19 September 2017
5:03:21 PM
Sambad News
ରାଜ୍ୟ

ମଣ୍ଡେଇ ମୁଖ୍ୟ ମହୋତ୍ସବ ଆଜି

By Sambad | Date: Dec 26 2016 6:20AM
ମଣ୍ଡେଇ ମୁଖ୍ୟ ମହୋତ୍ସବ ଆଜି

ନବରଙ୍ଗପୁର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମଣ୍ଡେଇ ମୁଖ୍ୟ ମହୋତ୍ସବ। ନବରଙ୍ଗପୁର ଜିଲ୍ଲାର ଏହି ଲୋକମୋହାତ୍ସବ ୩ ଦିନ ଧରି ଚାଲିବ। ହେଲେ ପଲ୍ଲୀଶ୍ରୀ ମେଳା ୫ ଦିନ ପର୍ଯ୍ୟନ୍ତ ରହିବ। ଏହି ଅବସରରେ ରାଜ୍ୟ, ଜାତୀୟ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷଣ କରାଯିବ। ଆସନ୍ତାକାଲି ମା’ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରିବ ବୋଲି ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ କହିଛନ୍ତି। ଏଥିରେ ଭୀମା ଭୀମାଣି , ବାଲି ଚାଙ୍ଗୁଡି ସହ ଲାଠିି  ଓ  କୁର୍ଚ୍ଚୀ ଆଦି ସାମିଲ କରାଯିବ। ପୂର୍ବରୁ କିଛି ପ୍ରତିଯୋଗିତା ହୋଇସାରିଥିବା ବେଳେ ଆସନ୍ତାକାଲି ଝୋଟି ପ୍ରତିଯୋଗିତା ଓ ପାରମ୍ପରିକ ପୀଠା ପ୍ରତିଯୋଗିତା ରହିଛି। ପଲ୍ଲୀଶ୍ରୀ ମେଳାରେ ୨୨୦ଟି ଷ୍ଟଲ ଖୋଲାଯିବ।  
 
ସେହିପରି  ଜିଲ୍ଲାଶିଳ୍ପ କେନ୍ଦ୍ର ପକ୍ଷରୁ ଟେରାକୋଟା, ଡୋକ୍ରା, ଲାଖ  ଓ ଆଦିବାସୀ ଅଳଙ୍କାରକୁ  ମେଳାରେ ସାମିଲ କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ,ରାଜ୍ୟସଭା ସାଂସଦ ଏଭି ସ୍ୱାମୀ, ସାଂସଦ ଇଂ ବଳଭଦ୍ର ମାଝୀ,  ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଉମରକୋଟ ବିଧାୟକ ସୁବାସ ଚନ୍ଦ୍ର ଗଣ୍ଡ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 
 
ଉଦ୍‌ଘାଟନୀ ଦିବସରେ  ଓଡଶୀ, ରାଜ୍ୟ ସଂସ୍କୃତି ବିଭାଗର ଛଉ ନୃତ୍ୟ, ବରପାଲି ନୁପୁର କ୍ଲବର ବାଜାନିଆ,ରସରକେଲି, ନଟରାଜ ଗୃପ କଟକର ମୟୁରୀ ନୃତ୍ୟ, ଜଗଦଲପୁରର ଗୌର ନୃତ୍ୟ,ଢ଼େମସା ଆଦି ନୃତ୍ୟ ପରିବେଷଣ କରାଯିବ। ୨୭ ତାରିଖରେ ଓଡଶୀ, ରାଜସ୍ଥାନୀ ଏବଂ  ବିଶିଷ୍ଠ କଣ୍ଠଶିଳ୍ପୀ ଇରାମହାନ୍ତିଙ୍କ ସଂଗୀତ କାର୍ଯ୍ୟକ୍ରମ ରହିଛି। ୨୮ତାରିଖରେ ଘୁମୁରା, ସେଲରଡା ଲୋକନୃତ୍ୟ, ସମ୍ବଲପୁରୀ, ଡାବ୍‌ ନୃତ୍ୟ, ଭଂଜନଗରର ପଶୁମୁଖା , ଲାମ୍ବୋଡୀ, ମହାରାଷ୍ଟ୍ରୀ, ବଜାସାଲ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏଥିସହ ଏହି ୩ଦିନ ରାତିରେ ଦେଶିଆ ନାଟକ ପରିବେଷଣ  ହେବ। 
 
ଜିଲ୍ଳାପାଳ ରଶ୍ମିତା ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍‌ , ବିଧାୟକ ମନୋହର ରନ୍ଧାରୀ, ମଞ୍ଚ କମିଟିର ଅଧ୍ୟକ୍ଷ ତଥା ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ସାମଲ୍‌ ପ୍ରମୁଖ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥର ମଂଚର ସାଜସଜ୍ଜା ସଂପୂର୍ଣ୍ଣ ରୂପେ କଳାତ୍ମକ କରାଯାଇଛି ବୋଲି କଳାକାର ପଦ୍ମନ ଚୌଧୁରୀ କହିଛନ୍ତି। 

image