22 August 2017
5:17:57 AM
image
Sambad News
ନବରଙ୍ଗପୁର

ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

By Sambad | Date: Jan 3 2017 6:15AM
ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଲକ୍ଷ୍ମୀପୁର: ଗତ ଶନିବାର ନବବର୍ଷ ସ୍ୱାଗତ ପାଇଁ ସମସ୍ତେ ମସଗୁଲ ଥିବା ବେଳେ ଏହି ସୁଯୋଗରେ ଦୁର୍ବୃତ୍ତ ଲକ୍ଷ୍ମୀପୁର ଅଞ୍ଚଳରେ ଜଣକ ଘରେ କଳାକନା ବୁଲାଇ ଦେଇଛନ୍ତି। ଲକ୍ଷ୍ମୀପୁର ରାମ ମନ୍ଦିର ନିକଟସ୍ଥ କଲୋନିରେ ରହୁଥିବା ଜିଆରଏସ୍‌ ବନମାଳି ସାହୁଙ୍କ ଘରୁ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ପରିବାର ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ ଏହି ଲୁଟ୍‌  କରିଛନ୍ତି। ଶନିବାର ବନମାଳି ସାହୁ କିଛି ବ୍ୟକ୍ତିଗତ କାମରେ ଦାମନଯୋଡି ଯାଇଥିଲେ। ନୂଆବର୍ଷ ଥିବାରୁ ପୂର୍ବରୁ ପରିବାର ସଦସ୍ୟଙ୍କୁ ନିଜଗାଁ ମାରବାଇଗୁଡାରେ ଛାଡି ଆସିଥିଲେ। ତେଣୁ ଘରେ କେହି ନଥିବାରୁ ଚାବି ପକାଇ ଦେଇଥିଲେ।

ସେଦିନ ରାତିରେ ସେ ଫେରି ନଥିଲେ। ରବିବାର ସକାଳେ ବନମାଳିଙ୍କ ଘର ବାହାର ପଟୁ କବାଟ ବନ୍ଦ ଥିବା ପାରିପାର୍ଶିକ ସ୍ଥିତି ଦେଖି ପଡୋଶୀ ତଥା ସାମ୍ବାଦିକ ଶରତ ନାୟକଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ବନମାଳିଙ୍କୁ ଫୋନ କରିଥିଲେ। ସଙ୍ଗେସଙ୍ଗେ ଶ୍ରୀସାହୁ ଲକ୍ଷ୍ମୀପୁରରେ ଥିବା ତାଙ୍କ ଭଣଜା ସୁନିଲ କୁମାର ସାହୁଙ୍କୁ ଖବର ଦେବା ପରେ ସେ ନିଜେ ଆସିଥିଲେ। ହେଲେ ଘର ଖୋଲି ଦେଖିବା ବେଳକୁ ଦୁର୍ବୃତ୍ତ ଅନେକ ସାମଗ୍ରୀ ନେଇଯାଇ ଥିବା ଜଣାପଡ଼ିଥିଲା।

ଦୁଇଟି ଆଲମିରା ଭାଙ୍ଗି ସେଥିରେ ଥିବା ୧୦ତୁଳା ସୁନା ସମେତ ରୁପା ଅଳଙ୍କାର, ତିନୋଟି ଫୋନ, ୫ହଜାର ଟଙ୍କା ଓ ଟାବଲେଟ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ଶ୍ରୀ ସାହୁ ପୋଲିସକୁ ଖବର ଦେଇଥିଲେ। ଆଇଆଇସି ଜଗନ୍ନାଥ ଆଚାର୍ଯ୍ୟଙ୍କ କେତେକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିସହ ସନ୍ଧାନୀ କୁକୁର ସହାୟତା ନିଆଯାଇଥିଲା। ହେଲେ ଚୋରମାନଙ୍କ ଟେର ମିଳିନଥିଲା। ଲକ୍ଷ୍ମୀପୁର ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବଢୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।