17 August 2017
7:08:49 PM
Sambad News
ମହାନଗର

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ବାର୍‌

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଧଉଳି ପଞ୍ଚାୟତ ରାଜନୀତି ସରଗରମ୍‌

By Sambad | Date: Aug 12 2017 3:44AM
ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ବାର୍‌

ପୁରୁଣା ଭୁବନେଶ୍ୱର : ଚଉକିରେ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ବସିଛନ୍ତି। ଟେବୁଲ୍‌ ଉପରେ ଚିକେନ୍‌ ରଖାଯାଇଛି। ଆସର ଜମାଇବାକୁ ଗ୍ଲାସ୍‌ରେ ମଦ ପେଗ୍‌ ବନା ଯାଉଛି। ଆଉ ଚାରି ଜଣ ବସି ପେଗ୍‌ ପରେ ପେଗ୍‌ ଟେକି ଚାଲିଛନ୍ତି। କିଏ ଦେଖିବ କି କ’ଣ କହିବ ତାହାର ଭୟ ବି ନାହିଁ। ବାର୍‌ରେ ବସି ମଦ ପିଇବା ଭଳି ନିର୍ଭୟରେ ମଦର ଆସର ଜମାଇଛନ୍ତି।
 
ଇଏ ହେଉଛି ରାଜଧାନୀ ଉପକଣ୍ଠ ଧଉଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରର ଦୃଶ୍ୟ। ଗତ ଦୁଇ ଦିନ ହେଲା ଏହିଭଳି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଭିଡିଓରେ ଧଉଳି ପଞ୍ଚାୟତର ଯୋଗାଣ ସହାୟକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ନଖାଉରୁ ପାଟଣା ଗ୍ରାମ୍ୟ କମିଟି ସଭ୍ୟ ସନ୍ତୋଷ ସ୍ୱାଇଁ ସେମାନଙ୍କ ସହଯୋଗୀଙ୍କୁ ନେଇ କାର୍ଯ୍ୟାଳୟରେ ମଦ ଓ ଚିକେନ୍‌ ଖାଉଥିବା ନେଇ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। 
 
ନିଜ କାର୍ଯ୍ୟାଳୟକୁ ବାର୍‌ରେ ପରିଣତ କରି ଦେଇଥିବା ଏହି ଅଧିକାରୀ ଦିନ ଦ୍ୱିପ୍ରହରରେ କିପରି ଓ କେଉଁଭଳି ପରିସ୍ଥିତିରେ ଏହିଭଳି କଲେ ତାହା ସମସ୍ତଙ୍କୁ ଚକିତ କରିଛି। ଏପରିକି ଯୋଗାଣ ସହାୟକ ଏବଂ ଗ୍ରାମ୍ୟ କମିଟି ସଭ୍ୟଙ୍କ ଏହିଭଳି କାର୍ଯ୍ୟ ନେଇ ଧଉଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ରବି ମହାରଣା ଭୁବନେଶ୍ୱର ବିଡିଓଙ୍କ ନିକଟରେ  ଦୁଇ ଦିନ ହେଲା ଅଭିଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। 
 
