25 July 2017
6:15:06 PM
image
Sambad News
ମହାନଗର

ସଂଗ୍ରହାଳୟ ଅତୀତକୁ ଭବିଷ୍ୟତ ସହ ଯୋଡ଼େ

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

By Sambad | Date: May 19 2017 3:01AM
ସଂଗ୍ରହାଳୟ ଅତୀତକୁ ଭବିଷ୍ୟତ ସହ ଯୋଡ଼େ

ଭୁବନେଶ୍ୱର: ସଂଗ୍ରହାଳୟ ଏକ ପବିତ୍ର ସ୍ଥଳୀ। ମାନବର ଅତୀତକୁ ଭବିଷ୍ୟତ ସହ ଯୋଡ଼ିବାରେ ସଂଗ୍ରହାଳୟ ସେତୁ ସଦୃଶ। ଏହା କେବଳ ବିଜ୍ଞାନ, କଳା ଓ ସାହିତ୍ୟରେ ସୀମିତ ନୁହେଁ, କିମ୍ବଦନ୍ତୀ ସାଙ୍ଗେ ଆମକୁ ସଂଯୋଗ କରିବାରେ ସଂଗ୍ରହାଳୟର ଭୂମିକା ରହିଛି। ଏହା ମାନବ ଜାତି ପାଇଁ ଆଶାର ଉତ୍ସ ବୋଲି କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରୋତ ବାଗ୍‌ଚି। 
  ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଅନୁଷ୍ଠିତ ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସରେ‘ସଂଗ୍ରହାଳୟର ଅବ୍ୟକ୍ତ କଥା’ ବାବଦରେ ମତ ରଖି ଶ୍ରୀ ବାଗ୍‌ଚି କହିଲେ, ସଂଗ୍ରହାଳୟରେ ଉତ୍ତରପିଢ଼ି ପାଇଁ ସଂରକ୍ଷିତ ଥିବା ଜିନିଷ କୌଣସି ଏକ ଜାତିର ସମ୍ମାନଠାରୁ କମ୍‌ ନୁହେଁ। ଆମ ସଂଗ୍ରହାଳୟ ବି କୌଣସି ଗୁଣରେ କମ୍‌ ନୁହେଁ। କିନ୍ତୁ ଏହାର ପରିପାର୍ଶ୍ୱିକ ସ୍ଥିତି ସଂଗ୍ରହାଳୟର ମର୍ଯ୍ୟାଦାରେ ହାନି ପହଞ୍ଚାଉଛି।    ଏଥିସହିତ ଦକ୍ଷତା ବିକାଶ ପ୍ରାଧିକରଣ ସଂଗ୍ରହାଳୟକୁ ସଂରକ୍ଷଣ ଦିଗରେ ସହଯୋଗ କରିବ ଏବଂ ଆବଶ୍ୟକ ସ୍ଥଳେ ପାଣ୍ଠି ପାଇଁ ମଧ୍ୟ ବ୍ୟବସ୍ଥା କରିବ ବୋଲି ଶ୍ରୀ ବାଗ୍‌ଚି କହିଥିଲେ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌ ବାଲକ୍ରିଷ୍ଣନ୍‌ କହିଲେ, ସମାଜର ଶାରୀରିକ ଭାଷାର ପରିଚାୟକ ହେଉଛି ସଂଗ୍ରହାଳୟ। ତେଣୁ ଏଥିପ୍ରତି ଆମର ସମ୍ମାନ ରହିବା ଉଚିତ୍‌। ରାଜ୍ୟ ସଂଗ୍ରହାଳୟ ଭୁବନେଶ୍ୱରର ପରିଚୟ।  ସଂପ୍ରତି ଏୟାର ଏସିଆର ପ୍ରବେଶ ପରେ ସଂଗ୍ରହାଳୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପାଇଁ ବାଟ ଖୋଲିଛି। ଏଥିିସହିତ ସମସ୍ତ ସଂଗ୍ରହାଳୟରେ ଅନ୍ୟ ସଂଗ୍ରହାଳୟ ସମ୍ବନ୍ଧୀୟ ସୂଚନା ଓ ବ୍ରୋଚର ରହିବା ଆବଶ୍ୟକ ବୋଲି ସେ କହିଥିଲେ। ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ହୋଲୋକଷ୍ଟ୍‍ ମ୍ୟୁଜିୟମ ପ୍ରତି ଆକର୍ଷଣର କାରଣ ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ, ସଂଗ୍ରହାଳୟ ଐତିହ୍ୟର କଥା କୁହେ। ତେଣୁ ଏହା ଆମର ଜାତୀୟ ସମ୍ପଦ ସଦୃଶ।  ବିଶିଷ୍ଟ ନୃତତ୍ତ୍ୱବିତ୍‌ ପ୍ରଫେସର କିଶୋର କୁମାର ବାସା କହିଥିଲେ, ସଂଗ୍ରହାଳୟ ତୀର୍ଥସ୍ଥଳୀର ଏକ ଅଂଶବିଶେଷ। ତେଣୁ ଏଠାକୁ କିଭଳି ବହୁ ପର୍ଯ୍ୟଟକ ଆସିବେ ସେ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ।  
  ଏହି ଅବସରରେ ସଂଗ୍ରହାଳୟ ଦ୍ୱାରା ପ୍ରଫେସର ରାଜକିଶୋର ମିଶ୍ରଙ୍କ ସହଯୋଗରେ ପ୍ରସ୍ତୁତ ‘ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ ଜର୍ଣ୍ଣାଲ୍‌’, ‘ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ’ ଏବଂ ଦକ୍ଷିଣ ପୂର୍ବ ଏସିଆ ନୌବାଣିଜ୍ୟ ପ୍ରତିଷ୍ଠାନର ସଚିବ ଡ.ସୁନିଲ କୁମାର ପଟ୍ଟନାୟକଙ୍କ ‘ତକ୍ଷଶୀଳା ଟୁ ତୋଷାଳି’ ଉନ୍ମୋଚିତ ହୋଇଥିଲା। ପରବର୍ତୀ ଅଧିବେଶନରେ ଏସ୍‌ସିଏସ୍‌ କଲେଜ୍‌ର ଇତିହାସ ବିଭାଗ ମୁଖ୍ୟ ଡ.ପ୍ରଫୁଲ୍ଲ କୁମାର ମହାନ୍ତି, ଡ.ସୁନିଲ କୁମାର ପଟ୍ଟନାୟକ, ସହ ସଂଗ୍ରହାଧ୍ୟକ୍ଷ ସୌମ୍ୟରଂଜନ ସାହୁ, ନୃତତ୍ତ୍ୱ ବିଭାଗର ପ୍ରଫେସର ଡ.ଦୈତାରୀ ସାହୁ ପ୍ରବନ୍ଧ ପାଠ କରିଥିଲେ। ସଂସ୍କୃତି ବିଭାଗର ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସଂଗ୍ରହାଳୟର ଅଧୀକ୍ଷକ ଡ.ଜୟନ୍ତୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
 
