01 March 2017
11:13:14 PM
Sambad News
ନବରଙ୍ଗପୁର

କୃଷି ବିଭାଗ ଧାର୍ଯ୍ୟକୁ କମାଇ ଦେଲା ଯୋଗାଣ ବିଭାଗ

ନବରଙ୍ଗପୁରରେ ଧାନର ଅଭାବୀ ବିକ୍ରି

By Sambad | Date: Dec 28 2016 1:48AM
କୃଷି ବିଭାଗ ଧାର୍ଯ୍ୟକୁ କମାଇ ଦେଲା ଯୋଗାଣ ବିଭାଗ

ନବରଙ୍ଗପୁର: ଚଳିତ ବର୍ଷ ଧାନ ଅମଳ ଆଶା ଠାରୁ ଅଧିକ ହୋଇଛି। ହେଲେ ସରକାରଙ୍କ ଧାନ କିଣା ନୀତି ଚାଷୀଙ୍କୁ ହତାଶ କରିଛି। ଏଥର ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀ ମୁକୁଳିଲେ ହେଲେ ସରକାର ଦାଉ ସାଜିଲେ। ଧାନ କିଣା ଟାର୍ଗେଟକୁ ଯଥେଷ୍ଟ ହ୍ରାସ କରି ଅଭାବି ବିକ୍ରିର ବାଟ ଖୋଲି ଦେଇଛନ୍ତି ସରକାର। ଏହାକୁ ନେଇ ସବୁଠି ଅସନ୍ତୋଷ ଥିବା ବେଳେ ନବରଙ୍ଗପୁର ଜିଲା ବାଦ ପଡ଼ିନି। ଜିଲ୍ଲାର ଚାଷୀମାନେ ବ୍ୟବସାୟୀଙ୍କୁ କମ୍‌ ଦରରେ ଧାନ ବିକିବାକୁ  ବାଧ୍ୟ ହେଉଛନ୍ତି। ଏହି କ୍ରମରେ ଜିଲ୍ଲାରୁ ଏବେ କିଛି ବଡ ବ୍ୟବସାୟୀ ଗ୍ରାମାଂଚଳର ଚାଷୀଙ୍କ ଠାରୁ ଧାନ କିଣି ଗୋଟିଏ ଓ୍ଵାଗନ୍‌ ଧାନ ତାମିଲନାଡୁ ଓ କେରଳକୁ ପଠାଇ ଦେଇଥିବା ସୂଚନା ମିଳିଛି।

ଜିଲ୍ଲାରେ ୧୮ହଜାର ଚାଷୀ ଧାନ ବିକିବାକୁ ପଞ୍ଜିକରଣ କରିଛନ୍ତି। ଜିଲ୍ଲାରେ ୧୬ଲକ୍ଷ ୩୮ହଜାର ୪୭୧କୁଇଣ୍ଟାଲ୍‌ ଧାନ କିଣା ହେବ ବୋଲି ଜିଲ୍ଲା କୃଷି ଉପନିର୍ଦେଶକ ସର୍ଭେ କରି ସରକାରଙ୍କୁ ରିପୋର୍ଟ ପଠାଇଥିଲେ। ହେଲେ ଜିଲ୍ଲା ଯୋଗାଣ ବିଭାଗ ୧୧ଲକ୍ଷ ୮୮ହଜାର ୨୦୦କୁଇଣ୍ଟାଲ ଧାନ କିଣିବାକୁ ଧାଯ୍ୟର୍ କରିଛନ୍ତି। ବଳକା ୫ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଆଉ ଟାର୍ଗେଟ ଆସିବ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି।

ଅପରପକ୍ଷରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାର ୪୬ଟି ମଣ୍ଡିକୁ ମନଇଛା ଟାର୍ଗେଟ ଦିଆଯିବା ଫଳରେ ସମସ୍ୟା ବଢିବାରେ ଲାଗିଛି। କାରଣ ସେହି ଅନୁଯାୟୀ ଲ୍ୟାମ୍ପସ ଗୁଡିକ କମ୍‌ ପରିମାଣ ଧାନ କ୍ରୟ ନେଇ ଟୋକେନ୍‌ ଦେଉଛନ୍ତି। ଏଥିପାଇଁ ଚାଷୀ ଅଧିକ ହଇରାଣ ହେଉଛନ୍ତି। ନବରଙ୍ଗପୁର ପୌରାଞ୍ଚଳ ପାଇଁ ନବରଙ୍ଗପୁର ମଣ୍ଡିରେ ୬ହଜାର କୁଇଣ୍ଟାଲ ଧାନ କିଣାଯିବ। ଏହି ପ୍ରକ୍ରିୟା ୨୬ଦିନରେ ସରିବ। ସେହି ଅନୁଯାୟୀ ହିଁ ଲ୍ୟାମ୍ପ ଗୁଡିକ ମଧ୍ୟ ଟୋକେନ୍‌ ଦେବେ।
  

