23 February 2017
9:40:57 PM
Sambad News
ରାଜ୍ୟ

ନବରଂଗପୁରରେ ଯୋଗାଣ ମନ୍ତ୍ରୀଙ୍କୁ ଠେଲାପେଲା

ଛାତ୍ର ଆନ୍ଦୋଳନକୁ କଂଗ୍ରେସ ଓ ଓକିଲ ସଂଘର ସମର୍ଥନ

By Sambad | Date: Dec 22 2016 1:50AM
ନବରଂଗପୁରରେ ଯୋଗାଣ ମନ୍ତ୍ରୀଙ୍କୁ ଠେଲାପେଲା

ନବରଙ୍ଗପୁର : ନବରଂଗପୁର ମହାବିଦ୍ୟାଳୟକୁ ଦୀର୍ଘ ୪୫ ବର୍ଷ ପରେ ମଧ୍ୟ ସରକାରୀ ମାନ୍ୟତା ମିଳିନି। କଲେଜକୁ ସରକାରୀ ମାନ୍ୟତା ସହ ଅନ୍ୟାନ୍ୟ ୧୦ ଦଫା ଦାବିରେ ଛାତ୍ରଛାତ୍ରୀ ଗତକାଲି ଠାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଛାତ୍ର ଆନ୍ଦୋଳନକୁ  ସାଧାରଣରେ ସମର୍ଥନ କରାଯାଉଥିବା ବେଳେ ଏହାକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଆଜି ନବରଂଗପୁର ଗସ୍ତରେ ଆସିଥିବା ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଯାଇଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। କିଛି ଲୋକ ମନ୍ତ୍ରୀଙ୍କୁ ଏଠାରେ ଘେରିଯାଇ ଠେଲାପେଲା କରିଥିବା ଜଣାପଡ଼ିଛି। 
 
ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ସହ ୧୦ଦଫା ଦାବି ନେଇ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ କରି ଆଜି ମଧ୍ୟ ଜଗନ୍ନାଥମନ୍ଦିର ଛକରେ ଧାରଣାରେ ବସିଥିଲେ। ସରକାରୀ ମାନ୍ୟତା ନ ମିଳିବା ପଯ୍ୟର୍ନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରମାନେ ଜିଦ୍‌ରେ ଅଟଳ ରହିଛନ୍ତି। ନବରଙ୍ଗପୁର ଜିଲ୍ଲା ନୋଡାଲ ଦାୟିତ୍ୱରେ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମା ଗତକାଲି ଠାରୁ ଏଠାରେ ଆସି ଡେରା ପକାଇଛନ୍ତି। ସେ ଆଜି ଜୟପୁର ଯିବା ବାଟରେ ଧାରଣାରତ ଛାତ୍ରଛାତ୍ରୀ ଓ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ବୁଝାସୁଝା କରିଥିଲେ। ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ସମୟରେ ପଲିଟେକ୍ନିକ୍‌ କଲେଜର ପ୍ରସ୍ତାବ, ଡିଗ୍ରୀ କଲେଜର ପ୍ରସ୍ତାବ ଦେଇଥିଲେ ବୋଲି କହି ମନ୍ତ୍ରୀ ଶ୍ରୀ ଦାସବର୍ମା ବୁଝାଇବାକୁ ଚେଷ୍ଟା କରିଥିଲେ। ଅଳ୍ପ ଦିନ ମଧ୍ୟରେ ପଂଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଯିବାର ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଲେ ମଧ୍ୟ ସୁଫଳ ମିଳିବ ନାହିଁ ବୋଲି କହିଥିଲେ। ତେବେ ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଏବଂ ଆସନ୍ତା ବଜେଟ ବେଳକୁ ସରକାରୀ କଲେଜ ମାନ୍ୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। 
 
