17 August 2017
7:01:16 PM
Sambad News
ମହାନଗର

ବଜାରରୁ ହଜିଗଲା ସ୍ୱାଇନ୍‌ ଫ୍ଲୁ ଟିକା!

କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ସ୍ୱାଇନ୍‌ ଫ୍ଲୁ, ୧୦୦ କର୍ମଚାରୀଙ୍କୁ ଦିଆଗଲା ଟିକା

By Sambad | Date: Aug 12 2017 3:42AM
ବଜାରରୁ ହଜିଗଲା ସ୍ୱାଇନ୍‌ ଫ୍ଲୁ ଟିକା!

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଡାକ୍ତର ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେବା ପରେ ଆଜି ହସ୍ପିଟାଲ କର୍ମଚାରୀଙ୍କୁ ସ୍ୱାଇନ୍‌ ଫ୍ଲୁ ଟିକା ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ଜଣ କର୍ମଚାରୀଙ୍କୁ ଏହି ଟିକା ଦିଆଯାଇଛି। ଆସନ୍ତାକାଲି ଅନ୍ୟ କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତେବେ ସ୍ୱାଇନ୍‌ ଫ୍ଲୁ ପାଇଁ ଥିବା ଟିକା ବଜାରରେ ଉପଲବ୍ଧ ହେଉ ନ ଥିବାରୁ ଏଥିପାଇଁ ସମସ୍ୟା ଦେଖା ଦେଉଥିବା ସୂଚନା ମିଳିଛି।
 
କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଗତକାଲି ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ଥିବା ପରୀକ୍ଷା ରିପୋର୍ଟରେ ସ୍ପଷ୍ଟ ହୋଇଥିଲା। ତେଣୁ ହସ୍ପିଟାଲର ସ୍ୱାଇନ୍‌ ଫ୍ଲୁ ଓ୍ଵାର୍ଡରେ କାମ କରୁଥିବା କର୍ମଚାରୀଙ୍କୁ ଏଥିରୁ ରକ୍ଷା କରିବା ପାଇଁ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ସ୍ୱାଇନ୍‌ ଫ୍ଲୁ ଓ୍ଵାର୍ଡ ସହିତ ଜଡ଼ିତ ଥିବା ଡାକ୍ତର, ଷ୍ଟାଫ ନର୍ସ, ସ୍ୱିପର ଓ ଅନ୍ୟମାନଙ୍କୁ ଟିକା ପ୍ରଦାନ କରାଯାଇଛି। ଡାକ୍ତରଙ୍କ ମଧ୍ୟରେ ଶିଶୁ, ଛାତି ଓ ଭେଷଜ ବିଭାଗର ଡାକ୍ତର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି। 
 
କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୧୦୦ଜଣ କର୍ମଚାରୀଙ୍କୁ ସ୍ୱାଇନ୍‌ ଫ୍ଲୁର ରକ୍ଷା ପାଇଁବା ପାଇଁ ଟିକା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଅନ୍ୟ କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରିବା ପାଇଁ ଯୋଜନା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ୱାଇନ୍‌ ଫ୍ଲୁରୁ ରକ୍ଷା ପାଇବା ପାଇଁ ସ୍ୱତନ୍ତ୍ରଭାବେ ଅର୍ଥ ଦିଆଯିବାକୁ ନିର୍ଦେଶ ଅଛି। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ପ୍ରାୟ ୪୦ହଜାର ଟଙ୍କା ଖର୍ଚ ହେବ ବୋଲି ଡା. ଦାସ ସୂଚନା ଦେଇଛନ୍ତି।
 
ଅପରପକ୍ଷରେ ଚଳିତମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ମାତିବା ପରେ ଏବେ ଲୋକଙ୍କ ମଧ୍ୟରେ ଛନକା ପଶିଛି। ପ୍ରତ୍ୟେକ ଦିନ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଓ ମୃତ୍ୟୁ ଲୋକଙ୍କୁ ଚିନ୍ତାରେ ପକାଇଛି। ତେବେ ସ୍ୱାଇନ୍‌ ଫ୍ଲୁ ପାଇଁ ବଜାରରେ ମିଳୁଥିବା ଟିକା ଏବେ ଉଭାନ ହୋଇଯାଇଛି। ସ୍ୱାଇନ୍‌ ଫ୍ଲୁ ପାଇଁ ଦୁଇ ପ୍ରକାରର ଟିକା ମିଳିଥାଏ। ଗୋଟିଏ କେବଳ ସ୍ୱାଇନ୍‌ ଫ୍ଲୁ ପାଇଁ ହୋଇଥିବା ବେଳେ ଅନ୍ୟଟି ସ୍ୱାଇନ୍‌ ଫ୍ଲୁକୁ ମିଶାଇ ଅନ୍ୟ ଭୂତାଣୁ ଜନିତ ରୋଗ ପାଇଁ। ଯାହାକି ପେଣ୍ଟାଭାଲେଣ୍ଟ ଭାବେ ପରିଚିତ। ଦୁଇଟି କମ୍ପାନି ଓଡ଼ିଶାରେ ଏହାକୁ ଯୋଗାଉଥିବା ଜଣାପଡ଼ିଛି। କିନ୍ତୁ ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ବଢ଼ିବା ପରେ ଏହି ଦୁଇ ପ୍ରକାରର ଟିକା ଏବେ ଏକପ୍ରକାର ଉଭାନ ହୋଇଯାଇଛି। ଏହି ଟିକାର ବଜାର ମୂଲ୍ୟ ୭-୮ଶହ ହୋଇଥିବା ବେଳେ ବଜାରରେ ଏହାଠାରୁ ଯଥେଷ୍ଟ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଏହାର ଶିକାର ହୋଇଛନ୍ତି। ଆବଶ୍ୟକ ପରିମାଣର ଟିକା ଉପଲବ୍ଧ ନ ହେବାରୁ ସମସ୍ତ କର୍ମଚାରୀଙ୍କୁ ଟିକା ଦେବା  ସମ୍ଭବ ହୋଇ ହୋଇ ନ ଥିବା ଜଣାପଡ଼ିଛି।