ପୂର୍ବତନ ସରପଞ୍ଚ ଅଭିଯୋଗ କରିଛନ୍ତି ଯେ, ଯୋଗାଣ ସହାୟକ ସରକାରୀ କର୍ମଚାରୀଙ୍କ ପାଇଁ ଥିବା ଚାକିରି ନିୟମାବଳୀଙ୍କୁ ଖୁଲମଖୁଲା ଉଲ୍ଲଂଘନ କରିବା ସହ ମଦ ଆସର ଜମାଇଛନ୍ତି। ତାଙ୍କୁ ସ୍ଥାନୀୟ ନଖାଉରୁ ପାଟଣା ଗ୍ରାମ୍ୟ କମିଟି ସଭ୍ୟ ମଧ୍ୟ ସାଥ୍‌ ଦେଉଛନ୍ତି। ଅଫିସ ସମୟରେ ପଞ୍ଚାୟତ କାର୍ଯ୍ୟାଳୟର ଦୁଇଜଣ ସଦସ୍ୟଙ୍କ ଏହିଭଳି କାର୍ଯ୍ୟକୁ ଅନେକ ନାପସନ୍ଦ କରିବା ସହ ଦୃଢ଼ ନିନ୍ଦା କରିଛନ୍ତି। ପଞ୍ଚାୟତବାସୀ ସେମାନଙ୍କର ବିଭିନ୍ନ କାର୍ଯ୍ୟ ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବାବେଳେ ଏହି ଦୁଇ ଅଧିକାରୀ କାର୍ଯ୍ୟାଳୟ ଫାଟକକୁ ଭିତରୁ ବନ୍ଦ କରି ମଦ ପିଉଛନ୍ତି। ଯଦି କେହି ଏଥିରେ ବାଧକ ସାଜୁଛି ତେବେ ତାଙ୍କୁ ଧମକ ଚମକ ଦେଉଛନ୍ତି। ଦୀର୍ଘ ଦିନ ହେଲା ଏହିପରି କାର୍ଯ୍ୟ ଚାଲିଥିଲେ ହେଁ ସରପଞ୍ଚ, ବିଡିଓ କି କୌଣସି ଉପରିସ୍ଥ ଅଧିକାରୀ ଏନେଇ ପଦକ୍ଷେପ ନେଉନାହାନ୍ତି। ଏନେଇ ସ୍ଥାନୀୟ ଲୋକ ସବୁ ଜାଣିଥିଲେ ହେଁ ଭୟରେ ଅଭିଯୋଗ କରୁନାହାନ୍ତି ବୋଲି ଶ୍ରୀ ମହାରଣା କହିଛନ୍ତି।
 
ଏହି ପଞ୍ଚାୟତରେ ହେଉଥିବା ବିଭିନ୍ନ ଉନ୍ନତିିମୂଳକ କାର୍ଯ୍ୟକୁ ଉଦ୍‌ଘାଟନ କରିବାକୁ ଶନିବାର ମୁଖ୍ୟମନ୍ତ୍ରୀ ଯିବାକୁ ଥିବାବେଳେ ଘଟଣା ଯେପରି ଚପାଇ ଦିଆଯିବ ସେଥିପାଇଁ ପୂରା ପ୍ରଶାସନ ଏବଂ ସ୍ଥାନୀୟ ନେତା ଲାଗି ପଡ଼ିଛନ୍ତି। କାର୍ଯ୍ୟାନୁଷ୍ଠାନ ନିଆଗଲେ ଘଟଣା ସତ୍ୟ ପ୍ରମାଣିତ ହୋଇଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ହେବାର ସମ୍ଭାବନା ଥିବାରୁ ବିଡିଓ ମଧ୍ୟ କିଛି ପଦକ୍ଷେପ ନେଉନାହାନ୍ତି।
 
ଏନେଇ ଭୁବନେଶ୍ୱର ବିଡିଓ ରଶ୍ମି ରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଉପ ଜିଲ୍ଲାପାଳ କରିବେ। ମୁଁ କିଛି କହିପାରିବିନି। ଏନେଇ ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଅଭିଯୋଗ ମୁଁ ପାଇଛି। ଏବେ ତିନି ଚାରି ଦିନ ଛୁଟି ଅଛି। ଛୁଟି ସରିଲେ ଘଟଣାର ତଦନ୍ତ କରାଯିବ। ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମଦ ପିଇବା ଓ ଚିକେନ୍‌ ଖାଇବା ନେଇ ଯୋଗାଣ ସହାୟକଙ୍କୁ ପଚାରିବାରୁ ସେ ଏହି ଘଟଣା ମିଛ ବୋଲି କହିଛନ୍ତି। ତାଙ୍କ ବିରୁଦ୍ଧରେ ଏହା ଷଡ଼ଯନ୍ତ୍ର ବୋଲି କହିଛନ୍ତି।
 
ଅପରପକ୍ଷେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧଉଳିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାର୍ବତୀ ସାଗର ଟୁରିଜିମ୍‌ ମାର୍କେଟ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବେ। ଏପରିସ୍ଥଳରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମଦ ଆସର ଜମିବା ଘଟଣା ଧଉଳି ପଞ୍ଚାୟତ ରାଜନୀତିକୁ ପୂରା ସରଗରମ କରିଦେଇଛି। ଯଦି ଯୋଗାଣ ସହାୟକ ଏବଂ ଗ୍ରାମ୍ୟ କମିଟି ସଭ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ପୂର୍ବତନ ସରପଞ୍ଚ ନିଜ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବେ ବୋଲି କହିଛନ୍ତି।