ଖୋଲିବ ୪ ନୂଆ ଗ୍ୟାଲେରି
 
ଭୁବନେଶ୍ୱର, ୧୮|୫ (ଇମିସ): ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟରେ ଖୋଲିଛି ମୁଖା ଗ୍ୟାଲେରି। ବିଭିନ୍ନ ରାଜ୍ୟରେ ନୃତ୍ୟ ଓ ଲୋକକଳାରେ ବ୍ୟବହୃତ ମୁଖାକୁ ଏକାଠି ଗୋଟିଏ ସ୍ଥାନରେ ଦେଖାଇବା ପାଇଁ ଏହି ଗ୍ୟାଲେରିର ପରିକଳ୍ପନା କରାଯାଇଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି। ଏଥିସହ ଗ୍ୟାଲେରି ପରିସରରେ ମୁଖା ଗ୍ୟାଲେରି ନିକଟରେ ଏକ ପ୍ରୋଜେକ୍ଟର କର୍ଣ୍ଣରକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଲୋକାର୍ପିତ କରିଛନ୍ତି। ପ୍ରାକ୍‌ ଐତିହାସିକ ବିଭବକୁ ନେଇ ଏକ ପ୍ରଦର୍ଶନୀକୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ. ସୁବ୍ରୋତ ବାଗ୍‌ଚି ଉନ୍ମୋଚନ କରିଛନ୍ତି।
ଆସନ୍ତା ଦିନରେ ରାଜ୍ୟ ସଂଗ୍ରହାଳୟର କଳେବର ପୁଣି ବୃଦ୍ଧି ପାଇବ। ଆଉ ୪ଟି ନୂତନ ଗ୍ୟାଲେରି ଖୋଲାଯିବ। ‘ଓଡ଼ିଶା ଥ୍ରୁ ଏଜେସ୍‌’ ଭଳି ଗ୍ୟାଲେରିରେ ଅତୀତରୁ ବର୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କ୍ରମବିକାଶର ଧାରା ପର୍ଯ୍ୟଟକମାନେ ଦେଖିବାକୁ ପାଇବେ। ସେହିପରି ‘ସ୍ୱାଧୀନତା ସଂଗ୍ରାମୀ’ମାନଙ୍କୁ ଚିହ୍ନେଇବା ଏବଂ ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ପରପିଢ଼ିକୁ ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ଗ୍ୟାଲେରି ମଧ୍ୟ ଲୋକଙ୍କୁ ଭେଟି ଦିଆଯିବ। ସେହିପରି ହାତୀଦାନ୍ତକୁ ନେଇ ଏକ ସ୍ୱତନ୍ତ୍ର ଗ୍ୟାଲେରିର ପରିକଳ୍ପନା କରାଯାଇଛି। ଏଥିସହ ଓଡ଼ିଆ ଚଳଚ୍ଚିତ୍ରର ଇତିହାସ ୮୦ ବର୍ଷ ଅତିକ୍ରମ କରିଥିବା ବେଳେ ଅତୀତରୁ ଏଯାବତ ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ରର ସଂଗୀତର ବହୁ ବିରଳ ଫଟୋକୁ ନେଇ ଏକ ଗ୍ୟାଲେରି କରାଯିବ। ଏ ସମସ୍ତ ଫଟୋ ଭର୍ଚୁଆଲ ଏକାଡେମିର େଓ୍ଵବ୍‌ସାଇଟ୍‌ରେ ମଧ୍ୟ ସ୍ଥାନ ପାଇବ ବୋଲି ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି। ଏଥିସହ ସଂଗ୍ରହାଳୟ ପରିସରରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ବୁଲିବା ସୁବିଧା ନିମନ୍ତେ ଲିଫ୍ଟ୍‌ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।