30 March 2017
8:12:03 AM
Sambad News
ରାଜ୍ୟ

ଫିଟିଲା ବାଘ ମୃତ୍ୟୁ ରହସ୍ୟ : ପିଟି ପିଟି ମାରିଦେଲେ, ନଖ-ଦାନ୍ତ କାଟିନେଲେ

By Sambad | Date: Jan 4 2017 5:18AM
ଫିଟିଲା ବାଘ ମୃତ୍ୟୁ ରହସ୍ୟ : ପିଟି ପିଟି ମାରିଦେଲେ, ନଖ-ଦାନ୍ତ କାଟିନେଲେ

ରାଇଘର : ବାର୍‌ହା ଶିକାର ପାଇଁ ଫାଶ ପକାଇଥିଲେ। ତେବେ ଏହି ଫାଶରେ ପଡ଼ିଯାଇଥିଲା ଏକ କଲରା ପତରିଆ ବାଘ। ପ୍ରଥମେ ବାଘଟିକୁ ମୁକୁଳାଇବାକୁ ଚେଷ୍ଟା କଲେ। ହେଲେ ବାଘ ଜଣକୁ ଆକ୍ରମଣ କରି ଖଣ୍ଡିଆ ଖାବରା କରି ପକାଇଲା। ଫଳରେ ଶିକାରୀମାନେ  ବାଘକୁ ପିଟିପିଟି ମାରି ଦେବା ସହ ନଖ ଓ ଦାନ୍ତ କାଟିନେଲେ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ବାଘଟିର ମୃତ ଦେହକୁ ଉଦ୍ଧାର କରିଥିଲେ। ବନ ବିଭାଗକୁ ଗଣମାଧ୍ୟମ ପ୍ରତିନିଧିମାନେ ଯେତେ ଯୋଗାଯୋଗ କଲେ ମଧ୍ୟ ଘଟଣା ସମ୍ପର୍କରେ କିଛି କହିଲେନି। ଗ୍ରାମବାସୀ ବି ଭୟଭୀତ ହୋଇ ମନଗଢ଼ା କାହାଣୀ ଶୁଣାଇଲେ। ହେଲେ ଆଜି ସମଗ୍ର ଘଟଣା ଉପରୁ ପରଦା ହଟିଛି। ଶବ ବ୍ୟବଚ୍ଛେଦ ପରେ ବାଘଟିର ଛାତିରେ ଗଭୀର ଆଘାତ ଲାଗିଥିବା ପଶୁ ଚିକିତ୍ସକ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ରାସପୁର ଜଙ୍ଗଲରୁ ମଲା ବାଘ ଉଦ୍ଧାର ଘଟଣା ନେଇ ଏଭଳି ସାଂଘାତିକ ସତ ପଦାକୁ  ଆସିଛି। 
 
ପ୍ରକାଶ ଥାଉକି, ଗତ ରବିବାର ସନ୍ଧ୍ୟାରେ ରାଇଘର ବ୍ଲକ୍‌ ଅନ୍ତର୍ଗତ ରାସପୁର ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ତରେଇଡିହି ଗ୍ରାମର ରୂପସିଂ ଗଣ୍ଡ(୪୫) ବାଘ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଥିଲା। ଏହି ସମୟରେ ମଇଁଷିମାନେ ବାଘ ଉପରକୁ ପାଲଟା ଆକ୍ରମଣ କରିବାରୁ ବାଘଟି ଜଙ୍ଗଲ ଭିତରକୁ ଚାଲି ଯାଇଥିବା କୁହାଯାଇଥିଲା। ପରେ କିଛି ଲୋକ ରୂପସିଂଙ୍କୁ ଗୁରୁତର ଅବସ୍ଥାରେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଏପରିକି ରୂପସିଂଙ୍କ ଶରୀରରେ ୧୩୦ଟି ଷ୍ଟିଚ୍‌ ପଡ଼ିିଥିଲା। ଅନ୍ୟପଟେ ରାସପୁର ଜଙ୍ଗଲରେ ଏକ ବାଘର ମୃତଦେହ ପଡ଼ିିଥିବା ଖବର ପାଇ ସୋମବାର ଶବ ଉଦ୍ଧାର କରିଥିବା ସୂଚନା ମିଳିଥିଲା। ତେବେ ଏହି ଖବର ମିଛରେ ପ୍ରଚାର କରାଯାଇଥିବା ବେଳେ ଘଟଣାଟି ସଂପୂର୍ଣ୍ଣ ଭାବେ ଭିନ୍ନ ବୋଲି ଜଣାପଡ଼ିଛି। 
 
