ଚିକିତ୍ସକ ଓ କର୍ତୃପକ୍ଷଙ୍କୁ ସେମାନେ କହିଥିଲେ। ଚଳିତ ମାସର ଶେଷ ତାରିଖ ପର୍ଯର୍ର୍୍ୟନ୍ତ ପୂର୍ଣ୍ଣିମାକୁ ସ୍ୱତନ୍ତ୍ର ନଜରରେ ରଖି ନିୟମିତ ଭିଟାମିନ ଓ ମିନେରାଲ ଦେବାକୁ ପରାମର୍ଶ ଦେଇଥିଲେ। ଯଦି ସେ ଚଳିତ ମାସ ଶେଷ ସୁଦ୍ଧା ପ୍ରସବ ନ କରେ ତେବେ ତାକୁ ନିଶ୍ଚେତକ ଦେଇ ଅଲ୍‌ଟ୍ରାସାଉଣ୍ଡ ଜରିିଆରେ ଗର୍ଭ ପରୀକ୍ଷା  କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ କହିଥିଲେ।
 
ନନ୍ଦନକାନନ କର୍ତୃପକ୍ଷ ମଧ୍ୟ ଏହି ପରାମର୍ଶକୁ ମାନି ଉତ୍କଣ୍ଠା ସହ ଅପେକ୍ଷା କରିଥିଲେ। ଶେଷରେ ଗୁରୁବାର ସକାଳ ୯ଟା ୪୨ରେ ପୂର୍ଣ୍ଣିମା ସୁରକ୍ଷିତ ଭାବେ ସନ୍ତାନ ପ୍ରସବ କରିଥିଲା।  ଜନ୍ତୁରକ୍ଷକ କେଦାର ପାତ୍ର ଏହି ସୂଚନା ଦେବାପରେ ନନ୍ଦନକାନନ କର୍ତ୍ତୃପକ୍ଷ ଆଶ୍ୱସ୍ତ ହେବା ସହ ସେମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ଏଥି ସହିତ ନନ୍ଦନକାନନର ସିମ୍ପାଞ୍ଜି ସଂଖ୍ୟା ୫ କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ଏକମାତ୍ର ପୁରୁଷ ଜୁଲୁ, ୩ଟି ମାଈ ପମ୍ପେଟା, ପୂର୍ଣ୍ଣିମା, ରାକ୍ଷୀ ଏବଂ ଆଜି ଜନ୍ମିତ ଶାବକଟି ରହିଛି। ପ୍ରସବ ପରେ ପୂର୍ଣ୍ଣିମା ତା’ ଛୁଆକୁ ବକ୍ଷରେ ଜାବୁଡ଼ି ଧରି କ୍ଷୀର ପାନ କରାଉଛି ଓ ଜିଭରେ ଚାଟି ସଫା କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ତେଣୁ କୌଣସି ବିପଦର ଆଶଙ୍କା ନଥିବା କହିଛନ୍ତି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ। 
 
ସୂଚନାଯୋଗ୍ୟ ଯେ ନନ୍ଦନକାନନରେ  ‘ଜୁଲୁ’ ଓ ‘ପମ୍ପେଟା’ଙ୍କ ମିଳନରୁ ୨୦୦୧ ମସିହା ଜୁନ୍‌ ମାସ ୯ ତାରିଖରେ ପୂର୍ଣ୍ଣିମା ଜନ୍ମଲାଭ କରିଥିଲା। ଏହାକୁ ମିଶାଇ ପୂର୍ଣ୍ଣିମା ଜୁଲୁ ସହ ମିଳନରୁ ୪ଟି ଶାବକଙ୍କୁ ଜନ୍ମ ଦେଇଛି। ୨୦୦୬ ମସିହାରେ ତା’ର ପ୍ରଥମ ଗର୍ଭର ପୁରୁଷ ଶାବକଟିକୁ ଜୁଲୁ ନଖରେ ଫାଡ଼ି ମାରିଦେଇଥିଲା। ଏହାପରେ ପୂର୍ଣ୍ଣିମା ଦ୍ୱିତୀୟ ସନ୍ତାନ କାର୍ତିକକୁ ୨୦୦୯ ମସିହା ଅକ୍ଟୋବର ୧୦ତାରିଖରେ ଜନ୍ମ ଦେଇଥିବାବେଳେ ତୃତୀୟ ଗର୍ଭରୁ ଗତ ୨୦୧୩ ମସିହା ଅଗଷ୍ଟ ୧୩ ତାରିଖରେ ରାକ୍ଷୀକୁ ଜନ୍ମ ଦେଇଥିଲା।