 ପୂରା ଜିଲ୍ଲାରେ ୧୧ଲକ୍ଷ ୮୮ହଜାର ୨୦୦କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରହିଛି। ତେବେ ବଳକା ୫ଲକ୍ଷ କୁଇଣ୍ଟାଲ ଧାନ କିଏ କିଣିବ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ଚଳିତ ବର୍ଷ ଏକର ପିଛା ୨୫କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଥିବା ବେଳେ ସରକାର ୧୨କୁଇଣ୍ଟାଲ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଚାଷୀଙ୍କୁ ଉତ୍ପାଦିତ ଧାନ ପରିମାଣରେ ଟୋକେନ୍‌ ଦିଆଯାଉ ନଥିବାରୁ ସେମାନେ ମଣ୍ଡିକୁ ଆସିବା ବଦଳରେ ବାହାର ବ୍ୟବସାୟୀଙ୍କୁ ବିକୁଛନ୍ତି। ଟୋକେନ ସମସ୍ୟା ନେଇ ତାରାଗାଁ, ବିକ୍ରମପୁରର ଚାଷୀ ମାନେ ଗତ ଦୁଇ ଦିନ ହେବ ଲ୍ୟାମ୍ପସ ଏମଡିଙ୍କୁ ଘେରାଉ କରିଥିଲେ।

ସେହିପରି ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ, ନବରଙ୍ଗପୁର, କୋଷାଗୁମୁଡା ବ୍ଲକରେ ଏହି ସ୍ଥିତି ଉପୁଜିଛି। ତେବେ ଡିଏଲପିସି ବୈଠକରେ କେଉଁ ମଣ୍ଡିରେ କେତେ ଧାନ କିଣାଯିବ ବୋଲି ନିଷ୍ପତି ହୋଇଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଦେଇଥିବା ମଣ୍ଡି ଲକ୍ଷ୍ୟକୁ ନେଇ ଏବେ ଚାଷୀ ମାନେ ସଂଦିହାନ ହୋଇପଡିଛନ୍ତି। ମିଲର୍ସ ମାଲିକ ସଂଘ ସଭାପତି ତାପସ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଲେ ଆମେ ମଣ୍ଡିକୁ ଯେତେ ଧାନ ଆସିଲେ ବି ନେବା ପାଇଁ ପ୍ରସ୍ତୁତ।

ହେଲେ ମଣ୍ଡି ଗୁଡିକୁ କମ୍‌ ଧାନ ଆସୁଛି ବୋଲି କହିଛନ୍ତି। ଚାଷୀ ପ୍ରତିନିଧି ଝାଡେଶ୍ୱର ଖାଡଙ୍ଗା, ସର୍ବେଶ୍ୱର ପାତ୍ର, ଚାଷୀ ବିଧୁ ଶେଖର ତ୍ରିପାଠୀ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଚାଷୀ ମାରଣ ନୀତି ଧରିଛନ୍ତି। ଫଳରେ ଜିଲ୍ଲାରୁ ଧାନର ପ୍ରକୃତ ମୂଲ୍ୟ ପାଉ ନାହାନ୍ତି ଚାଷୀ। ଜିଲ୍ଲାର ଜନ ପ୍ରତିନିଧି , ମନ୍ତ୍ରୀ, ବିଧାୟକ, ସାଂସଦ ଏନେଇ ଚିନ୍ତା କରିବା  କରିବା କଥା। ଏହି ସ୍ଥିତିରେ ସଂପ୍ରତି ଜିଲ୍ଲାର ଚାଷୀ ମାନଙ୍କ ମଧ୍ୟରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ି