25 September 2017
3:19:41 PM
Sambad News
ମହାନଗର

ଗରା, ମାଠିଆ ଓ ଲଣ୍ଠନ ଧରି ବିଧାନସଭା ଘେରିଲେ

ରାଜରାସ୍ତାରେ ମା’ ତାରିଣୀ ବିହାର ବସ୍ତି ବାସିନ୍ଦା

By Sambad | Date: May 19 2017 2:34AM
ଗରା, ମାଠିଆ ଓ ଲଣ୍ଠନ ଧରି ବିଧାନସଭା ଘେରିଲେ

ଭୁବନେଶ୍ୱର: ଖଣ୍ଡଗିରିସ୍ଥିତ ମା’ତାରିଣୀ ବସ୍ତିକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପାଣି ଓ ବିଦ୍ୟୁତ ଯୋଗାଣ ବନ୍ଦ କରି ଦିଆଯିବା ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା। ବସ୍ତିର ସଭାପତି କପିଳ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବସ୍ତି ବାସିନ୍ଦାମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ। ଗରା, ମାଠିଆ ଓ ଲଣ୍ଠନ ଧରି ବସ୍ତିବାସିନ୍ଦାମାନେ ଅଭିନବ ପ୍ରତିବାଦ ଜଣାଇଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ବସ୍ତି ବାସିନ୍ଦାଙ୍କ କହିବାନୁଯାୟୀ, ଭାରତପୁରସ୍ଥିତ ମା’ତାରିଣୀ ବସ୍ତିକୁ ଗତ ୧୫ଦିନ ହେବ ପାଣି ଓ ବିଦ୍ୟୁତ ବନ୍ଦ କରି ଦିଆଯାଇଛି। ପୂର୍ବରୁ ସାଧାରଣ ପ୍ରଶାସନ, ବିଡିଏ, ବିଏମ୍‌ସି ମିଳିତଭାବେ ଉଚ୍ଛେଦ ପାଇଁ ଆସିଥିଲେ। ତେବେ ୨୦୧୦ ମସିହାରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ପୂର୍ବ ଥଇଥାନ ବିନା ଉଚ୍ଛେଦ ନ କରିବାକୁ ନିର୍ଦେଶ ଦେଇଥିଲେ। ମାତ୍ର କୋର୍ଟଙ୍କ ନିର୍ଦେଶକୁ ମଧ୍ୟ ବେଖାତିର କରାଯାଉଛି। ଏବେ ପ୍ରବଳ ଖରା ହେଉଥିବା ବେଳେ କେଉଁ ଆଇନ ଓ ଅଧିକାର ବଳରେ ପାଣି ଓ ବିଦ୍ୟୁତ ବନ୍ଦ କରିବା ପାଇଁ ବିଭାଗମାନଙ୍କୁ ନିର୍ଦେଶ ଦିଆଗଲା ତାହାକୁ ନେଇ ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ତେଣୁ ଆସନ୍ତା ୨୪ଘଣ୍ଟା ଭିତରେ ବସ୍ତିକୁ ପାଣି ସଂଯୋଗ ଦିଆ ନ ଗଲେ ନବୀନ ନିବାସ ଆଗରେ ବସ୍ତିବାସିନ୍ଦାମାନେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି।
ବିକ୍ଷୋଭରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଓଡ଼ିଶା ବସ୍ତି ସଂଘର୍ଷର ସଭାପତି ପ୍ରତାପ ସାହୁ, ଜୟନ୍ତ ଦାସ, ସୁକାନ୍ତ ମହାନ୍ତି, ସଚିକାନ୍ତ ପ୍ରଧାନ, ପାର୍ଥସାରଥୀ ଜେନା, ରଞ୍ଜୁଲତା ମହାପାତ୍ର, ମେଘନା କିନ୍ନର, ମେନକା କିନ୍ନର, ରାଣୀ କିନ୍ନର, ବୈଜୟନ୍ତୀ ପରିଡ଼ା, କଳ୍ପନା ମହାନ୍ତି, ପୁଷ୍ପଲତା ସାହୁ, ରଜନୀକାନ୍ତ ରାଉତ, ସନାତନ ଓଝା ଓ ମୁନା ଦାସ ପ୍ରମୁଖ ସାମିଲ ହୋଇଥିଲେ। ପରେ ଏକ ୫ଜଣିଆ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ଏ ନେଇ ଅବଗତ କରିଥିଲେ। 

image