25 June 2017
7:24:28 AM
Sambad News
ନବରଙ୍ଗପୁର

କମ୍ପିଲା ମଣ୍ଡେଇ ମଞ୍ଚ

By Sambad | Date: Dec 27 2016 5:38AM
କମ୍ପିଲା ମଣ୍ଡେଇ ମଞ୍ଚ

ନବରଙ୍ଗପୁର: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଥିଲା ପ୍ରଥମ ଦିନର ମଣ୍ଡେଇ ମଞ୍ଚ। ରାଜ୍ୟ ଓ ରାଜ୍ୟ ବାହାର କଳାକାରଙ୍କ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ଦର୍ଶକଙ୍କୁ ମତୁଆଲା କରି ଦେଇଥିଲା। ଶୀତୁଆ ସଂଧ୍ୟାରେ ଗରମ ଆବେଗ ସ୍ପଷ୍ଟ ପାରି ହୋଇ ପଡୁଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ରଶ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ।

ଏହି ମାଟିର ଦୁଇ ସୁଯୋଗ୍ୟ ସନ୍ତାନ ଭୁବନେଶ୍ୱର ଦଳାଇ ଓ ଲୀନା ବେହେରାଙ୍କୁ ସ୍ମୃତିଚାରଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର କଳା, ସଂସ୍କୃତି, ପରାମ୍ପରାକୁ ବଂଚାଇବା ଦିଗରେ ମଣ୍ଡେଇ ପ୍ରମୁଖ ଭୂମିକା ନିଭାଇଥିବାରୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟ ଅତିଥି। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ସରକାରୀ ଯୋଜନା ସଂପର୍କରେ ପ୍ରକାଶ କରିଥିଲେ। 

ସେହିପରି ସାଂସଦ ଇଂ ବଳଭଦ୍ର ମାଝୀ ଜିଲ୍ଲାବାସୀ ଖୁବ୍‌ଶୀଘ୍ର ଟ୍ରେନ୍‌ ଦେଖିବେ ବୋଲି କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଉମରକୋଟ ବିଧାୟକ ସୁବାସ ଚନ୍ଦ୍ର ଗଣ୍ଡ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ମଣ୍ଡେଇର ଭୂମିକା ସଂପର୍କରେ କହିଥିଲେ। ଡାବୁଗାଁ ବିଧାୟକ ଭୁଜବଳ ମାଝୀ କୃଷି ଓ ସ୍ୱାସ୍ଥ୍ୟ ସେବା ନେଇ ଉଦ୍‌ଗେ ପ୍ରକାଶ କରିଥିଲେ।

ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ନବରଙ୍ଗପୁର ପୌର ଉପାଧ୍ୟକ୍ଷ ପ୍ରହ୍ଲାଦ ତ୍ରିପାଠୀ ମଣ୍ଡେଇ ସମ୍ମାନ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଡ.ସଦାଶିବ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ହାବିବୁଲ୍ଲା ଖାଁ, ପରମା ପୂଜାରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ଡା.ପୋମା ଟୁଡୁ ମଞ୍ଚାସୀନ ହୋଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ୍‌ ମଂଚ ସଂଯୋଜନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜି ଶୋଭାଯାତ୍ରା ସରିବା ପରେ ୨୨୦ଟି ପଲ୍ଲୀଶ୍ରୀମେଳା
         ଉଦଘାଟନୀ ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ କାଯ୍ୟର୍କ୍ରମରେ ସ୍ୱାଗତ ସଂଗୀତ ଓଡିଶା ନୃତ୍ୟ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ପରିବେଷଣ କରାଯାଇଥିଲା। ସେଭଳି ନବରଙ୍ଗପୁର ଜଗନ୍ନାଥ କଳାକେନ୍ଦ୍ର ଓଡିଶୀ, କଟକ ନଟରାଜ ଗ୍ରୁପ୍‌ ମୟୂରୀ ନୃତ୍ୟ, ବରପାଲିର ନୁପୁର ଡ୍ୟାନସ୍‌ ଗୃପ ବଜନାଲ୍‌, ଜଗଦଲପୁର ଗୌର ଡ୍ୟାନସ୍‌ ଗୃପ ଗୌର ଡ୍ୟାନସ୍‌, ମାଲାକାନଗିରିର କୋୟା ଡ୍ୟାନସ୍‌, ଜିଲ୍ଲା ସଂସ୍କୃତି ବିଭାଗ ଛଉ, କନ୍ଦମାଳର କଳାବିକାଶ କେନ୍ଦ୍ର ଧାଙ୍ଗଡା ଧାଙ୍ଗାଡି, ବଡଓଲମାର ଡେମସା, ନବରଙ୍ଗପୁରର ଶ୍ରୀରାମ କଳାକେନ୍ଦ୍ର ଲୋକନୃତ୍ୟ, ନଟରାଜ ଗୃପର ପଲ୍ଲୀ ନୃତ୍ୟ, ନୁପରର ବରପାଲି, ଯୋଡିଙ୍ଗା ହାଇସ୍କୁଲର ଢ଼େମସା, ନବରଙ୍ଗପୁର ବ୍ଲକର ଲୋକନୃତ୍ୟ ପରିବେଷଣ ହୋଇଥିଲା।
ଶୋଭାଯାତ୍ରା ଜମିଲା
 

