18 August 2017
8:13:02 PM
Sambad News
ନବରଙ୍ଗପୁର

ଜଂଗଲରୁ ବାଘର ମୃତ ଦେହ ଉଦ୍ଧାର

ଗାଈ ଚରାଳିକୁ ଆକ୍ରମଣର ଦିନକ ପରେ ବାଘ ଶବ ମିଳିଲା

By Sambad | Date: Jan 2 2017 11:57PM
ଜଂଗଲରୁ ବାଘର ମୃତ ଦେହ ଉଦ୍ଧାର

ରାଇଘର : ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ରାସପୁର ଜଂଗଲରେ ବାଘ ଆକ୍ରମଣରେ ଗତକାଲି ଗୁରୁତର ଆହତ ହୋଇଥିବା ବେଳେ ଆଜି ସେହି ଜଂଗଲରୁ ଏକ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘଟିର କେମିତି ଅବସ୍ଥାରେ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇପାରିନି। ବାଘ ଆକ୍ରମଣରେ ରାଇଘର ବ୍ଲକ ଖୁଡୁକୁ ପଞ୍ଚାୟତର ତରେଇଡିହି ଗ୍ରାମର ରୂପସିଂ ଗଣ୍ଡ ଆହତ ହୋଇଛନ୍ତି। ସେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। 
 
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ତରେଇଡିହି ଗ୍ରାମର ରୂପସିଂ ଗଣ୍ଡ(୪୫) ନିକଟସ୍ଥ ରାସପୁର ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ।  ତେବେ ଏହି ସମୟରେ ଜଙ୍ଗଲରେ ଏକ କଲରା ପତରିଆ ବାଘ ରୂପସିଂଙ୍କ ଉପରକୁ ହଠାତ୍‌ ଆକ୍ରମଣ କରିଥିଲା। ଏହି ସମୟରେ ପାଖରେ ଥିବା କିଛି ମଇଁଷି ବାଘକୁ ପାଲଟା ଆକ୍ରମଣ କରିଥିଲେ। ଫଳରେ ବାଘଟି ଭୟଭୀତ ହୋଇ ରୂପସିଂଙ୍କୁ ଛାଡି ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। କିଛି ସମୟ ପରେ ଗ୍ରାମର କିଛି ଲୋକ ରୂପସିିଂଙ୍କୁ ଜଙ୍ଗଲରୁ ଗୁୁରୁତର ଅବସ୍ଥାରେ ଉଦ୍ଧାର କରି ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ବାଘ ଆକ୍ରମଣରେ ରୁପସିଂଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବାରୁ ୧୩୦ଟି ଷ୍ଟିଚ୍‌ ପଡିଥିବା ଡା. ନିହାର ସିଂ ସୂଚନା ଦେଇଛନ୍ତି। 
 
ଅନ୍ୟପଟେ ରାସପୁର ଜଙ୍ଗଲ ନିକଟରୁ ଆଜି ଏକ ବାଘର ଶବ ପଡିଥିବା ଖବର ପାଇ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ବାଘର ମୃତ ଦେହକୁ ଉଦ୍ଧାର କରିଥିବା ଜଣାପଡିଛି। ତେବେ ବାଘଟିର କିଭଳି ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଫାସରେ ଲାଗି ବାଘଟିର ମୃତ୍ୟୁ ହୋଇଥାଇପାରେ କିମ୍ବା ଖାଲରେ ପଡିଯିବା କାରଣରୁ ବାଘଟିର ମୃତ୍ୟୁ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ସେହିପରି କିଛି ଲୋକ ବାଘଟିକୁ ପିଟି ପିଟି ମାରି ଦେଇଥିବା ଶୁଣିବାକୁ ମିଳୁଛି। ଖୁଡୁକୁ ଅଞ୍ଚଳ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ବନ ବିଭାଗ ପକ୍ଷରୁ ସଠିକ୍‌ ଭାବେ ତଦନ୍ତ ହୋଇପାରିନଥିବା ବେଳେ ଆସନ୍ତାକାଲି ପ୍ରକୃତ ଘଟଣା ସଂପର୍କରେ ଜଣାପଡିବ ବୋଲି ଫରେଷ୍ଟର ସଂଜୟ ଜୟସିଂ କହିଛନ୍ତି।