ତେବେ ଏଥିରେ ଛାତ୍ରନେତା ଓ ଆନ୍ଦୋଳନକାରୀ ମାନେ ରାଜି ନ ହୋଇ ଲିଖିତ ଭାବେ ପ୍ରତିଶ୍ରୃତି ଦେବାକୁ ଦାବି କରିଥିଲେ। ମନ୍ତ୍ରୀ ଏଥିରେ ରାଜି ହୋଇ ନଥିଲେ। ଏତିକି ବେଳେ ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦର ସଭାପତି ସିରାଜୁଦ୍ଦିନ୍‌ ଅହମ୍ମଦ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରି ଏଭଳି ବହୁ ନେତା ଓ ମନ୍ତ୍ରୀ ପ୍ରତିଶ୍ରୁତିି ଦେଇ ଭୁଆଁ ବୁଲଉଛନ୍ତି ବୋଲି କହିଥିଲେ। ଆଉ କେତେ ମିଛ କହି ଲୋକଙ୍କୁ ଭଣ୍ଡେଇ ଚାଲିଥିବେ ବୋଲି ପ୍ରଶ୍ନ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ମନ୍ତ୍ରୀ ଶ୍ରୀ ଦାସବର୍ମା ସେଠାରୁ ଉଠି ଚାଲି ଯାଉଥିବା ବେଳେ ଠେଲାପେଲା, ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଉପସ୍ଥିତ ଥିବା ପୁଲିସ ତାଙ୍କୁ କର୍ଡନ କରି ନେଇ ଯାଇଥିଲେ। ମନ୍ତ୍ରୀ ସେଠାରୁ ଚାଲିଯିବା ପରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର ନେତା ମାନେ ଅଧଘଣ୍ଟା କାଳ ରାସ୍ତାରୋକ କରିଥିଲେ।  ପରେ ଟାଉନ ଥାନା ଆଇଆଇସି ପ୍ରଭାଶଙ୍କର ନାୟକ ଆସି ବୁଝାସୁଝା କରିବା ପରେ ରାସ୍ତାରୋକରୁ ଓହରି ଧାରଣାସ୍ଥଳରେ ଯାଇ ବସିଥିଲେ। 
 
ସେଭଳି ଆଜି ଓକିଲ ସଂଘ ସଭାପତି ଏନ୍‌ ଅହମ୍ମଦ, ସଂପାଦକ ରାମ ପ୍ରସାଦ ପାତ୍ର, ପୂର୍ବତନ ଓକିଲ ସଂଘ ସଭାପତି ଉମାଶଙ୍କର ତ୍ରିପାଠୀ, ବିଶିଷ୍ଟ ନେତା ମୃତ୍ୟୁଞ୍ଜୟ ଦାଶ, ଲୋକନାଥ ପାଳ, ସିରାଜୁଦ୍ଦିନ୍‌ ଅହମ୍ମଦ ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନସ୍ଥଳରେ ବସିଥିଲେ। କଂଗ୍ରେସର ପୂର୍ବତନ ବିଧାୟକ ସଦନ ନାୟକ, ପିସିସି ସଂଗଠନ ସଂପାଦକ ସରୋଜ ପାତ୍ର, ଦିଲ୍ଲୀପ ବେହେରା, ମୁନ୍ନା ତ୍ରିପାଠୀ, କାଉନସିଲର ଉତ୍ତମ ତ୍ରିପାଠୀ, ପୂର୍ବତନ ଛାତ୍ରକଂଗ୍ରେସ ସଭାପତି ତୋଫାନ ଷଡଙ୍ଗୀ, ଯୁବନେତା ନେତ୍ରାନନ୍ଦ କଲାର, ସୁନିଲ ରାଓ, ଜି ବିଦ୍ୟାସାଗର, କୁନା ପାଢ଼ୀ ପ୍ରମୁଖ ମଧ୍ୟ ଏଥିରେ ଭାଗ ନେଇଥିଲେ। ସେଭଳି ଛାତ୍ରନେତା ଶିବ ପ୍ରସାଦ ମହାପାତ୍ର ଓ ଅକ୍ଷୟ ପାତ୍ର, ମନିଷା ତ୍ରିପାଠୀ, ପ୍ରତାପ ଦାସ, ଅଲୋକ ସାହୁ, ସିଦ୍ଧେଶ୍ୱର ତ୍ରିପାଠୀ, ରାଜୀବ ନାୟକ, ଚନ୍ଦନ ଗୌଡ, ସଂଗ୍ରାମ ମହାପାତ୍ର, ମେଟା ପ୍ରକାଶ, ଦିପୁ ରଂଜନ ନାୟକ, ଏମ୍‌ ପ୍ରଶାନ୍ତ, ଏ ମନୋଜ କୁମାର, ଚନ୍ଦ୍ରଶେଖର ବିଶ୍ୱାସରାୟ, ଚନ୍ଦ୍ରଶେଖର ଦାଶ, ପ୍ରଭାତ କୁମାର ତ୍ରିପାଠୀ, ରୁଦ୍ର ଚୌଧୁରୀ, ଆବାହକ କାହ୍ନ ଦାସ ପ୍ରମୁଖ ଆଲୋଚନା ଓ ଆନ୍ଦୋଳନରେ ଭାଗ ନେଇଥିଲେ।