ମଣ୍ଡେଇ ମହୋତ୍ସବ ଅବସରରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀଙ୍କ ମନ୍ଦିରରୁ ଆଜ୍ଞାମାଳ ବାହାରିଥିଲା। ଜିଲ୍ଲାପାଳ ଜିଲ୍ଲାପାଳ ରଶ୍ମିତା ପଣ୍ଡା ପୂଜାର୍ଚନା କରିବା ପରେ ବିରାଟ ପଟୁଆରରେ ଆଜ୍ଞାମାଳ ଧରି ବାହାରିଥିଲେ। ଢାମ୍ପ, ମହୁରୀ, ୫ରୁ ଊର୍ଧ୍ୱ ଢ଼େମସା ଦଳ, କଣ୍ଡେଇ ନୃତ୍ୟ, ଗୌଡସାହିର ପାଇକ୍‌ ଆଖଡା ସାଙ୍ଗକୁ ଚେଙ୍କ ଓ ଝାଡାବାନ୍ତି ସଂପର୍କିତ ସଚେତନତା ଝାଙ୍କି ଶୋଭାଯାତ୍ରାରେ ସାମିଲ ହୋଇଥିଲା।

ତେବେ ଶୋଭାଯାତ୍ରା ବାହାରିବାରେ ବିଳମ୍ବ ହୋଇଥିଲା। ଅପରାହ୍ନ ୪ଟା ୧୫ରେ ଜିଲ୍ଲାପାଳ ଏବଂ ପିଡି ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶୋଭାଯାତ୍ରା ଶଙ୍କାରୀ ସାହି ଛକରେ ପହଞ୍ଚିବା ପରେ ଅପରାହ୍ନ ୫ଟା ୧୫ରେ ମନ୍ତ୍ରୀ ଶ୍ରୀ ମାଝୀ, ସାଂସଦ ଇଂ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପହଞ୍ଚିଥିଲେ। ଏହାର ୧୦ମିନିଟ ପରେ ବିଧାୟକ ଶ୍ରୀ ରନ୍ଧାରୀ ଆସିଥିଲେ। କିନ୍ତୁ ଉମରକୋଟ ବିଧାୟକ ଓ ଡାବୁଗାଁ ବିଧାୟକଙ୍କ  ଦେଖାମିଳି ନଥିଲା। ଏହି ଅବସରରେ ନାରୀ ସଶକ୍ତିକରଣ ଉପରେ ଆଧାରିତ ସଚେତନାତ୍ମକ ଗୀତ ସିଡି ‘ସୁନା କାଏ’ର ଲୋକାର୍ପଣ କରାଯାଇଥିଲା।

ଗୀତ ଗୁଡିକୁ ମନୋରମା ମାଝୀ ରଚନା କରିଥିବା ବେଳେ ମନୋଜ କୁମାର ପଟ୍ଟନାୟକ ସଂଗୀତ ନିର୍ଦେଶନା ଦେଇଥିଲେ। ଏଥିରେ ସୀମା ପାଣିଗ୍ରାହୀ, ସବିତା ପାଣିଗ୍ରାହୀ, ଜଗନ ମୋହନ ନାଗ, ଦେବାଶିଷ ପ୍ରଧାନ ପ୍ରମୁଖ କଣ୍ଠ ଦେଇଛନ୍ତି। ଛାତ୍ରଙ୍କ ସହ ଢ଼େମସା
 

ନବରଙ୍ଗପୁର ପୌର ଉପାଧ୍ୟକ୍ଷ ପ୍ରହ୍ଲାଦ ତ୍ରିପାଠୀ, କଂଗ୍ରେସ ନେତା ମୁନ୍ନା ତ୍ରିପାଠୀ, ଅବଦୁଲ ଫିରୋଜ, ବିଧାୟକ ମନୋହର ରନ୍ଧାରୀ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରମୋଦ ପାଢ଼ୀ, ଆଶିଷ ରଂଜନ ପଟ୍ଟନାୟକଙ୍କ ସହ ନବରଙ୍ଗପୁର କଲେଜ ଛାତ୍ରନେତା ମାନେ ଢ଼େମସା କରୁଥିବା ଦେଖିବାକୁ ମିଳିଥିଲା। ଦଳମତ ନିର୍ବିଶେଷରେ ସବୁ ମଣ୍ଡେଇ ମହୋତ୍ସବରେ ଏତେ ମସଗୁଲ ହୋଇ ଯାଇଥିଲେ ରାସ୍ତାରେ ବିନାଦ୍ୱିଧାରେ ନାଚ କରିଥିଲେ।