26 June 2017
12:36:59 AM
Sambad News
ନବରଙ୍ଗପୁର

ସରପଞ୍ଚ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ

By Sambad | Date: Jan 6 2017 10:20AM
ସରପଞ୍ଚ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ

ନବରଙ୍ଗପୁର:  ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ସେଥିକି ବଢ଼ିବାରେ ଲାଗିଛି। ପ୍ରାର୍ଥୀ ଚୟନ କରିବା କ୍ଷେତ୍ରରେ ବିଜେଡି ଆଗୁଆ ରହିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ପଛେଇ ଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ପଛେଇବା ପଛରେ ବି ଭିନ୍ନ ଉଦ୍ଦେଶ୍ୟ ଥିବା କୁହାଯାଉଛି। କାରଣ ବିଜେଡିର ଯେଉଁ ଆଶାୟୀ ଟିକେଟ ପାଇବେ ନାହିଁ ସେମାନେ ଶେଷ ମୁହୂର୍ତରେ ଦଳ ବଦଳାଇବାର ସମ୍ଭାବନା ଅଧିକ।

ସେଭଳି ଅସନ୍ତୁଷ୍ଟଙ୍କୁ ନେଇ ବିରୋଧୀ ଶକ୍ତିଶାଳୀ ହେବାକୁ ଯୋଜନା କରୁଥିବା କୁହାଯାଉଛି। ତେବେ ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ସରପଂଚ ପ୍ରାର୍ଥୀ ହେବା ବହୁ ଆଶାୟୀ ଆଗରେ ରହିଥିବା ଦେଖିବାକୁ ମିଳିଛି। ସବୁ ଦଳରେ ସେହି ଏକା ପ୍ରକାର ସମସ୍ୟା। ତେଣୁ ଦଳୀୟ ନେତା ଏବେ କାହାକୁ କେଉଁ ପ୍ରାର୍ଥୀ କରିବେ ତାହାନେଇ ବିଚାର ବିମର୍ଷରେ ବ୍ୟସ୍ତ ଅଛନ୍ତି। କିଛି ସ୍ଥାନରେ ବିଜୟ ନିଶ୍ଚିତ କୁହାଯାଉଥିବା ପ୍ରାର୍ଥୀଙ୍କୁ ସମିତି ସଭ୍ୟ ଭାବେ ଲଢିବାକୁ କୁହାଯାଉଥିବା ବେଳେ ପ୍ରାର୍ଥୀ ଜଣକ ସରପଞ୍ଚ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ଏମିତିରେ ପ୍ରାର୍ଥୀଙ୍କୁ ଅସନ୍ତୋଷ କଲେ ମହଙ୍ଗା ପଡିବାର ଭୟ ବି ରହିଛି। ତଥାପି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ନହେବା ପର୍ଯ୍ୟନ୍ତ ଦଳ ଗୁଡିକ ଚୁପ୍‌ ରହିବା ନିଶ୍ଚିତ ହୋଇଯାଇଛି।