01 May 2017
2:05:15 AM
image
Sambad News
ରାଜ୍ୟ

ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ପ୍ରସଙ୍ଗ : ୧୯ଟି ଦାବି ନେଇ ଆଲୋଚନା

By Sambad | Date: Dec 26 2016 6:29AM
ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ପ୍ରସଙ୍ଗ : ୧୯ଟି ଦାବି ନେଇ ଆଲୋଚନା

ନବରଙ୍ଗପୁର : ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ଦାବିରେ ଚାଲିଥିବା ଧାରଣା ଗତକାଲି ପ୍ରତ୍ୟାହାର ପରେ ଆଜି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି। ଆଜି ସଂଧ୍ୟାରେ ପ୍ରାୟ ୨ଘଣ୍ଟା ଧରି ଏକ ସ୍ୱତନ୍ତ୍ର ବୈଠକ କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସାଂସଦ ଇଂ. ବଳଭଦ୍ର ମାଝୀ, କଲେଜ ପରିଚାଳନା କମିଟି ସଭାପତି ତଥା ବିଧାୟକ ମନୋହର ରନ୍ଧାରୀ, ଉପନଗରପାଳ ପ୍ରହ୍ଲାଦ ତ୍ରିପାଠୀ, ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ଦିବ୍ୟଦାନ ସୁନା, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ୧୯ଟି ଦାବି ମଧ୍ୟରୁ ୧୮ଟି ଜାନୁଆରି ୨୦ତାରିଖ ମଧ୍ୟରେ ପୂରଣ କରାଯିବ ବୋଲି କୁହାଯାଇଥିଲା। ସେହିପରି ସରକାରୀ ମାନ୍ୟତା ନେଇ ଉଠିଥିବା ଦାବି ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଠିବାର ୧୫ଦିନ ପରେ ଅର୍ଥାତ ମାର୍ଚ୍ଚ ମାସ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

 
ଆଲୋଚନା ମଧ୍ୟରେ ମହାବିଦ୍ୟାଳୟର ଥିବା ୩୯ ଏକର ୫୪ ସେଣ୍ଟ ଜମି ମଧ୍ୟରୁ ମାତ୍ର୧୧ଏକର ୯୭ସେଣ୍ଟ ଜମିର ପଟ୍ଟା କଲେଜ ନାଁରେ ଥିବା ବେଳେ ବଳକା ୨୭ଏକର ୨୨ସେଣ୍ଟର ଜମି ପଟ୍ଟା ନାହିଁ। ତେଣୁ ଏହି ଜମି ଚିହ୍ନଟ କରିବା ପାଇଁ ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନ ନିକଟରେ ଜମି ଚିହ୍ନଟ ପାଇଁ ଆବେଦନପତ୍ର ଦାଖଲ କରିବେ ଏବଂ  ଜାନୁଆରି ୧୫ସୁଦ୍ଧା ଏହାର ମାପଚୁପ କରି କଲେଜକୁ ଏହା ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେଭଳି କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଆସନ୍ତା ଜାନୁଆରି ୨୦ସୁଦ୍ଧା ଯୋଗାଯିବ। କଲେଜ ପାଇଁ ଉଦ୍ଦିଷ୍ଟ ଏସସି/ଏସଟି ଆବାସିକ ହୋଷ୍ଟେଲରେ ଏନସିସି ବାଟାଲିଅନ୍‌ କାଯ୍ୟଳୟ ଚାଲିଥିବାରୁ କାର୍ଯ୍ୟାଳୟ ମଧ୍ୟ ୨୦ତାରିଖ ସୁଦ୍ଧା ଖାଲି କରାଯିବ। ଏଠାକୁ କଳା ବିଭାଗ ସ୍ଥାନାନ୍ତର କରାଯାଇ ଏହାର ମରାମତି ଓ ରକ୍ଷଣାବେକ୍ଷଣ କରାଯିବ। ପାର୍ଟ ଟାଇମ୍‌ କ୍ରୀଡା କୋଚ ତୁରନ୍ତ ନିଯୁକ୍ତ କରାଯିବ। କଲେଜର ଯେ କୌଣସି  ଉନ୍ନୟନ କାମ କରାଗଲେ ଟେଣ୍ଡର ମାଧ୍ୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। 
 
ସେଭଳି ଖେଳ ପଡିଆର ଉନ୍ନତି କରାଯିବା ସହ ବାଳକ ଛାତ୍ରାବାସ ନିକଟରେ ନୂଆ ଷ୍ଟେଜ୍‌ ନିର୍ମାଣ କରାଯିବ। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ନୂଆ ଉପକରଣ କିଣାଯିବା, ଲାଇବ୍ରେରିରେ ଅଧିକ ବହି ରହିବ। ଅର୍ଧନିର୍ମିତ ଅବସ୍ଥାରେ ଥିବା ଷ୍ଟଲକୁ ତୁରନ୍ତ ନିର୍ମାଣ ସାରି ଭଡା ଆଦାୟ କରିବାକୁ ଆଲୋଚନା ହୋଇଥିଲା। ଜମି ଚିହ୍ନଟ ପରେ କିଭଳି ପାଚେରୀ ନିର୍ମାଣ କରାଯିବ ସେନେଇ ଏକ ପ୍ରସ୍ତାବ ପରିଚାଳନା କମିଟି ଅଧ୍ୟକ୍ଷ ତଥା ବିଧାୟକଙ୍କୁ ଦେବାକୁ ସ୍ଥିର ହୋଇଥିଲା। ୨୦୧୩ରୁ ୨୦୧୬ ମସିହା ପଯ୍ୟର୍ନ୍ତ କଲେଜର ଅଡିଟ୍‌ କରାଯିବା, ତୁରନ୍ତ ପିଜି କୋର୍ସ ଖୋଲିବା ଆଦି ଉପରେ ଆଲୋଚନା ହୋଇଥିଲା। 
 
ଶେଷରେ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। ଅଧ୍ୟାପକ ତ୍ରିପତି ପଣ୍ଡା ମଂଚାସୀନ ରହିବା ସହ ସଂଯୋଜନା କରିଥିବା ବେଳେ ଶେଷରେ ପ୍ରାଧ୍ୟପକ ଡ. ବିଜୟ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ବୈଠକରେ ପୂର୍ବତନ ଛାତ୍ର ସଂସଦ ସଭାପତି ଅକ୍ଷୟ ପ୍ରସାଦ ପାତ୍ର, ଶିବ ପ୍ରସାଦ ମହାପାତ୍ର, ମନଷା ତ୍ରିପାଠୀ, ସାଇ ଆଦିତ୍ୟ ପାଢ଼ୀ, ସିପୁନ କୁମାର ପଣ୍ଡା, ଆଲୋକ ସାହୁ, ଅଂଶୁମାନ ତ୍ରିପାଠୀ, ରୁଦ୍ର ଚୌଧୁରୀ, ସିଦ୍ଧେଶ୍ୱର ତ୍ରିପାଠୀ, ଏମ୍‌ ପ୍ରକାଶ ରାଓ, କିଶାନ କୁମାର, ଟି.ସନ୍ତୁ, ବରିଷ୍ଠ ଆଇନଜୀବୀ ଆଶିଷ ରଂଜନ ପଟ୍ଟନାୟକ, କାହ୍ନ ଦାସ, ଦିଲୁ ପଣ୍ଡାଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

image