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ରବିବାର କିଛି ଶିକାରୀ ବାର୍‌ହା ଶିକାର ପାଇଁ ରାସପୁର ଜଙ୍ଗଲରେ ଫାଶ ପକାଇଥିଲେ। ତେବେ ଏହି ଫାଶରେ ସନ୍ଧ୍ୟାରେ ଏକ କଲରା ପତରିଆ ବାଘ ଫସିଯାଇଥିଲା। ଏହା ଜାଣିବା ପରେ ଶିକାରୀମାନେ ବାଘଟିକୁ ଫାଶ୍‌ରୁ ବାହାର କରିବାକୁ ଉଦ୍ୟମ କରିଥିଲେ।  ତେବେ ଏହି ସମୟରେ ରୂପସିଂ ଗଣ୍ଡଙ୍କୁ ବାଘ ଆକ୍ରମଣ କରିଥିଲା। ଏହା ଦେଖି ଅନ୍ୟ ଶିକାରୀମାନେ ରୂପସିଂଙ୍କୁ ବାଘ କବଳରୁ ମୁକ୍ତ କରିବା ସହ ବାଘକୁ ଠେଙ୍ଗାରେ ଆକ୍ରମଣ କରିବାରୁ ବାଘଟିର ମୃତ୍ୟୁ ହୋଇଥିଲା। ପରେ ଶିକାରୀମାନେ ମୃତ ବାଘକୁ ତରେଇଡିହି ଗାଁକୁ ନେଇ ବାଘର ୨ଟି ପଞ୍ଝାକୁ କାଟି ଦେବା ସହ ତାହାର ନଖ ଓ ଦାନ୍ତ କାଢ଼ିନେଇଥିଲେ। ଖବର ପାଇ ଗତକାଲି ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀ ତରେଇଡିହିରେ ପହଞ୍ଚି ବାଘଟିର ଶବକୁ ଉଦ୍ଧାର କରି ଆଣିଥିଲେ। ତେବେ ବାଘର ଶବକୁ ବନ ବିଭାଗ କାର୍ଯ୍ୟାଳୟକୁ ନନେଇ ଏକ ନର୍ସରୀରେ ଲୁଚାଇ ରଖିବା ସହ ଗଣମାଧ୍ୟମକୁ ଠିକ୍‌ ସୂଚନା ଦିଆଯାଇନଥିଲା। ଆଜି ବାଘଟିର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଛାତିରେ ଗଭୀର ଆଘାତ ଲାଗିବାରୁ ବାଘଟିର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ କରିଥିବା ପଶୁ ଚିକିତ୍ସକ କୈଳାସ ଚନ୍ଦ୍ର ମଲ୍ଲିକ କହିଛନ୍ତି। ବନ ବିଭାଗ ମୃତ ବାଘର କିଛି ଦାନ୍ତ ଓ ନଖ ଜବତ କରିଥିବା ବେଳେ କାହାଠାରୁ ଏହା ଜବତ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନିି। 
 
ଏନେଇ ସ୍ଥାନୀୟ ରେଂଜର କୁମାର ଖରାଙ୍କୁ ପଚାରିବାରୁ ବାଘଟିକୁ ପିଟିି ପିଟି ମାରି ଦିଆଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା କହିଛନ୍ତି। ସେହିପରି ୪ଟି ଦାନ୍ତ ଜବତ ହୋଇଥିବା ଘଟଣାକୁ ସେ ସ୍ୱୀକାର କରିବା ସହ ଦାନ୍ତଗୁଡ଼ିକ ବାଘର ମୃତଦେହ ନିକଟରେ ପଡ଼ିଥିବା କହିଛନ୍ତି। ଏଥି ସହ ଘଟଣାରେ କେଉଁମାନେ ସଂପୃକ୍ତ ସେନେଇ ତଦନ୍ତ ଚାଲିଥିବା ସେ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ବନ ବିଭାଗ ପୋତି ଦେଇଥିବା ବେଳେ ବାଘଟିକୁ କେଉଁମାନେ ପିଟି ପିଟି ମାରିଛନ୍ତି ଏବଂ ଏହାର ନଖ ଓ ଦାନ୍ତକୁ ବନ ବିଭାଗ କାହା ପାଖରୁ ଜବତ କରିଛି ତାହା ତଦନ୍ତ ସାପେକ୍ଷ। ବନ ବିଭାଗ ସତକୁ କାହିଁକି ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ପ୍ରଶ୍ନ ଉଠୁଛି।