17 August 2017
7:10:03 PM
Sambad News
ମହାନଗର

ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ଅଭ୍ୟାସ ଆରମ୍ଭ : ବ୍ୟାରିକେଡ୍‌ରେ ଲାଗିଲା ସିସି କ୍ୟାମେରା

By Sambad | Date: Aug 12 2017 3:29AM
ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ଅଭ୍ୟାସ ଆରମ୍ଭ : ବ୍ୟାରିକେଡ୍‌ରେ ଲାଗିଲା ସିସି କ୍ୟାମେରା

ଭୁବନେଶ୍ୱର : ସ୍ୱାଧୀନତା ଦିବସ ପରେଡ୍‌ ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ଶୁକ୍ରବାରଠାରୁ ମହାତ୍ମାଗାନ୍ଧୀ ମାର୍ଗରେ ଅଭ୍ୟାସ ଆରମ୍ଭ ହୋଇଛି। ଅପରାହ୍‌ଣ ୨ଟାରୁ ସଂଧ୍ୟା ପାଖାପାଖି ୬ଟା ପର୍ଯ୍ୟନ୍ତ ଅଭ୍ୟାସ ଚାଲିଥିଲା। ଆସନ୍ତାକାଲି  ୨ଟା ଓ ୧୩ ତାରିଖ ସକାଳ ୭ଟାରୁ ୧୦ ଟା ପର୍ଯ୍ୟନ୍ତ ମଧ୍ୟ ଅଭ୍ୟାସ ହେବ। ପରେଡ୍‌ ପାଇଁ ମହାତ୍ମାଗାନ୍ଧୀକୁ ଲାଗି କରିଥିବା ସମସ୍ତ ରାସ୍ତା ଟ୍ରାଫିକ କଟକଣା ଲାଗୁ କରାଯାଇଛି।  ପରେଡ୍‌ ଅଭ୍ୟାସ ସମୟରେ କୌଣସି ଭାରୀଯାନ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ କିମ୍ବା ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍‌ ଆସି ପାରିବ ନାହିଁ। ପରେଡ୍‌କୁ ସ୍ଥଳକୁ ସଂଲଗ୍ନ କରୁଥିବା ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍‌ ରହିବ। 
 
ସେହିପରି ଏଜି ଛକରୁ  ପିଏମ୍‌ଜି, ଏବଂ ହାଉସିଂବୋର୍ଡ ଛକରୁ ପିଏମ୍‌ଜି ଛକକୁ କୌଣସି ଗାଡି ଆସି ପାରିବ ନାହିଁ। ଅଭ୍ୟାସରେ ଯୋଗ ଦେବାକୁ ଆସୁଥିବା ସଂଗଠନ  ଓ  ବ୍ୟକ୍ତିବିଶେଷମାନେ ସେମାନଙ୍କ ବାଇକ୍‌ ଓ  ସାଇକେଲ୍‌  ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଭବନ ନିକଟ, ବସଷ୍ଟାଣ୍ଡ୍‌, ହୋଟେଲ ଯଯାତି ନିକଟ, ଜୟଦେବ ଭବନ, ଇଡକଲ ଅଡିଟୋରିୟମ ନିକଟ, ୟୁନିଟ-୨ ଏବଂ ୟୁନିଟ-୩ରେ ଥିବା ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ।
  
ଶୁକ୍ରବାର ଡିସିପି ସତ୍ୟବ୍ରତ ଭୋଇ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ପରେଡ୍‌ ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। କେମିତି ଶାନ୍ତିଶୃଙ୍ଖଳାର ସହିତ ପରେଡ୍‌ ଉତ୍ସବ ଶେଷ ହେବ ସେ ନେଇ ଆଲୋଚନା ହୋଇଥିଲା। ଆଜି ପରେଡ୍‌ ସ୍ଥଳରେ ଲାଗି ଥିବା ବ୍ୟାରିକେଡ୍‌ରେ ସିସି କ୍ୟାମେରା ଖଞ୍ଜା ଯାଇଛି।
 
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପରେଡ୍‌ ଗ୍ରାଉଣ୍ଡରେ ପ୍ରସ୍ତୁତ ହୋଇଥିବା ବାରିକେଡ୍‌ର ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍‌ ସ୍ଥଳରେ ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ସେହିପରି ଦୁଇ ୟୁନିଟ୍‌ ଏସ୍‌ଓଜି, କ୍ୟୁଆର୍‌ଟି, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ୍‌ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍‌ଆଇ, ଏଏସ୍‌ଆଇ ଏବଂ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍‌ପି , ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ।
 
ଖଣ୍ଡଗିରି, ଲକ୍ଷ୍ମୀସାଗର, ପଳାଶୁଣି, ରବି ଟକିଜ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ସ୍ୱତନ୍ତ୍ର ଚେକ୍‌ ପୋଷ୍ଟ ମାଧ୍ୟମରେ ବ୍ଲକିଂ କରାଯାଇ ଚେକିଂ ଆରମ୍ଭ ହୋଇଛି। ଏହା ଛଡ଼ା ସହର ଭିତରେ ଥିବା ହୋଟେଲ ଓ ଲଜିଂରେ ମଧ୍ୟ ଯାଞ୍ଚ ଚାଲିଛି। ଡିସିପି ଟ୍ରାଫିକ୍‌ ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରାଫିକ ନିୟମ ପରିଚାଳିତ ହେବ। ଦିଲ୍ଲୀ ଭଳି ଏଥର ରାଜ୍ୟ ସ୍ତରୀୟ ପରେଡ୍‌ରେ ବିଏସ୍‌ଏଫ୍‌, ଆଇଟିବିପି ଭଳି ସଶସ୍ତ୍ର ବଳ ଯୋଗଦେବେ।