24 September 2017
10:46:01 AM
Sambad News
ମହାନଗର

ଚାଲିଲା ମାମୋଗ୍ରାଫି, ଖୋଲିଲା କ୍ୟାନସର୍‌ ଓ୍ଵାର୍ଡ

କ୍ୟାପିଟାଲ ହସ୍ପିଟାଲ୍‌ରେ ନୂତନ ବ୍ୟବସ୍ଥା

By Sambad | Date: May 19 2017 3:29AM
ଚାଲିଲା ମାମୋଗ୍ରାଫି, ଖୋଲିଲା କ୍ୟାନସର୍‌ ଓ୍ଵାର୍ଡ

ଭୁବନେଶ୍ୱର: ଦୀର୍ଘ ୧୨ବର୍ଷ ଧରି ପଡ଼ି ରହିବା ପରେ ଶେଷରେ ମାମୋଗ୍ରାଫି ମେସିନ୍‌ କାର୍ଯ୍ୟକ୍ଷମ ହୋଇଛି।   ସେହିପରି ହସ୍ପିଟାଲରେ ସ୍ୱତନ୍ତ୍ରଭାବେ କ୍ୟାନସର୍‌ ଓ୍ଵାର୍ଡ ମଧ୍ୟ ଖୋଲଯାଇଛି। ପୂର୍ବରୁ ଡେ-କେୟାର ବ୍ୟବସ୍ଥା ଚାଲିଥିବା ବେଳେ ଏବେ କର୍କଟ ରୋଗୀ ହସ୍ପିଟାଲ୍‌ରେ ରହି ନିଜର ଚିକିତ୍ସା କରିପାରିବେ। 
 ସୂଚନା ଅନୁଯାୟୀ, ୨୦୦୫ରେ ନର୍ଗିସ ଦତ୍ତ ଫାଉଣ୍ଡେସନ୍‌ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲକୁ ଦାନ ସୂତ୍ରରେ ମିଳିଥିଲା ମାମୋଗ୍ରାଫି ମେସିନ୍‌। ଏହି ମେସିନ୍‌ ଜରିଆରେ ସ୍ତନ କର୍କଟ ରୋଗର ପରୀକ୍ଷା କରାଯାଇଥାଏ। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଓ ହସ୍ପିଟାଲ କର୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଏହି ମେସିନ୍‌ ଲଗାଇବାକୁ ମୁମ୍ବାଇରୁ ଜଣେ ଇଞ୍ଜିନିୟର ଆସି ଓଡ଼ିଶାରେ ୩ ଦିନ ରହିଥିଲେ ହେଁ ତାଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରାଗଲା ନାହିଁ। ଶେଷରେ ସେ ବିରକ୍ତ ହୋଇ ମୁମ୍ବାଇ ପଳାଇଥିଲେ। ପରେ ମାମୋଗ୍ରାଫି ମେସିନ୍‌କୁ ସମସ୍ତେ ଭୁଲି ଯାଇଥିଲେ। 
 ବର୍ଷ ବର୍ଷ ଧରି ଏହି ଦାମୀ ମେସିନ୍‌ ପଡ଼ି ରହିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା। ଏହାକୁ ଚଳାଇବା ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ ହୋଇଥିଲା। ତେବେ ଟେକ୍‌ନିସିଆନଙ୍କ ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଜଣେ ମହିଳା ଟେକ୍‌ନିସିଆନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ମେସିନ୍‌ଟି ବହୁତ ପୁରୁଣା ହୋଇଥିବାରୁ ଏହାର କ୍ୟାସେଟ୍‌ ପାଇଁ କର୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ କଟକରୁ ଏଥିପାଇଁ କ୍ୟାସେଟ୍‌ ଯୋଗାଡ଼ ହୋଇଥିଲା। 
 କ୍ୟାପିଟାଲ ହସ୍ପିଟାଲର ଏକ୍ସ-ରେ ରୁମ୍‌ ନିକଟରେ ଏହା କାର୍ଯ୍ୟ କରିବ। ସକାଳ ୮ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଏଥିରେ ପରୀକ୍ଷା କରାଯିବ। ଏସ୍‌ସିବି ମେଡିକାଲ କଲେଜରେ ଏଥିପାଇଁ ଯେତିକି ଟଙ୍କା ନିଆଯାଉଛି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସେତିକି ଟଙ୍କା ଧାର୍ଯ୍ୟ କରାଯାଇଛି। ନିକଟରେ ହସ୍ପିଟାଲର ହୋଇଥିବା ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମାମୋଗ୍ରାଫି ମେସିନ୍‌ କାର୍ଯ୍ୟକ୍ଷମ ହେବା ପରେ ବହୁତ କମ୍‌ ଟଙ୍କାରେ ଲୋକମାନେ ପରୀକ୍ଷା କରିପାରିବେ ବୋଲି ଜଣାପଡ଼ିଛି।
 ସେହିପରି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ରଭାବେ କ୍ୟାନସର୍‌ ଓ୍ଵାର୍ଡ ଆରମ୍ଭ ହୋଇଛି। ୨୦୧୫ ମାର୍ଚ ୯ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ କର୍କଟ ସ୍କ୍ରିନିଂ ଆରମ୍ଭ ହୋଇଥିଲା। ପରବର୍ତୀ ସମୟରେ ଓ୍ଵିଙ୍ଗରେ ଡେ-କେୟାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ଏଥିପାଇଁ ୬ଟି ବେଡ୍‌ ରହିଛି। ଜଣେ ଲେଖାଏଁ ଡାକ୍ତର ଓ ଷ୍ଟାଫ ନର୍ସ ଡେ-କେୟାରକୁ ଚଳାଉଛନ୍ତି। ପ୍ରତ୍ୟେକ ଦିନ ଏହି ଓ୍ଵିଙ୍ଗ୍‌କୁ ୩୦-୪୦ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଓ୍ଵାର୍ଡ ନ ଥିବାରୁ ଅନେକଙ୍କୁ ଫେରିବାକୁ ପଡ଼ୁଥିଲା। ଗୋଟିଏ ପଟେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଓ୍ଵାର୍ଡ ନ ଥିବାକୁ ନେଇ ସମସ୍ୟା ସୃଷ୍ଟି ହେଉଥିଲା। 
 ତେବେ ହସ୍ପିଟାଲର ମହିଳା ଅସ୍ତ୍ରୋପଚାର ଓ୍ଵାର୍ଡରେ ଅସ୍ଥାୟୀ ଭାବେ କ୍ୟାନସର୍‌ ଓ୍ଵାର୍ଡ ଆରମ୍ଭ ହୋଇଛି। ଏଥିରେ ମଧ୍ୟ ୬ଟି ବେଡ୍‌ ରହିଛି। ମହିଳା ଅସ୍ତ୍ରୋପଚାର ଓ୍ଵାର୍ଡରେ ଥିବା ନର୍ସ ଏଥିରେ ସହାୟତା କରିବେ। କେମୋଥେରାପି ନେଉଥିବା ରୋଗୀମାନେ ଏଠାରେ ରହିବା ସହିତ ପରର୍ବତୀ ସମୟରେ ଏଠାରେ ଫଲୋ-ଅପ୍‌ କରାଯିବ। ବିଶିଷ୍ଟ କର୍କଟରୋଗ ବିଶେଷଜ୍ଞ ଡା.ଦିନେଶ ପେଣ୍ଢାରକର ମଧ୍ୟ ଏହି ଓ୍ଵାର୍ଡକୁ ଆସି ରୋଗୀଙ୍କ ଚିକିତ୍ସା କରିବେ ବୋଲି ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

image