30 May 2017
11:04:26 AM
image
Sambad News
ମହାନଗର

ବୈକୁଣ୍ଠଙ୍କ ଅପରେସନ୍‌ ଟଙ୍କା ପାଇଁ ମଞ୍ଚସ୍ଥ ହେବ ୨ ନାଟକ

ନାଟ୍ୟ ଦଳର ମହତ ପଦକ୍ଷେପ

By Sambad | Date: May 19 2017 3:15AM
ବୈକୁଣ୍ଠଙ୍କ ଅପରେସନ୍‌ ଟଙ୍କା ପାଇଁ ମଞ୍ଚସ୍ଥ ହେବ ୨ ନାଟକ

ଭୁବନେଶ୍ୱର: ଟିଭି ପରଦା ହେଉ ଅବା ମଞ୍ଚ। କୌତୁକିଆ ସଂଳାପରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣିଥିବା ଯୁବ କଳାକାର ବୈକୁଣ୍ଠ ଦାସ ଏବେ ଜୀବନ ମରଣର ଦୋଛକିରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଆପ୍ଲାଷ୍ଟିକ୍‌ ଆନେମିଆରେ ରୋଗରେ ପୀଡ଼ିତ ବୈକୁଣ୍ଠଙ୍କ ଅପରେସନ୍‌ ପାଇଁ ୨୦ ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର ଶୁଣାଇ ଦେବା ପରେ ବୈକୁଣ୍ଠଙ୍କ ପରିବାର ଉପରେ ଯେମିତି ଚଡ଼କ ପଡ଼ିଯାଇଛି। ଓଡ଼ିଆ ସିନେମା ‘ବାବୁ ପର୍ଶୁରାମ, ଚକାଚକା ଭଉଁରି, ତୁମକୁ ପାରୁନି ତ ଭୁଲି, ହରିବୋଲ ନୁହେଁ ଟଙ୍କା ବୋଲ ସମତେ ବହୁ ଧାରାବାହିକରେ ନିଜର ଅଭିନୟ ସ୍ପର୍ଶ ଛାଡ଼ିଥିବା ବୈକୁଣ୍ଠଙ୍କ ଏହି ବିପଦ ସମୟରେ ବନ୍ଧୁତାର ହାତ ବଢ଼ାଇଛନ୍ତି ଦୁଇ ନାଟ୍ୟ ଦଳ ‘ରଙ୍ଗଭୂମି’ ଏବଂ ‘ଉତ୍କଳ ଥିଏଟର’।
ଦର୍ଶକମାନେ ସବୁବେଳେ ମାଗଣାରେ ନାଟକ ଦେଖୁଥିବା ବେଳେ ଜଣେ ନାଟୁଆକୁ ବଞ୍ଚାଇବାକୁ ଯେ ଦର୍ଶକ ନିଶ୍ଚୟ ସହାୟତାର ହାତ ବଢ଼ାଇବେ ଏହି ଆଶାରେ ରବୀନ୍ଦ୍ର ମଣ୍ଡପରେ ପ୍ରଥମଥର ପାଇଁ ଆସନ୍ତା ୨୦ ତାରିଖରେ ମଞ୍ଚସ୍ଥ ହେବ ୨ଟି ନାଟକ। ସନ୍ଧ୍ୟା ସାଢ଼େ ୬ଟାରେ ଉତ୍କଳ ଥିଏଟର ବସନ୍ତ ଶତପଥୀଙ୍କ ରଚନା ଏବଂ ଅନନ୍ତ ମହାପାତ୍ରଙ୍କ ନିର୍ଦେଶନାରେ ନାଟକ ‘ପିଲିସଜ’ ମଞ୍ଚସ୍ଥ କରିବ। ଏହା ପରେ ସାଢ଼େ ୭ଟାରେ ରଙ୍ଗଭୂମି ନିରଞ୍ଜନ ରେଡ୍ଡିଙ୍କ ରଚନା ଏବଂ କୈଳାସ ମହାପାତ୍ରଙ୍କ ନିର୍ଦେଶନାରେ ନାଟକ ‘ବଞ୍ଚିବାକୁ ହେଲେ.. ମଂଚସ୍ଥ କରିବ। ବୈକୁଣ୍ଠଙ୍କ ଅପରେସନ୍‌ ନିମନ୍ତେ ଅର୍ଥ ଯୋଗାଡ଼ କରିବାକୁ ନାଟକ ଦୁଇଟି ପାଇଁ ଟିକେଟ୍‌ କରିବାକୁ ଦର୍ଶକଙ୍କୁ ନିବେଦନ କରାଯାଇଛି। ବାଲକୋନି ପାଇଁ ସର୍ବନିମ୍ନ ଟିକେଟ୍‌ ଦର ୧୦୦ ଟଙ୍କା ରହିଥିବା ବେଳେ ମୁଖ୍ୟ ପ୍ରେକ୍ଷାଳୟ ପାଇଁ ସେମିତି କିଛି ଦେୟ ନିର୍ଧାରଣ କରାଯାଇନି। ଦର୍ଶକ ଜଣେ କଳାକାରଙ୍କୁ ବଞ୍ଚାଇବା ପାଇଁ ସାକ୍ଷ୍ୟ ମୁତାବକ ଦାନ କରିବାକୁ ଦୁଇ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ କୌଣସି ବଦାନ୍ୟ ବ୍ୟକ୍ତି କଳାକାରଙ୍କୁ ସିଧାସଳଖ ସାହାଯ୍ୟ ପାଇଁ ତାଙ୍କ ଏସ୍‌ବିଆଇ ଆକାଉଣ୍ଟ୍‌ ନଂ ୨୦୦୬୨୬୩୮୪୯୭ରେ ମଧ୍ୟ ଟଙ୍କା ପଠାଇପାରିବେ ନଚେତ୍‌ ୯୫୫୬୬୮୭୯୨୮ରେ ଯୋଗାଯୋଗ କରିପାରିବେ।

image